ତିନି ବିଶ୍ବବିଦ୍ୟାଳୟ ମୁଖ୍ୟ କେବେ? ମନ୍ଥର ଗତିରେ ଚାଲିଛି କୁଳପତି ଚୟନ

ଭୁବନେଶ୍ବର : ୨୦୨୦ରେ ନୂଆ କରି ପ୍ରତିଷ୍ଠା ହୋଇଥିବା ରାଜ୍ୟର ତିନି ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି କେବେ ହେବ? ଫେବ୍ରୁଆରି ମାସରୁ ନୂତନ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ଆବେଦନ ପ୍ରକ୍ରିୟା ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୟନ କମିଟି ଗଠନ ହୋଇନି। ଏମିତିକି ଆବେଦନ ପ୍ରକ୍ରିୟା ଶେଷ ହେବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇ ନ ଥିବାରୁ ଆବେଦନକାରୀ ପ୍ରଫେସରମାନେ ଏବେ ଆଶଙ୍କାରେ ରହିଛନ୍ତି। ନୂତନ ବିଶ୍ବବିଦ୍ୟାଳୟ ହୋଇଥିବାରୁ କେତେଜଣ ପ୍ରଫେସର ଏହି ପଦ ହାତେଇବା ଲାଗି ଆଗ୍ରହ ଦେଖାଉଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ସର୍ବାଧିକ ୩୯ ଜଣ ପ୍ରଫେସର ଥିବା ବେଳେ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରେ ୩୮ ଓ କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ୨୦ ଜଣ ଆବେଦନ କରିଛନ୍ତି। ୩ଟି ଯାକ ବିଶ୍ବବିଦ୍ୟାଳୟ ନୂଆ ହୋଇଥିଲେ ମଧ୍ୟ କୁଳପତି ଦୌଡ଼ରେ ଅଭିଜ୍ଞ ଓ ଅବସରପ୍ରାପ୍ତ ପ୍ରଫେସର ସାମିଲ ହୋଇଛନ୍ତି। ଦିଲ୍ଲୀ ସମେତ ଉତ୍ତର ପୂର୍ବ ରାଜ୍ୟର କେତେକ ବିଶ୍ବବିଦ୍ୟାଳୟ ପ୍ରଫେସର ଆବେଦନ କରିଥିବା ସୂଚନା ମିଳିଛି। ଏମିତିକି ଗତ ୯ଟି ବିଶ୍ବବିଦ୍ୟାଳୟ କୁଳପତି ଦୌଡ଼ରୁ ଅଳ୍ପରେ ବାଦ୍‌ ପଡ଼ିଥିବା କେତେଜଣ ପ୍ରଫେସର ଏଥର ଦୌଡ଼ରେ ବି ଅଛନ୍ତି।

ଫେବ୍ରୁଆରି ୨୫ରୁ ଆବେଦନ ପ୍ରକ୍ରିୟା ସରିଥିବାରୁ ଖୁବ୍‌ଶୀଘ୍ର ୩ ଜଣିଆ ସର୍ଚ୍ଚ କମିଟି ଗଠନ କରାଯାଇ କୁଳପତି ନିଯୁକ୍ତ ହେବେ ବୋଲି ଆଶା କରାଯାଉଥିଲା। ତେବେ ଏଥିରେ ବିଳମ୍ବ ହେବାରେ ଲାଗିଛି। ଯେଉଁମାନେ ବିଭିନ୍ନ ସମୟରେ କୁଳପତି ଭାବେ ଭାରପ୍ରାପ୍ତ ଦାୟିତ୍ବରେ ରହିଛନ୍ତି ସେମାନେ ବି ସେତେଟା ଆଗ୍ରହ ଦେଖାଉ ନ ଥିବା ଅଭିଯୋଗ ହୋଇଛି। ଏଭଳି ସମୟରେ ନୂତନ କୁଳପତି ନିଯୁକ୍ତି ହେବାର ଆବଶ୍ୟକତା ରହିଛି ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କୁଳପତି ଚୟନ ଲାଗି ଗଠନ ହେବାକୁ ଥିବା ସର୍ଚ୍ଚ କମିଟି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ପାହ୍ୟାର ୩ ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ କମିଟିର ଅଧ୍ୟକ୍ଷ ଭାବେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ନିଯୁକ୍ତ କରିଛନ୍ତି। କିମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ପ୍ରତିନିଧିମାନେ ରହିବେ। ‌ତେବେ ଏପର୍ଯ୍ୟନ୍ତ ସର୍ଚ୍ଚ କମିଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ସେପେଟେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆବେଦନପତ୍ରଗୁଡ଼ିକୁ ସ୍କ୍ରୁଟିନି କରାଯାଉଥିବା ସୂଚନା ମିଳିଛି। ଆସନ୍ତା ସପ୍ତାହ ସୁଦ୍ଧା ସ୍କ୍ରୁଟିନି ପ୍ରକ୍ରିୟା ଶେଷ କରାଯାଇ ଚୟନ କମିଟିକୁ ସଂକ୍ଷିପ୍ତ ତାଲିକା ଦିଆଯିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର