ବରଗଡ଼: ଦାବି, ଚର୍ଚ୍ଚା ଏବଂ ଆଲୋଚନା ଭିତରେ ବରଗଡ଼ରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ୍‌ ସେବା ସୀମିତ ରହିଛି। ସ୍ଥାନୀୟ ରେଳ ଉପଭୋକ୍ତା କମିଟି ଏବଂ ବୁଦ୍ଧିଜୀବୀ ଏହି ପ୍ରସଂଗ ନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବାରମ୍ବାର ଆଲୋଚନା କରିଛନ୍ତି। ଏପରିକି ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାଂଗରେ ନେଇ ଦାବି ଉପସ୍ଥାପନ ସରିଛି। କିନ୍ତୁ ଏହି ପ୍ରତିକ୍ଷିତ ଟ୍ରେନ୍‌ ସେବା ଆରମ୍ଭ ହୋଇନାହିଁ। ଫଳରେ ବରଗଡ଼ ଜିଲ୍ଲାବାସୀଙ୍କୁ ରାଜଧାନୀକୁ ଟ୍ରେନ୍‌ ଧରିବା ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ରାଜଧାନୀକୁ ଜରୁରୀ କାମରେ ଯିବାକୁ ହେଲେ ସିଧା ସମ୍ବଲପୁର ଯାଇ ଟ୍ରେନ୍‌ ଧରିବାକୁ ପଡ଼ିଥାଏ। ତେବେ କରୋନା କଟକଣା ଦିନରୁ ସକାଳୁ ୬ଟା ‌ବାହାରୁଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍‌ ବନ୍ଦ ଅଛି। ଫଳରେ ବରଗଡ଼ର ଯାତ୍ରୀଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ୁଛି।

Advertisment

ଆସନ୍ତା ୧୦ ତାରିଖରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଚଳାଚଳ କରିବ। କିନ୍ତୁ ଏହାଦ୍ବାରା ବରଗଡ଼ବାସୀ ସେହି ପୁରୁଣା ଅସୁବିଧା ଭୋଗିବାକୁ ପୁଣି ବାଧ୍ୟ ହେବେ। ଏହି ଟ୍ରେନ୍‌କୁ ବରଗଡ଼କୁ ସଂପ୍ରସାରିତ କରିବାକୁ ଯୋଜନା ରହିଛି। କିନ୍ତୁ ତାହା କେବେ ଫଳବତୀ ହେବ ଜଣାପଡ଼ୁନାହିଁ।  ସକାଳୁ ବରଗଡ଼ରୁ ରାଜଧାନୀକୁ କେବଳ ସାପ୍ତାହିକ ଟ୍ରେନ୍‌ ଚଳାଚଳ କରୁଛି। କରୋନା କଟକଣା ହଟିବା ପରେ, ରବିବାର ସକାଳ ୬.୪୦ରେ ଗାନ୍ଧୀଧାମ-ପୁରୀ, ସୋମବାର ସକାଳ ୮ଟାରେ ଏଲ୍‌ଟିଟି-ପୁରୀ ଓ ୧୦.୧୨ଟାରେ ଅହମଦାବାଦ୍‌-ପୁରୀ, ବୁଧବାର ସକାଳ ୬.୪୦ରେ ଯୋଧପୁର-ପୁରୀ, ଗୁରୁବାର ଓ ଶନିବାର ସକାଳ ୬.୪୦ରେ ଅଜମେର୍‌-ପୁରୀ ଟ୍ରେନ୍‌ ଚଳାଚଳ କରୁଛି। କିନ୍ତୁ ଏସବୁ ଟ୍ରେନ୍‌ ଦୂରଗାମୀ ଥିବାରୁ ବରଗଡ଼ରୁ ସିଟ୍‌ ଟିଏ ପାଇବା କାଠିକର ପାଠ।

କାରଣ ଏସବୁ ‌େଟ୍ରନ୍‌ରେ ପର୍ଯ୍ୟପ୍ତ ସ୍ଲିପର୍‌ କ୍ଲାସ୍‌ ରହିଛି। କିନ୍ତୁ ସକାଳୁ ରାଜଧାନୀ ଯାଉଥିବା ଲୋକ ସ୍ଲିପର୍‌ରେ ଶୋଇ ଯାତ୍ରା କରିବା ମୁସ୍କିଲ। ଏଣେ ଅଯଥାରେ ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଗୁରୁତ୍ବପୂର୍ଣ୍ଣ କଥା, ଜରୁରୀ କାମ ପାଇଁ ରାଜଧାନୀ ଯିବାକୁ ଥିବା ଲୋକେ ଟିକଟ୍‌ ପାଇବେ କେମିତି? କାରଣ ଏସବୁ ଦୂରଗାମୀ ଟ୍ରେନ୍‌ରେ ସପ୍ତାହେ ପୂର୍ବରୁ ବୁକିଂ କଲେ ବି ଟିକଟ୍‌ ଉପଲବ୍ଧ ରହୁନାହିଁ।  ତେଣୁ ଜେନେରାଲ୍ ବଗିରେ ଛିଡ଼ା ହୋଇ ଭୁବନେଶ୍ବର ଯାଏଁ ଲୋକେ ଯାତ୍ରା କରୁଥିବା ଦେଖାଯାଉଛି। ବର୍ତମାନ ବରଗଡ଼ରୁ ଭୁବନେଶ୍ବରକୁ ସହଜ ଯାତ୍ରା ହେଲା ବଲାଂଗୀର-ଭୁବନେଶ୍ବର ସୁପର୍‌ଫାଷ୍ଟରେ। କିନ୍ତୁ ଏହା ଅପରାହ୍‌ଣ ୪ଟାରେ ବରଗଡ଼ ଅତିକ୍ରମ କରୁଛି। ସକାଳୁଆ ଟ୍ରେନ୍‌ ସୁବିଧା ନଥିବାରୁ ଆସନ୍ତା ୧୦ ତାରିଖରୁ ସମ୍ବଲପୁର-ପୁରୀ ଏକ୍ସପ୍ରେସ୍‌ ହିଁ ଭରସା। କିନ୍ତୁ ଏହି ଟ୍ରେନ୍‌ ଧରିବାକୁ ଲୋକଙ୍କୁ ବହେ କସରତ କରିବାକୁ ପଡ଼ିବ। ପ୍ରଥମେ ବରଗଡ଼ରୁ ସମ୍ବଲପୁର ବସ୍‌ଯାତ୍ରା। ‌ବସ୍‌ଷ୍ଟାଣ୍ଡରୁ ପୁଣି ଅଟୋ ଧରି କ୍ଷେତରାଜପୁର ଷ୍ଟେସନ୍‌ ଯିବାକୁ ପଡ଼ିବ। ଏସବୁ ଘୋର୍‌ ଅସୁବିଧା ଭିତରେ ବରଗଡ଼ବାସୀଙ୍କ ଦୀର୍ଘ ଦିନର ଦାବି ଅପୂରଣୀୟ ହୋଇ ରହିଛି।