ଭୁବନେଶ୍ବର: ମାଟ୍ରିକ୍‌ ପରୀକ୍ଷାରେ ମେଧାବୀ ଭାବେ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୨ ପଢ଼ିବାକୁ ରାଜଧାନୀର ନାମକରା ଉଚ୍ଚମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ନାମ ଲେଖାଇଥିଲେ। ଦୁଇବର୍ଷ ଶିକ୍ଷା ଗ୍ରହଣ କରିବା ପରେ ଯେଉଁ ପରୀକ୍ଷାଫଳ ଆସୁଛି ତାହା ଆଶ୍ଚର୍ଯ୍ୟଚକିତ କରିବା ଭଳି। ଦଶମ ଶ୍ରେଣୀର ମେଧାବୀ ଛାତ୍ର  ଯୁକ୍ତ ୨ରେ ଭଲ ନମ୍ବର ରଖିବା ତ ଦୂର କଥା, ପାସ୍‌ ମଧ୍ୟ କରିପାରୁନାହାନ୍ତି। ଭୁବନେଶ୍ବରରେ ଥିବା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଗତ ତିନି ବର୍ଷ‌ର ପରୀକ୍ଷା ଫଳ ଅନୁଧ୍ୟାନ କଲେ ଏଭଳି ତଥ୍ୟ ସାମନାକୁ ଆସୁଛି। ବିଜେବି, ରମାଦେବୀ, ବେସିକ୍‌ ସାଇନ୍ସ, ରାଜଧାନୀ, ମହର୍ଷି ଭଳି କଲେଜରେ ପଢ଼ୁଥିବା ଶତାଧିକ ମେଧାବୀ ଛାତ୍ରଛାତ୍ରୀ  ଯୁକ୍ତ ୨ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି।

Advertisment

 ଚଳିତବର୍ଷ ପରୀକ୍ଷାଫଳ ପ୍ରକ‌ାଶ ପାଇଥିବା ସମସ୍ତ ବିଦ୍ୟାର୍ଥୀ ଦୁଇ ବର୍ଷ ତଳେ ସର୍ବନିମ୍ନ କଟ୍‌-ଅଫ୍‌-ମାର୍କ ଯେତିକି ରହିଥିଲା, ତା’ଠାରୁ ଅଧିକ ନମ୍ବର ରଖି କଲେଜରେ ନାମ ଲେଖାଇଥିଲେ। ବିଜେବି ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଥା ଦେଖିଲେ, ସାଧାରଣ ବର୍ଗର କଳାରେ ୭୫.୩୩%, ବିଜ୍ଞାନ ୮୯%, ବାଣିଜ୍ୟରେ ୭୩% କଟ୍‌-ଅଫ୍‌-ମାର୍କ ରହିଥିଲା। ଅର୍ଥାତ୍‌ ଏହି ମାର୍କଠାରୁ ଅଧିକ ନମ୍ବର ରଖିଥିବା ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇଥିଲେ। ଫଳ ବାହାରିଲା ବେଳକୁ ବିଜ୍ଞାନରେ ପରୀକ୍ଷା ଦେଇଥିବା ୫୩୦ଜଣଙ୍କ ମଧ୍ୟରୁ ୪୯୦ଜଣ ପାସ୍‌ କରିଛନ୍ତି। ଅର୍ଥାତ୍‌ ୪୦ଜଣ ମେଧାବୀ ଦ୍ବାଦଶ ଶ୍ରେଣୀରେ ଫେଲ୍‌ ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୩୭୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ବି ୧୬ ଜଣ ପିଲା ଫେଲ୍‌। କଳାରେ ମଧ୍ୟ ୪୮୧ଜଣଙ୍କ ମଧ୍ୟରୁ ୪୭୦ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୧୧ଜଣ ଫେଲ୍‌ ହୋଇଛନ୍ତି।

ସେହିପରି ବେସିକ୍‌ ସାଇନ୍ସ କଲେଜରେ, ସାଧାରଣ ବର୍ଗରେ ୮୫.୮୩%ରୁ ଅଧିକ ନମ୍ବର ରଖି ଏଠାରେ ନାମ ଲେଖାଇ ପରୀକ୍ଷା ଦେଇଥିବା ୩୭୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୫୪ଜଣ ପାସ୍‌ କରିଛନ୍ତି। ୨୧ଜଣ ଫେଲ୍‌। ରମାଦେବୀ ମହିଳା ମହିଳା ଉଚ୍ଚବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। କଳାରେ ୭୪% ଓ ବିଜ୍ଞାନରେ ୮୪.୩୩%ରୁ ଅଧିକ ନମ୍ବର ରଖିଥିବା ପିଲା ଏଠାରେ ନାମ ଲେଖାଇଥିଲେ। ହେଲେ କଳାରେ ପରୀକ୍ଷା ଦେଇଥିବା ୪୯୬ ପିଲାଙ୍କ ମଧ୍ୟରୁ ୨୭ଜଣ ଫେଲ୍‌ ହୋଇଛନ୍ତି। ବିଜ୍ଞାନରେ ୪୨୮ ପିଲାଙ୍କ ମଧ୍ୟରୁ ୭୧ ଜଣ ଫେଲ୍‌ ହୋଇଛନ୍ତି। ରାଜଧାନୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ କଳାରେ ୭୨%, ବିଜ୍ଞାନରେ ୮୨.୧୭%, ବାଣିଜ୍ୟରେ ୭୦%ରୁ ଅଧିକ ନମ୍ବର ରଖିଥିବା ସାଧାରଣବର୍ଗର ପିଲାମାନେ ନାମ ଲେଖାଇଥିଲେ। ଦ୍ବାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୪୧୮ଜଣ ପରୀକ୍ଷା ଦେଇଥିବା ବେଳେ ୮୦ ଜଣ ଫେଲ୍‌ ହୋଇଛନ୍ତି। ବାଣିଜ୍ୟରେ ୧୨୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬ ଜଣ ଫେଲ୍‌ ହୋଇଛନ୍ତି। ମହର୍ଷି କଲେଜରେ ମେଧାବୀ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ ମଧ୍ୟ କେହି ଜଣେ ବି ୯୦% ମାର୍କ ରଖିବାରେ ସକ୍ଷମ ହୋଇପାରିନାହାନ୍ତି। ବହୁସଂଖ୍ୟକ ଛାତ୍ରଛାତ୍ରୀ ଫେଲ୍‌ ହୋଇଛନ୍ତି। ଏହାବ୍ୟତୀତ ସିଟି ଓମେନ୍ସ କଲେଜ, ଦେବରାୟ କଲେଜ, କମଳା ନେହରୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବିଜୁ ପଟ୍ଟନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଲ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀ ଏକାଦଶରେ ନାମ ଲେଖାଇଥିଲେ ମଧ୍ୟ ଦ୍ବାଦଶରେ ଫେଲ ହୋଇଥିବା ନଜରକୁ ଆସିଛି। ଭୁବନେଶ୍ବରର ଏକ ନାମକରା କଲେଜର ଅଧ୍ୟକ୍ଷ କହିଛନ୍ତି ଯେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ପରେ କମ୍‌ କଟ୍‌-ଅଫ୍‌-ମାର୍କରେ ଏସ୍‌ସି ଓ ଏସ୍‌ଟି ବର୍ଗର ପିଲାଙ୍କୁ ସିଟ୍‌ ମିଳିଯାଉଛି। ନାମ ଲେଖାଉଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ସେମାନେ ପାଠପଢ଼ା ପ୍ରତି ସେତେଟା ଆଗ୍ରହ ଦେଖାଉ ନାହାନ୍ତି। କ୍ଲାସ୍‌ରେ ଅନୁପସ୍ଥିତ ରହୁଛନ୍ତି। ଯେଉଁଥିପାଇଁ ଏଭଳି ଫଳ ହେଉଛି।