ପ୍ରସ୍ତାବିତ ଆୟୁଷ ହସ୍ପିଟାଲର କାମ ଆରମ୍ଭ କେବେ?

ବାଲେଶ୍ବର: ବାଲେଶ୍ବର ହେବ ଉତ୍ତର ଓଡ଼ିଶାର ହେଲ୍‌ଥ ହବ୍‌। ଏମ୍ସ ସାଟେଲାଇଟ୍‌ ସେଣ୍ଟର, ବାଲେଶ୍ବର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ଏଠାରେ ପ୍ରତିଷ୍ଠା ହେବ ୫୦ ଶଯ୍ୟାବିଶିଷ୍ଟ ସମନ୍ବିତ ଆୟୁଷ ହସ୍ପିଟାଲ। ତେବେ ଦୀର୍ଘ ପ୍ରତୀକ୍ଷା ପରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଏମ୍ସ ସାଟେଲାଇଟ୍‌ ସେଣ୍ଟରର ଓପିଡି ସେବା ଆରମ୍ଭ ହୋଇଥିବା ବେଳେ ଆୟୁଷ ହସ୍ପିଟାଲ ପ୍ରକଳ୍ପର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ଇଟାଖଣ୍ଡେ ବି ପଡ଼ି ପାରିନାହିଁ। ଜିଲ୍ଲାରେ ନିର୍ବାଚିତ ଲୋକପ୍ରତିନିଧିଙ୍କ ସ୍ଥାଣୁତା ଓ ପ୍ରଶାସନିକ ଉଦାସୀନତା କାରଣରୁ ଦୀର୍ଘ ୭ ବର୍ଷ ହେଲା ଏହି ୧୨କୋଟି ଟଙ୍କାର ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଥିବା ଅଭିଯୋଗ ହୋଇଛି।

୨୦୧୫ ମସିହାରେ ବାଲେଶ୍ବର ଜିଲ୍ଲା‌େର ଏହି ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍‌ପିଟାଲ ପ୍ରତିଷ୍ଠା କରାଯିବା ପାଇଁ ଘୋଷଣା କରାଯାଇ କେବଳ ଜାଗା ଚିହ୍ନଟ ଓ ଅର୍ଥ ଅନୁମୋଦନ ପାଇଁ ୩ ବର୍ଷ ଲାଗିଗଲା। ଏହାପରେ  ୨୦୧୮ ମସିହାରେ କେନ୍ଦ୍ର ସରକାର ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୧ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଥିଲେ। ଏହି ଅର୍ଥରେ ରେମୁଣା ବ୍ଲକ ଅଚ୍ୟୁତପୁର ଠାରେ ୫ ଏକର ଜାଗା ଚିହ୍ନଟ ହୋଇ ପାଚେରି ନିର୍ମାଣ କରାଯାଇଛି। ଏହାପରେ ଆୟୁଷ ମନ୍ତ୍ରାଳୟର ଚିଠି ମୁତାବକ ହସ୍ପିଟାଲ ବିଲ୍ଡିଂ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ ବିଭାଗ ଜରିଆରେ ୧୨ କୋଟି ୫୪ ଲକ୍ଷ ଟଙ୍କାର ଏକ ଏଷ୍ଟିମେଟ୍‌ ପ୍ରସ୍ତୁତ କରି ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟକୁ ପଠାଯାଇଥିଲା। ହେଲେ ସେଠାରେ ଏହି ଫାଇଲର ଏବେ ଷ୍ଟାଟସ୍‌ କଣ, ଆଗକୁ ଯାଇଛି କି ସେମିତି ନିର୍ଦ୍ଦେଶକଙ୍କ ଟେବୁଲରେ ପଡ଼ିରହିଛି ସେନେଇ ଏପଟେ କାହାରି ପାଖରେ ଖବର ନାହିଁ।

ଜିଲ୍ଲା ଆୟୁର୍ବେଦ ମେଡିକାଲ ଅଧିକାରୀ ଡାକ୍ତର ହରିଶ କୁମାର ପାଣିଗ୍ରାହୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ଉକ୍ତ ଫାଇଲ ଏଠାରୁ ଯିବାପରେ ନିର୍ଦ୍ଦେଶକଙ୍କ ନୁମୋଦନ ପାଇଁ ଅପେକ୍ଷା କରାଯାଇଛି। କିନ୍ତୁ ତାହା କାହିଁକି ବିଳମ୍ବ ହେଉଛି ସେ ସମ୍ପର୍କରେ ଜାଣିନଥିବା ଡାକ୍ତର ପାଣିଗ୍ରାହୀ କହିଛନ୍ତି। ସବୁଠୁ ଦୁଃଖ ଓ ପରିତାପର ବିଷୟ ବାଲେଶ୍ବର ଜିଲ୍ଲାର ନିର୍ବାଚିତ ସାଂସଦ ଓ ବିଧାୟକମାନେ ବି ଏନେଇ କେବେ ସଂସଦ କିମ୍ବା ବିଧାନସଭାରେ ସ୍ବର ଉଠାଉନାହାନ୍ତି। ଗୋଟିଏ ପଟେ ରାଜନୈତିକ ସ୍ଥାଣୁତା ଓ ଅନ୍ୟପଟେ ପ୍ରଶାସନିକ ଉଦାସୀନତା କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟବନ୍ଧ ଆରମ୍ଭରେ ବିଳମ୍ବ ଘଟୁଛି। ସେପଟେ ଏନେଇ ବାଲେଶ୍ବର ଜିଲ୍ଲାର ବିଭିନ୍ନ ମହଲ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଲେଣି।

ସୂଚନାଥାଉକି, ରାଜ୍ୟରେ ୩ଟି ଜିଲ୍ଲା ଢେଙ୍କାନାଳ, ଗଞ୍ଜାମ ଓ ବାଲେଶ୍ବରରେ ୫୦ ଶଯ୍ୟାବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ୨୦୧୫ ମସିହାରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରତି ହସ୍ପିଟାଲ ପିଛା ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିପାଇଁ ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଓ ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ ବୋଲି କୁହାଯାଇଥିଲା।  ତେବେ ନିକଟ ଅତୀତରେ ଢେଙ୍କାନାଳ ଜିଲ୍ଲାରେ ଏହାର ଲୋକର୍ପଣ ସରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୯୦ ପ୍ରତିଶତ କାମ ସରିସାରିଛି। ବାଲେଶ୍ବରରେ ଏହି ହସ୍ପିଟାଲ କାର୍ଯ୍ୟକାରୀ ହେଲେ ବାଲେଶ୍ବର ସମେତ ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ଏପରିକି ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ଜନସାଧାରଣ ଉପକୃତ ହେବେ। ଗୋଟିଏ ଛାତ ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଓ ହୋମିଓପ୍ୟାଥିକ୍‌ ଚିକିତ୍ସା ସୁବିଧା ରୋଗୀମାନେ ପାଇପାରିବେ।

ସମ୍ବନ୍ଧିତ ଖବର