‘ମୁଁ କଲେଜ ଆସିଲେ ଅଧିକ ଯୁବକ ହୋଇଯାଏ’

ବଲାଙ୍ଗୀର : ବହୁଚର୍ଚ୍ଚିତ ଗୋବିନ୍ଦ ସାହୁ ଦ୍ୱାରା ପ୍ରତିଷ୍ଠିତ ମହାଲିଙ୍ଗ ସ୍କୁଲ ଓ କଲେଜକୁ ଅନେକ ନେତା ମନ୍ତ୍ରୀଙ୍କ ଗସ୍ତ ହେଉଥିଲା। ସବା ଆଗରେ ଥିଲେ ଓ ବାରବାର ଆସୁଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏକ କାର୍ଯ୍ୟକ୍ରମରେ ସେ ବକ୍ତବ୍ୟ ଦେଇ କହିଥିଲେ, ‘ଆଜି ସମୟ ଅଭାବ ପାଇଁ ଟିକିଏ ତରବରିଆ ଭାବରେ କହିଦେଉଛି। ନହେଲେ ଏ କଲେଜରେ ମୁଁ ଘଣ୍ଟା ଘଣ୍ଟା ଆସିକି ବସେ। ମୁଁ ଯେତେବେଳେ ଛାତ୍ରଛାତ୍ରୀଙ୍କ ଗହଣକୁ ଆସେ, ମୋତେ ମୋ କଲେଜ ସମୟ ମନେପଡ଼ିଯାଏ। ମୁଁ ଅଧିକ ଟିକିଏ ଯୁବକ ହୋଇଯାଏ। ଏ କଲେଜର ପ୍ରତିଷ୍ଠାତା ଗୋବିନ୍ଦ ସାହୁ ୫ବର୍ଷ ଭିତରେ ଯାହା କରିଛନ୍ତି, ତାହା ପ୍ରଶଂସନୀୟ। ’ଯାହାକି ଏବେ ସୋସିଆଲ ମିଡିଆରୁ ନେଇ ସାରା ରାଜ୍ୟରେ ଭାଇରାଲ।

ଏହି ବକ୍ତବ୍ୟକୁ ନେଇ ବିରୋଧୀମାନେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର କ’ଣପାଇଁ ଏମିତି ବକ୍ତବ୍ୟ କଲେଜରେ ଦେଇଥିଲେ? କଲେଜ ପଶୁପଶୁ ମନ୍ଦିରରୁ ନେଇ ଅନ୍ୟ କ୍ଲାସ୍‌ରୁମ୍‌ ପର୍ଯ୍ୟନ୍ତ ଉଦ୍‌ଘାଟନ ଓ ଶିଳାନ୍ୟାସ ଫଳକଗୁଡ଼ିକରେ ମନ୍ତ୍ରୀଙ୍କ ନାଁ। ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏଥିସହିତ, ବିରୋଧୀ ଆଉ ଏକ ସଂଗିନ ଅଭିଯୋଗ ଆଣିଛନ୍ତି। ନିର୍ବାଚନ ସମୟରେ  ମନ୍ତ୍ରୀ ଦିବ୍ୟଶଙ୍କର ଦେଇଥିବା ଆଫିଡେଫିଟ୍‌ରେ ତାଙ୍କ ପତ୍ନୀ ନଥିବା ଉଲ୍ଲେଖ କରିଛନ୍ତି। ପତ୍ନୀ ନ ଥିବାବେଳେ ଏଭଳି ବକ୍ତବ୍ୟ ଓ କଲେଜକୁ ବାରବାର ଯାଇ ଗେଷ୍ଟହାଉସରେ ଘଣ୍ଟା ଘଣ୍ଟା ରହିବା ପଛର ରହସ୍ୟ କ’ଣ ବୋଲି ବିଜେପି ନେତା, କର୍ମୀ ପ୍ରଶ୍ନ ଉଠାଇ ନାନା ଅଭିଯୋଗ ଆଣିଛନ୍ତି। ସାରାରାଜ୍ୟରେ ଆନ୍ଦୋଳନ ଦାନା ବାନ୍ଧିଥିବାବେଳେ ମନ୍ତ୍ରୀ ଏବେ ଏହି ମାମଲାରେ ବିବାଦ ଘେରକୁ ଟାଣି ହୋଇଛନ୍ତି।

ଅନ୍ୟପଟେ କଲେଜର ଲେଡିଜ ହଷ୍ଟେଲରୁ ଗେଷ୍ଟହାଉସକୁ ଯିବାକୁ ଏକ ଛୋଟିଆ ଗେଟ୍‌ ସେଠାରେ ରହିଛି। ହଷ୍ଟେଲରୁ ଗେଷ୍ଟହାଉସକୁ ସାମାନ୍ୟ ମାତ୍ର ରାସ୍ତା। ଯଦି ହଷ୍ଟେଲରେ ବାଡ଼ ଦିଆଯାଇଥିଲା, ତା’ହେଲେ କାହିଁକି ବାଡ଼ ମଝିରେ ସେଠାରେ ଏକ ଛୋଟିଆ ଗେଟ୍‌ ଲଗାଯାଇଥିଲା? ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ହଷ୍ଟେଲରୁ ଗେଷ୍ଟହାଉସକୁ ଯିବା ପାଇଁ ରାସ୍ତା ଛଡ଼ାଯାଇଥିବା ଅନୁମାନ କରାଯାଉଛି। ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଅଂଚଳର ଜଣେ ଜଣାଶୁଣା ଠିକାଦାର। ଯାହା ଉନ୍ନୟନ କାମ ମହାଲିଙ୍ଗ ଅଂଚଳରେ ହେଉଥିଲା ପ୍ରାୟତଃ ସବୁ କାମ ସେ କରୁଥିଲେ। ରାସ୍ତାଘାଟରୁ ନେଇ ଖେଳପଡ଼ିଆ, ହାଇସ୍କୁଲ ଉନ୍ନତୀକରଣ କାମ ଗୋବିନ୍ଦ ଠିକାରେ ନେଇ କରୁଥିଲେ। ନେତାଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିଲା। ଆଉ ମନ୍ତ୍ରୀ ଦିବ୍ୟଶଙ୍କର ଯାଇ ଘଣ୍ଟା ଘଣ୍ଟା ଗେଷ୍ଟହାଉସରେ ରହୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର