ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ‌ କି ସରକାର ? ଏମିତି କହିଲେ ୮୦ ବର୍ଷୀୟା ନିରାଶ୍ରୟା ହୀରାବତୀ

ସୁନ୍ଦରଗଡ଼: ‘ମୋତେ ତ ଏବେ ୮୦ ଛୁଇଁଲାଣି। କୁଡ଼ିଆରେ ରହୁଛି, କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ମୋ ନାଁ ନାହିଁ। ଯମ ମତେ ହାତ ଠାରି ଡାକିଲାଣି। ମୁଁ ମଲେ ମୋ ସମାଧି ପାଇଁ ଆବାସ ଦେବେ କି ସରକାର!’

ଏହା କହିଛନ୍ତି ସୁନ୍ଦରଗଡ଼ ସଦର ବ୍ଲକ୍‌ କିରେଇ ପଞ୍ଚାୟତ ଅନ୍ତର୍ଗତ କିରେଇ ଗାଁର ବୃଦ୍ଧା ହୀରାବତୀ ଗର୍ଡ଼ିଆ। ଆବାସ ଖଣ୍ଡିକ ପାଇଁ ଗୁହାରି କରି ଥକିପଡ଼ିବା ପରେ ତାଙ୍କ ମୁହଁରୁ ଏହି କ୍ଷୋଭୋକ୍ତି ବାହାରିଛି। ୮୦ ବର୍ଷର ଏହି ନିରାଶ୍ରୟା ବୃଦ୍ଧା ହୀରାବତୀ ଭଙ୍ଗା କୁଡ଼ିଆ ଘରେ ଜୀବନ କାଟୁଛନ୍ତି। ସରକାରୀ ଭତ୍ତା ଓ ଚାଉଳକୁ ଭରସା କରି ପଡ଼ିରହିଛନ୍ତି। ହେଲେ, ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ନଁାକୁ ଆବାସ ତାଲିକାରୁ ବାଦ୍‌ ଦିଆଯାଇଛି।

ଯେଉଁଥିପାଇଁ ସେ ‌ଅତ୍ୟନ୍ତ କ୍ଷୋଭର ସହିତ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। କେବଳ ହୀରାବତୀ ନୁହନ୍ତି, କିରେଇ ଗାଁର ରାଧାମଣି ସିଂ, ମଂଜୁଲତା ନାଏକ, ସୁଭଦ୍ରା ପ୍ରଧାନ, ସୁରେଖା ସିଂ, ରିଙ୍କି ସିଂ, ନଳିନୀ ନାଏକ, ପଦ୍ମା ଜାମତୋଲିଆ, ରେବତୀ ନାଏକ, ଗୀତା ନାଏକ ଓ ବିଧବା ଏକ୍କା ପ୍ରମୁଖ ଝାଟିମାଟିର କୁଡ଼ିଆରେ ରହୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ପାଇବାକୁ ଯୋଗ୍ୟ ବିବେଚିତ ହୋଇନାହାନ୍ତି। ସେମାନେ ସମସ୍ତେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଅଭିଯୋଗ କରିଥିଲେ। ସେମାନଙ୍କ ଦୁଃଖ କାହାଣୀ ଓ କ୍ଷୋଭରେ ପରିବେଶ ଓଦା ହୋଇ ଯାଇଥିଲା। କିନ୍ତୁ, ଯୋଜନାରେ ନୂଆ ନାଁ ଯୋଡ଼ିବା ବ୍ୟବସ୍ଥା ନଥିବା ଓ କେବଳ ଅଭିଯୋଗକ୍ରମେ ଅଯୋଗ୍ୟଙ୍କ ନାଁ କାଟିବା ବ୍ୟବସ୍ଥା ଥିବାରୁ ପ୍ରଶାସନ ହାତ ଟେକି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର