ନିଶାମୁକ୍ତ କ୍ୟାମ୍ପସ କେବେ? କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ

ନିଶାସେବନ କରି ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ, ରକ୍ତଦାନ ଓ ସବୁଜ କ୍ୟାମ୍ପସ ଉପରେ ଗୁରୁତ୍ବ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ଏବେ ସୁଦ୍ଧା ତମାଖୁମୁକ୍ତ ହୋଇପାରି ନାହିଁ। ସବୁଠି ବେଧଡ଼କ ଭାବେ ନିଶା ସେବନ ଚାଲିଛି। ପ୍ରଫେସରଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତେ ନିଶା କବଳରେ ପଡ଼ୁଛନ୍ତି। ଆଗରୁ ଛାତ୍ରଛାତ୍ରୀ ତମାଖୁ ଓ ମଦ୍ୟପାନ ପରି ନିଶା ସହ ଅଭ୍ୟସ୍ତ ହେଉଥିଲେ। ମାତ୍ର ଏବେ ଡ୍ରଗ୍ସ ମୋହରେ ବି ପଡ଼ିଲେଣି। ବହୁ ଯୁବପିଢ଼ି ଏଭଳି ଖରାପ ରାସ୍ତାକୁ ଯିବା ଦ୍ବାରା କ୍ୟାମ୍ପସରେ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ସମୀକ୍ଷା ବୈଠକ କରାଯାଇ ବ୍ୟାପକ ଆଲୋଚନା ହେଉଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ। ଯେଉଁଥିପାଇଁ ‌ଏବେ ପୁଣିଥରେ କ୍ୟାମ୍ପସକୁ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗ ଅଧୀନରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇନ ଅନୁଯାୟୀ କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରାଯିବ। କୋଟପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ୍‌ଲାଇନ୍‌ର ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି। ଏ କ୍ଷେତ୍ରରେ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ୧୫ ଦିନ କିମ୍ବା ମାସକୁ ଅତିକମ୍‌ରେ ଥରେ ସଚେତନତା କାର୍ଯ୍ୟକ୍ରମ କରିବେ। ହଷ୍ଟେଲରେ ଏଭଳି କାର୍ଯ୍ୟକ୍ରମ କରିବା ଉପରେ ଅଧିକ ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ଥାନୀୟ ଡାକ୍ତର, ସାମାଜିକ କର୍ମୀଙ୍କୁ ଡାକି କାର୍ଯ୍ୟକ୍ରମ କରିବେ। ଯଦି ସମ୍ଭବ ହୁଏ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନ କବଳରୁ ମୁକ୍ତ ହୋଇଥିବା ବ୍ୟକ୍ତିବି‌ଶେଷଙ୍କୁ ସଚେତନତା କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରି ସେମାନେ କିଭଳି ନିଶା କବଳରୁ ମୁକ୍ତ ହେଲେ ସେସମ୍ପର୍କରେ ପିଲାଙ୍କୁ ଅବଗତ କରାଇବେ। ପୋଷ୍ଟର/ସ୍ଲୋଗାନ/କୁଇଜ୍‌/ବକ୍ତୃତା ପରି ପ୍ରତିଯୋଗିତା, ଲିଫଲେଟ୍‌, ପାମ୍ପଲେଟ୍‌, ପୋଷ୍ଟର, ବ୍ୟାନର ମାଧ୍ୟମରେ ନିଶା ସେବନର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ନିଶାମୁକ୍ତ କ୍ୟାମ୍ପସର ସାଇନ୍‌ଏଜ୍‌ ବିଭନ୍ନ ସ୍ଥାନରେ ଲଗାଇବେ। ଯଦି କୌଣସି ଛାତ୍ରଛାତ୍ରୀ ଏଭଳି ବଦଭ୍ୟାସ ଛାଡ଼ିବାକୁ ଛାହୁଛନ୍ତି, ତେବେ ସେମାନଙ୍କ ଲାଗି କାଉନସେଲିଂ କରିବା ଦିଗରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ।

ଶିକ୍ଷାନୁଷ୍ଠାନରେ ରକ୍ତଦାନ ଓ ସବୁଜ କ୍ୟାମ୍ପସକୁ ପୋତ୍ସାହିତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି। କୁହାଯାଇଛି ଯେ ରକ୍ତଦାନ ଏକ ମହତ୍‌ କାର୍ଯ୍ୟ। ଏଥିରେ ଛାତ୍ରଛାତ୍ରୀ ସାମିଲ ହେବାକୁ ଏନ୍‌ଏସ୍‌ଏସ୍‌ ସଦସ୍ୟମାନେ ପ୍ରଚାରପତ୍ର ମାଧ୍ୟମରେ ଉତ୍ସାହିତ କରିବେ। ସ୍ଥାନୀୟ ବ୍ଲଡ୍‌ବ୍ୟାଙ୍କ ସହାୟତାରେ କ୍ୟାମ୍ପସ କିମ୍ବା ସୁବିଧା ଥିବା ଅନ୍ୟ କୌଣସି ସ୍ଥାନରେ ରକ୍ତଦାନ କ୍ୟାମ୍ପ କରିପାରିବେ। ସ୍ବଚ୍ଛ ଓ ସବୁଜ କ୍ୟାମ୍ପସରେ ପରିଣତ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର