ଯୁକ୍ତ୨ ପାଇଁ ନାମଲେଖା କେବେ? ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶକୁ ୪୦ ଦିନ ବିତିଲାଣି

ନିୟମାବଳୀ ଜାରି କରି ବସିପଡ଼ିଛି ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟ

ଭୁବନେଶ୍ବର : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପରେ ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୪ ଦିନ ଧରି ଲଗାତାର ଭାବେ ୩ଟି ବୈଠକ କରାଯାଇ କେଉଁ ପଦ୍ଧତିରେ ନାମଲେଖା କରାଯିବ, ସେନେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ପ୍ରତିଥର ପରି ଏଥର ମଧ୍ୟ ସାମ୍‌ସ ପୋର୍ଟାଲ ମାଧ୍ୟମରେ କେବଳ ଅନ୍‌ଲାଇନ୍‌ରେ ନାମଲେଖା ହେବ। ଅଫ୍‌ଲାଇନ୍‌ ମୋଡ୍‌ରେ ନାମଲେଖାକୁ ନିଷିଦ୍ଧ କରାଯାଇଛି। ଇ-ନାମଲେଖା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇବାକୁ ଆବେଦନକାରୀମାନେ https:/amsodisha.gov.in ୱେବସାଇଟ୍‌ରେ ଉପଲବ୍ଧ ସାଧାରଣ ପ୍ରୋସପେକ୍ଟସ୍‌କୁ ଅନୁକରଣ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ କେବେଠାରୁ ଆବେଦନ ଆରମ୍ଭ ହେବ, ସେନେଇ ବିଭାଗ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନାହିଁ। ତରବରିଆ ଭାବେ ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପରେ ୪୦ ଦିନ ହେଲା ନାମଲେଖା ଲାଗି କୃତୀ ଛାତ୍ରଛାତ୍ରୀ ଅପେକ୍ଷାରତ ରହିଛନ୍ତି। ନାମଲେଖା ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ହେଉଥିବରୁ ଛାତ୍ରଛାତ୍ରୀ କେଉଁ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଭ କରିବେ, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଗୋଟିଏ ପଟେ ଆଇଟିଆଇ, ଡିପ୍ଲୋମା, ପଲିଟେକ୍‌ନିକ୍‌ କଲେଜରେ ନାମଲେଖା ପାଇଁ ଆବେଦନ ଚାଲିଥିବା ବେଳେ ଯୁକ୍ତ୨ ପାଇଁ ଏପର୍ଯ୍ୟନ୍ତ ଆରମ୍ଭ ନ ହେବା ନେଇ ଶିକ୍ଷାବିତ୍‌ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

ନାମଲେଖା ପାଇଁ ଆବେଦନ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିୟମାବଳୀ ଜାରି କରିଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଆବେଦନ ପୂର୍ବରୁ ଛାତ୍ରଛାତ୍ରୀ ଗତବର୍ଷର କଟ୍‌ ଅଫ୍‌ ମାର୍କ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପସନ୍ଦ ବିକଳ୍ପ ଚୟନ କରିବା ବେଳେ ସେମାନେ ରଖିଥିବା ମାର୍କ ପ୍ରତିଶତକୁ ନଜର ଦେବା ଆବଶ୍ୟକ। ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ମୋବାଇଲ୍‌ ନମ୍ବରକୁ ସାମ୍‌ସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ କେବଳ ନିଜର ମୋବାଇଲ ନମ୍ବରକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି। ସାମ୍‌ସ ବ୍ୟତୀତ ଅନ୍ୟ କୌଣସି ପଦ୍ଧତିରେ ନାମ ଲେଖାଇଥିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ପରୀକ୍ଷାରେ ଉପସ୍ଥିତ ହେବାକୁ ଅନୁମତି ଦିଆଯିବ ନାହିଁ। ଗଣିତରେ ଫେଲ୍‌ ହୋଇଥିବା କିମ୍ବା ହାଇସ୍କୁଲସ୍ତରରେ ଗଣିତ ବିଷୟ ବସ୍ତୁ ନଥିବା ପ୍ରାର୍ଥୀମାନେ ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗ ପାଇଁ ଆବେଦନ କରିପାରିବେ ନାହିଁ। ସେମାନେ କେବଳ କଳା ଓ ସଂସ୍କୃତ ପାଇଁ ଯୋଗ୍ୟ ହେବେ ବୋଲି ନିର୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର