ଜନ୍ମରୁ ଦୁଃଖିନୀ ଟୁନୁଙ୍କୁ ସରକାରୀ ସହାୟତା କେବେ?

ପ୍ରତାପୁର: ଦୃଷ୍ଟିହୀନ ଟୁନୁଙ୍କ ଦୁଃଖ ଯେମତି ସରୁନି। ବସୟ ୨୫ ଟପିଲାଣି ଓ ସେ ଅବିବାହିତା। ଜନ୍ମରୁ ଅନ୍ଧ ହୋଇଥିବା କାରଣରୁ ପାଠ ପଢ଼ି ନଥିବା ବେଳେ ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଜୀବନ ଦୁର୍ବିଷହ ହୋଇ ପଡ଼ିଛି। ସବୁଠାରୁ ବଡ଼ କଥା ହେଉଛି ଦିବ୍ୟାଙ୍ଗ ହୋଇଥିଲେ ହେଁ ତାଙ୍କୁ କୌଣସି ବି ସରକାରୀ ସହାୟତା ମିଳିପାରିନାହିଁ। ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତ ପାଟରାପଲ୍ଲୀ ଗାଁର ରାମ ନାଇକ ଓ ବିଳାସଙ୍କ ଝିଅ ହେଉଛନ୍ତି ଟୁନୁ। ଶିକ୍ଷାଗତ ଯୋଗ୍ୟତା ଶୂନ ହୋଇଥିବା ବେଳେ ଆଖିକୁ ଦେଖାଯାଉ ନଥିବାରୁ ତାଙ୍କର ଆଧାରକାର୍ଡ଼ଟିଏ ହୋଇପାରୁନି। ଏହାସହ କୌଣସି ପ୍ରମାଣପତ୍ର ନାହିଁ। ଫଳରେ ଟୁନୁ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।

ଝିଅର ଏଭଳି ସ୍ଥିତି ପାଇଁ ବାପାମା’ଙ୍କ ଆଖିରୁ ବି ଲୁହ ଶୁଖୁନି। ବାପା ରାମ ମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହେଉଛି। ସେ ରାଜ୍ୟ ବାହାରେ ଦାଦନ ଖଟୁଥିବା ବେଳେ ତିନିବର୍ଷ ତଳେ ଫେରିଆସିଛନ୍ତି। ଅନ୍ୟ ୩ ପୁଅ ଓ ଚାରି ଝିଅ ବିବାହ ପରେ ସପରିବାର ଅନ୍ୟତ୍ର ରହୁଛନ୍ତି। ଫଳରେ ଦୃଷ୍ଟିହୀନ ଝିଅକୁ ନେଇ ରାମ ଓ ବିଳାସ ଭଙ୍ଗାଦଦରା ଘରେ ଦୁଃଖରେ ଦିନ କାଟୁଛନ୍ତି। ସରକାରୀ ସହାୟତା ଭାବେ ରାସନକାର୍ଡ଼ କି ଆବାସଟିଏ ମଧ୍ୟ ସେମାନଙ୍କ ପାଇଁ କେହି କରାଇ ଦେଇନାହାନ୍ତି। ରାମ ଏନେଇ ବହୁ ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ହେଁ କୌଣସି ଫଳ ମିଳିପାରି ନାହିଁ। ତେବେ ଦାଦନ ପାଇଁ ରାମ ଗତ ୩ ବର୍ଷ ହେବ ବାହାରକୁ ଚାଲିଯାଇ ଥିବାରୁ ତାଙ୍କୁ କୌଣସି ସରକାରୀ ସୁବିଧା ପ୍ରଦାନ କରାଯାଇ ପାରିନଥିବା ପଞ୍ଚାୟତ କର୍ତ୍ତୃପକ୍ଷ କହିଛନ୍ତି। ଟୁନୁଙ୍କ ପାଇଁ ଦିବ୍ୟାଙ୍ଗ ଭତ୍ତାଟିଏ କରିଦେଲେ ସେ ଖୁସିରେ ଚଳିପାରନ୍ତେ ବୋଲି ରାମ କହିଛନ୍ତି।

ସମ୍ବନ୍ଧିତ ଖବର