ଅନ୍ତ ହେଉନି କେନ୍ଦ୍ର ଅବହେଳା! ରାଉରକେଲା ବିମାନବନ୍ଦରରେ ଆଇଏଲ୍‌ଏସ୍‌ କେବେ?

ରାଉରକେଲା: ଦୀର୍ଘ ଦାବିପରେ ରାଉରକେଲା ବିମାନ ସେବା ପାଇଲା। ଗତ ଜାନୁଆରି ୭ ତାରିଖରେ ଭୁବନେଶ୍ବରରୁ ରାଉରକେଲାକୁ ପ୍ରଥମ ବିମାନ ଆସିଥିଲା। ଏହାପରେ ପାଖାପାଖି ଗୋଟିଏ ମାସ, ସବୁକିଛି ଠିକ୍‌ ଚାଲିଥିଲା। ତେବେ ଏହାପରେ କିନ୍ତୁ ଯାବତୀୟ ସମସ୍ୟା ଆରମ୍ଭ ହୋଇଯାଇଛି। କେତେବେଳେ ବିମାନବନ୍ଦର ଭିତରେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ ସେବାକୁ ବନ୍ଦ କରିଦିଆଯାଇଥିବାବେଳେ କେତେବେଳେ ବିମାନ ଉଡ଼ାଣକୁ ବନ୍ଦ କରିଦିଆଗଲା। ଗତ ସପ୍ତାହରେ ଲଗାତାର ତିନି ଦିନ ପର୍ଯ୍ୟନ୍ତ ରାଉରକେଲାକୁ ବିମାନସେବା ଠପ୍‌ ହୋଇଯାଇଥିଲା। ଆଉ ଏହାର କାରଣ ସାଜିଥିଲା ଖରାପ ପାଣିପାଗ। ପ୍ରକୃତରେ ରାଉରକେଲା ବିମାନବନ୍ଦରରେ ଇନଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ସୁବିଧା ନଥିବାରୁ ଏହା ସମସ୍ୟା ଉପୁଜିଛି। ଆଇଏଲ୍‌ଏସ୍‌ ବ୍ୟବସ୍ଥା ପାଇଁ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ପୂର୍ବରୁ ଏକାଧିକବାର ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)ର ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଏନେଇ ଏଏଆଇ ଆବଶ୍ୟକୀୟ ପଦକ୍ଷେପ ଦେଉନାହାନ୍ତି; ଯଦ୍ବାରା ସହରବାସୀ ପୂର୍ଣ୍ଣକାଳୀନ ବିମାନସେବାରୁ ବଞ୍ଚିତ ହେଉଛନ୍ତି।

ରାଉରକେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ଦିନଠାରୁ ନିୟମିତ ବ୍ୟବଧାନରେ ସମସ୍ୟା ଉପୁଜିବାରେ ଲାଗିଛି। ଗତ ଜାନୁଆରିରେ ଏଠାରେ ଆୟୋଜିତ ପୁରୁଷହକି ବିଶ୍ବକପ୍‌ ସମୟରେ ଯାତ୍ରୀଙ୍କ ପାଇଁ ବିମାନବନ୍ଦର ଭିତରେ ଦୁଇଟି ବସ୍‌ ନିୟୋଜିତ କରାଯାଇଥିଲା। ତେବେ ବିଶ୍ବକପ ଶେଷ ହେବାର ପ୍ରାୟ ସପ୍ତାହପରେ ବସ୍‌କୁ ପ୍ରତ୍ୟାହୃତ କରିନିଆଯାଇଥିଲା। ଏନେଇ ନୂଆ ବିବାଦ ଦେଖାଦେବାରୁ ପରବର୍ତ୍ତୀ ସମୟରେ କାମଚଳା ନୀତି ଆପଣେଇ ବଲେରୋ ନିୟୋଜିତ କରାଯାଇଥିଲା। ଏବେ କିନ୍ତୁ ଖରାପ ପାଣିପାଗ ଯୋଗୁଁ ବିମାନସେବା ବାଧାପ୍ରାପ୍ତ ହେବା, ନୂଆ ବିବାଦକୁ ଆମନ୍ତ୍ରଣ କରିଛି। ଗତ ୧୬ ତାରିଖରୁ ଲଗାତାର ତିନି ଦିନ ରାଉରକେଲାକୁ ବିମାନ ଉଡ଼ାଣ ସମ୍ଭବ ହୋଇପାରିନଥିଲା। ଅବଶ୍ୟ, ଗତ ୧୯ ତାରିଖରୁ ବିମାନସେବା ସ୍ବାଭାବିକ୍‌ ହୋଇଛି। ତେବେ ଯାତ୍ରୀ ସଂଖ୍ୟାରେ ଆଶାତୀତ ହ୍ରାସ ଘଟିଛି। ପୂର୍ବରୁ ପାଖାପାଖି ୭୫/୮୦ ପ୍ରତିଶତ ସିଟ୍‌ ଭର୍ତ୍ତି ହୋଇ ରହୁଥିବାବେଳେ ଏବେ କିନ୍ତୁ ଏହା ୪୦/୫୦ ପ୍ରତିଶତକୁ ଖସିଲାଣି। ବିମାନ ଉଡ଼ାଣ ନେଇ ଅନିୟମିତତା ଲାଗିରହୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏହି ସମସ୍ୟାର ସମାଧାନ ପାଇଁ ଏଠାରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ହେବାର ନିତାନ୍ତ ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଆଇଏଲ୍‌ଏସ୍‌ ପାଇଁ ପାଖାପାଖି ୧୦/୧୨ କୋଟି ବ୍ୟୟ ହେବ। ଏହି ଅର୍ଥମୋଦନ ପାଇଁ ଇତିମଧ୍ୟରେ ଅନେକଥର ଏଏଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି; କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ଏଏଆଇ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଉନାହାନ୍ତି। ଫଳରେ ରାଉରକେଲାରେ ପୂର୍ଣ୍ଣକାଳୀନ ବିମାନସେବା ପାଇଁ କେନ୍ଦ୍ର ସରକାର ଚାହୁଁନଥିବାର ଯେଉଁ ଅଭିଯୋଗ ହେଉଥିଲା; ତାହା ବଳିଷ୍ଠ ହେବାରେ ଲାଗିଛି।

ପ୍ରସ୍ତାବ ଯାଇଛି, ଏଏଆଇ ଚୁପ୍‌
ନିୟମିତ ଉଡ଼ୁନି ବିମାନ

ବର୍ତ୍ତମାନ ଭୁବନେଶ୍ବରରୁ ରାଉରକେଲାକୁ ପ୍ରତ୍ୟହ ଏଟିଆର୍‌-୭୨ ଚାଲୁଛି। ଫେବ୍ରୁଆରି ମାସରୁ ରାଉରକେଲାରୁ କୋଲକୋତାକୁ ବିମାନ ଉଡ଼ାଣ କରାଯିବବୋଲି କେନ୍ଦ୍ରୀୟ ଉଡ୍ଡୟନ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷାଣା କରିଥିଲେ। ଫେବ୍ରୁଆରି ସରି ଏବେ ମାର୍ଚ୍ଚ ମାସ ସରିବା ଉପରେ। କିନ୍ତୁ ଖୋଦ୍‌ ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା ଏବେ ସୁଦ୍ଧା ବାସ୍ତବ ରୂପ ନେଇପାରିନି। ତେବେ ଆଇଏଲ୍‌ଏସ୍‌ ସ୍ଥାପନରେ ଅଯଥା ବିଳମ୍ବ, କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରଥମ ଉଦାହରଣ ନୁହେଁ। ଅତିତରେ ରାଉରକେଲା ବିମାନବନ୍ଦର ସଂପ୍ରସାରଣବେଳେ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ପ୍ରକାଶଥାଉକି, ପୂର୍ବରୁ ଏଠାକାର ରନ୍‌ୱେର ଦୈର୍ଘ୍ୟ ୬୦୬୬ ଫୁଟ୍‌ (୧୮୪୮ ମିଟର) ଥିବାବେଳେ ନିକଟ ଅତିତରେ ଆହୁରି ୬୨୩ ଫୁଟ(୧୯୦ ମିଟର) ସଂପ୍ରସାରଣ କରାଯାଇଥିଲା। ଅର୍ଥାତ୍‌ ଏବେ ରନ୍‌ୱେର ଦୈର୍ଘ୍ୟ ୬୬୮୯ ଫୁଟ ରହିଛି। ଏତିକି ଦୈର୍ଘ୍ୟ ବିଶିଷ୍ଟ ରନ୍‌ୱେରେ କେବଳ ୭୦ ସିଟ୍‌ ବିଶିଷ୍ଟ ଏଟିଆର୍‌-୭୨ ଆଦି ଏୟାରକ୍ରାଫ୍ଟ୍‌ ଉଡ଼ିପାରିବ। ସଂପ୍ରସାରଣବେଳେ ପୂର୍ବ ରନୱେର ୧୩୪୯ ଫୁଟ୍‌କୁ ବାଦ ଦିଆଯାଇଥିଲା।

ଏହାକୁ ବାଦ୍‌ ଦିଆଯାଇନଥିଲେ ଏଠାକାର ରନ୍‌ୱେର ଦୈର୍ଘ୍ୟ ମୋଟ୍‌ ୮୦୩୮ ଫୁଟ୍‌ ବିଶିଷ୍ଟ ହେବାସହ ଏୟାରବସ୍‌, ବୋଇଂ ଆଦି ବିମାନ ସହଜରେ ଅବତରଣ କରିପାରିଥାନ୍ତା। ସେଲ୍‌ ପକ୍ଷରୁ ହସ୍ତାନ୍ତର ହୋଇଥିବା ୧୪୬ ଏକର ଜମିକୁ ମଧ୍ୟ ସଂପ୍ରସାରଣବେଳେ ସାମିଲ କରାଯାଇନଥିଲା। ନିର୍ଦ୍ଦିଷ୍ଟ କେଉଁ କାରଣରୁ ରନ୍‌ୱେର ଦୈର୍ଘ୍ୟ ୬୬୮୯ ଫୁଟରେ ସୀମିତ ରଖାଯାଇଛି, ତାହା ଏବେ ଅସ୍ପଷ୍ଟ। ଏହା ଭିତରେ ସହରବାସୀଙ୍କ ସ୍ବାର୍ଥବିରୋଧୀ ଉଦ୍ଦେଶ୍ୟ ଲୁଚି ରହିଥିବା ଅଭିଯୋଗ ହୁଏ। ରାଉରକେଲା ବିମାନବନ୍ଦରରେ ଆବଶ୍ୟକ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା, ରାତ୍ରୀକାଳୀନ ଅବତରଣ ଓ ଉଡ଼ାଣ ବ୍ୟବସ୍ଥା ଅବସମ୍ଭଭ୍ୟାବୀ ହେଲାଣି। ଏଣୁ ନିୟମିତ ବ୍ୟବଧାନରେ ଉଭାହେଉଥିବା ସମସ୍ୟାର ସମାଧାନ ପୂର୍ବକ ପୂର୍ଣ୍ଣକାର୍ଯ୍ୟକ୍ଷମ ରାଉରକେଲା ବିମାନବନ୍ଦର ସ୍ଥାପନ ହିଁ, ଏକମାତ୍ର ବିକଳ୍ପ।

ସମ୍ବନ୍ଧିତ ଖବର