ଓଡ଼ିଶାରେ ଜେଲ୍ ସଂସ୍କାର କେବେ?

କଏଦୀ ୬ ଘଣ୍ଟା ଖଟିଲେ ମଜୁରୀ ୬୦ ଟଙ୍କା, ଦିଲ୍ଲୀରେ ୩୬୧ ଟଙ୍କା, କର୍ଣ୍ଣାଟକରେ ୨୨୫

କଟକ : ଶ୍ରମ ଆଇନ ଆଧାରରେ ଦିନକୁ ୮ ଘଣ୍ଟା କାମ କରୁଥିବା ଶ୍ରମିକଙ୍କୁ ୩୧୫ରୁ ୪୦୫ ଟଙ୍କା ମଜୁରୀ ପ୍ରଦାନ କରାଯାଉଛି। କିନ୍ତୁ ଓଡ଼ିଶାର ଜେଲରେ ୬ ଘଣ୍ଟା କାମ କରୁଥିବା କଏଦୀଙ୍କୁ ଦିନକୁ ୪୦ରୁ ୬୦ ଟଙ୍କା ମଜୁରୀ ମିଳୁଛି। ଓଡ଼ିଶାର କଏଦୀ ଶ୍ରମ ଆଇନ ଅଧୀନରେ ଆସୁ ନଥିବା କୁହାଯାଉଥିବା ବେଳେ ଦିଲ୍ଲୀରେ କିନ୍ତୁ କଏଦୀଙ୍କୁ ୬ ଘଣ୍ଟା କାମ ପାଇଁ ଦିନକୁ ମଜୁରୀ ମିଳୁଛି ୩୬୧ ଟଙ୍କା। କର୍ଣ୍ଣାଟକ, ତାମିଲନାଡୁ ଭଳି ରାଜ୍ୟରେ ବି କଏଦୀଙ୍କ ଦିନକୁ ମଜୁରୀ ୨ଶହ ଟଙ୍କାରୁ ଅଧିକ ରହିଛି। ପଡେ଼ାଶୀ ବିହାର, ଝାଡ଼ଖଣ୍ତ ଭଳି ରାଜ୍ୟରେ ବି କଏଦୀଙ୍କ ପାରିଶ୍ରମିକ ଢେର‌୍‌ ଅଧିକ। କଏଦୀଙ୍କ ପାରିଶ୍ରମିକରେ ସ˚ସ୍କାର ଆଣିବା ନେଇ ପୂର୍ବରୁ କାରାଗାର ବିଭାଗ ପ୍ରସ୍ତାବ ଦେଇଥିବା ବେଳେ ତାହାକୁ ଚାପି ଦିଆଯାଇ ଥିବା ଅଭିଯୋଗ ହେଉଛି।

ରାଜ୍ୟର ସମସ୍ତ ଜେଲରେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ଚରିତ୍ର ଓ ବ୍ୟବହାରକୁ ସମୀକ୍ଷା କରାଯାଇ ଜେଲ ପରିସରରେ ଟେଲର ୟୁନିଟ, ବୁଣାବୁଣି ୟୁନିଟ, ଫିନାଇଲ ପ୍ରସ୍ତୁତି, ବହି ବନ୍ଧାଇ ଓ ଏନଭଲପ୍‌ ତିଆରି, ଇଟା ପ୍ରସ୍ତୁତି, ସବାଇ ଘାସରେ ଆସବାବପତ୍ର ପ୍ରସ୍ତୁତି, ସୋରିଶ ତେଲ, ଖାଦ୍ୟ ପ୍ରସ୍ତୁତି, ବଗିଚା କାମ ଇତ୍ୟାଦିରେ ନିୟୋଜିତ କରାଯାଉଛି। ଏମାନଙ୍କୁ କୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରେଣୀରେ ବିଭକ୍ତ କରାଯାଇ ପ୍ରୋତ୍ସାହନମୂଳକ ମଜୁରୀ ପ୍ରଦାନ କରାଯାଉଛି। କିନ୍ତୁ ଶ୍ରମ ଆଇନ ଅନୁଯାୟୀ ସେମାନଙ୍କୁ ମଜୁରୀ ପ୍ରଦାନ କରାଯାଉନାହିଁ। ରାଜ୍ୟରେ ୨୦୦୩ ମସିହା ପୂର୍ବରୁ ୩ ଟଙ୍କା ଲେଖାଏ ଦୈନିକ ପ୍ରୋତ୍ସାହନ ରାଶି କଏଦୀଙ୍କୁ ଦିଆଯାଉଥିବା ବେଳେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ୧୨ ଟଙ୍କା ଦିଆଯାଉଥିଲା। ୨୦୧୧ରେ ତାହା ବୃଦ୍ଧି ପାଇ ୪୦ ଟଙ୍କାରେ ପହଞ୍ଚିଥିଲା। ଗଲାବର୍ଷ ଏଥିରେ ସ˚ଶୋଧନ ଅବଶ୍ୟ କରାଗଲା। ୨୦୨୦ ଫେବ୍ରୁଆରି ୧୧ ତାରିଖରେ ହୋଇଥିବା ସଂଶୋଧନରେ ଅଣକୁଶଳୀଙ୍କ ପ୍ରୋତ୍ସାହନ ରାଶି ପୂର୍ବଭଳି ୪୦ ଟଙ୍କା ରହିଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ରାଶି ୪୦ରୁ ୫୦ ଟଙ୍କା ଏବ˚ କୁଶଳୀଙ୍କ ପ୍ରୋତ୍ସାହନ ରାଶି ୪୦ରୁ ୬୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏହି ପ୍ରୋତ୍ସାହନ ରାଶି ଅନ୍ୟ ରାଜ୍ୟ ତୁଳନାରେ ଅତ୍ୟନ୍ତ ଦୟନୀୟ ଥିବା ଦର୍ଶାଇ କାରାଗାର ବିଭାଗ ୨୦୨୦ ଅଗଷ୍ଟ ୨୪ ତାରିଖରେ ଅଣକୁଶଳୀ କଏଦୀଙ୍କୁ ୪୦ରୁ ୮୦ ଟଙ୍କା, ଅର୍ଦ୍ଧ କୁଶଳୀଙ୍କୁ ୫୦ରୁ ୧୦୦ ଟଙ୍କା, କୁଶଳୀଙ୍କ ପାଇଁ ୬୦ରୁ ୧୨୦ ଟଙ୍କା ଯାଏ ବୃଦ୍ଧି କରାଯିବାକୁ ଗୃହ ବିଭାଗକୁ (ଚିଠି ନ˚ ୧୩୨୮୭) ପ୍ରସ୍ତାବ ଦେଇଥିଲା। କିନ୍ତୁ ସରକାର ଏହାକୁ ବିଚାର କରିନାହାନ୍ତି।

Times of India

୨୦୧୯ ସୁଦ୍ଧା ପଡେ଼ାଶୀ ୪ଟି ରାଜ୍ୟର କଏଦୀଙ୍କ ପାରିଶ୍ରମିକ କଥା ଯଦି ଦେଖାଯାଏ ତେବେ ଦୁଇ ଗୁଣରୁ ଅଧିକ ପ୍ରୋତ୍ସାହନ ମୂଳକ ମଜୁରୀ ସେଠାକାର କାରାଗାର ବିଭାଗ ଦୋଷୀ ସାବ୍ୟସ୍ତ କଏଦୀଙ୍କୁ ପ୍ରଦାନ କରୁଛି। ପଡେ଼ାଶୀ ବିହାରରେ କୁଶଳୀଙ୍କୁ ୧୫୬ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୧୧୨ଟଙ୍କା, ଅଣ କୁଶଳୀଙ୍କୁ ୧୦୩ ଟଙ୍କା, ଛତିଶଗଡ଼ରେ କୁଶଳୀଙ୍କୁ ୭୫ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୧୧୨ଟଙ୍କା, ଅଣକୁଶଳୀଙ୍କୁ ୬୦ଟଙ୍କା, ଝାଡଖଣ୍ତରେ କୁଶଳୀଙ୍କୁ ୧୪୪ ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୧୧୩ ଟଙ୍କା, ଅଣକୁଶଳୀଙ୍କୁ ୯୧ ଟଙ୍କା ପ୍ରଦାନ କରାଯାଉଛି। ସେହିପରି ପଶ୍ଚିମବଙ୍ଗରେ କୁଶଳୀଙ୍କୁ ୧୦୦ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୯୦ ଟଙ୍କା ଏବ˚ ଅଣକୁଶଳୀଙ୍କୁ ୮୦ଟଙ୍କା ପ୍ରଦନା କରାଯାଉଛି। ଦିଲ୍ଲୀରେ କୁଶଳୀ କଏଦୀଙ୍କୁ ୩୬୧ ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୩୨୮ ଟଙ୍କା ଓ ଅଣକୁଶଳୀଙ୍କୁ ୨୯୭ ଟଙ୍କା ପ୍ରଦାନ କରାଯାଉଛି। କର୍ଣ୍ଣାଟକରେ ଏହା ଯଥାକ୍ରମେ ୨୨୫, ୨୦୦ ଓ ୧୭୫ ଟଙ୍କା ଥିବା ବେଳେ ତାମିଲନାଡୁରେ ୨୦୦, ୧୮୦ ଓ ୧୬୦ ଟଙ୍କା ରହିଛି। ଯାହାକି ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ଗଲା ଅକ୍ଟୋବର ୧ ତାରିଖରେ ଶ୍ରମ ବିଭାଗ ମଜୁରୀରେ ସ˚ଶୋଧନ କରିଥିଲା। ୮ ଘଣ୍ଟା ପରିଶ୍ରମ କରୁଥିବା ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୩୧୫ ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୩୫୫ ଟଙ୍କା, କୁଶଳୀଙ୍କ ପାଇଁ ୪୦୫ ଟଙ୍କା ପ୍ରଦାନ କରାଯିବାକୁ ଶ୍ରମ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। କିନ୍ତୁ ଜେଲରେ ସକାଳ ୮ଟାରୁ ଦିନ ୧୧ଟା ଏବ˚ ଦିନ ୨ଟାରୁ ୫ ଟା ଯାଏ ୬ ଘଣ୍ଟା କାମ କରୁଥିବା କଏଦୀଙ୍କୁ ତାର କାଣିଚାଏ ବି ମଜୁରି ପ୍ରଦାନ କରାଯାଉନାହିଁ। ଏହାକୁ ନେଇ ରାଜ୍ୟର ୮୮ ଜେଲର ଦୋଷୀ ସାବ୍ୟସ୍ତ କଏଦୀଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। ଯାହା ଫଳରେ କି ଏଭଳି ମଜୁରୀକୁ ବ୍ୟବସ୍ଥାକୁ ଆଇନଜୀବୀ ଓ ମାନବାଧିକାର କର୍ମୀ ସାମନାକୁ ଆଣିବା ପରେ ବିବାଦୀୟ ସ୍ଥିତି ସାମନାକୁ ଆସିପାରିଛି।

ମାନବାଧିକାର କର୍ମୀ ଅଖଣ୍ତଙ୍କ କହିବା ଅନୁଯାୟୀ, ଶ୍ରମ ଆଇନ ଆଧାରରେ କଏଦୀଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ନିୟମ ଲାଗୁ ହେବ ନାହିଁ ବୋଲି କୁହାଯାଉଥିବା ବେଳେ ମାନବିକତା ଦୃଷ୍ଟିକୋଣରୁ ଜେଲ ଭିତରେ କାମ କରୁଥିବା କଏଦୀଙ୍କ ପାଇଁ ଉପଯୁକ୍ତ ପାରିଶ୍ରମିକ ଦେବା ଦରକାର। ଯଦି ବାହାର ରାଜ୍ୟରେ ଓଡ଼ିଶାଠାରୁ ଢେର‌୍‌ ଅଧିକ ପାରିଶ୍ରମିକ କଏଦୀଙ୍କୁ ପ୍ରଦାନ କରାଯାଉଛି, ତେବେ ଓଡ଼ିଶା କ୍ଷେତ୍ରରେ ଏଭଳି ସ୍ଥିତି କାହିଁକି ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର