ସୋମନାଥ ପରିଡ଼ା
ପୁରୁଣା ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ଧରି ଦାବି ହେଉଥିଲେ ହେଁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ପରିଚାଳନା ପାଇଁ ଏଯାଏ ସ୍ବତନ୍ତ୍ର ଆଇନ ଲାଗୁ ହୋଇ ପାରିନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କଲେ ଓ ରାଜ୍ୟ କ୍ୟାବିନେଟ୍ରେ ବି ଅନୁମୋଦନ ହେଲା, ହେଲେ କେନ୍ଦ୍ର ଆଇନ ବିଭାଗ ଆପତ୍ତି ଉଠାଉଛି। ଅବଶ୍ୟ ରାଜ୍ୟ ସରକାର ଉତ୍ତର ମଧ୍ୟ ରଖୁଛନ୍ତି। କିନ୍ତୁ ମାମଲା ଅଧାବାଟରେ ଅଟକିଛି। ବଦଳିଥିବା ରାଜନୈତିକ ସମୀକରଣରେ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପ୍ରସଙ୍ଗରେ ପରସ୍ପରକୁ ସମର୍ଥନ କରୁଥିବାବେଳେ ଏକାଦଶ ଶତାବ୍ଦୀର ବିଶ୍ବପ୍ରସିଦ୍ଧ ଏହି ପୁରାତନ ମନ୍ଦିର ପ୍ରତି ଏତେ ଅବିଚାର କାହିଁକି ବୋଲି ରାଜ୍ୟବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି।
୧୯୫୫ ମସିହାରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ଲାଗୁ କରାଯାଇଥିଲା। ଏହା ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅଧୀନରେ ରହିଛି। ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ହାତରେ ଥିବା ବେଳେ ଶ୍ରୀମନ୍ଦିର ସମ୍ପର୍କରେ ସବୁ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେଉଛି। ମନ୍ଦିର ପରିଚାଳନା ଠାରୁ ଆରମ୍ଭ କରି ରୀତିନୀତି, ପର୍ବପର୍ବାଣୀ ସବୁ କିଛି ମନ୍ଦିର ପ୍ରଶାସନ ହାତରେ। ସେଥିପାଇଁ ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବରେ ରହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବା ପାଇଁ ସେବାୟତ, ସ୍ଥାନୀୟ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଭୁବନେଶ୍ବର ଓ ସମଗ୍ର ରାଜ୍ୟବାସୀ ଦଶନ୍ଧି ଦଶନ୍ଧି ଧରି ଦାବି କରି ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଆଇନ୍ ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଖୁବ୍ ଶୀଘ୍ର ସ୍ବତନ୍ତ୍ର ଆଇନ ଆସିବ ବୋଲି ୨୦୨୦ ଡିସେମ୍ବର ୨ ତାରିଖରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଘୋଷଣାର ୧୨ ଦିନ ପରେ ଏହି ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟ୍ ଅନୁମୋଦନ ମିଳି ଯାଇଥିଲା। କୁହା ଯାଇଥିଲା, ଏହି ନୂଆ ଆଇନ ପରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅକାମି ହେବ। ପରିଚାଳନା କମିଟି ମାଧ୍ୟମରେ ରାଜ୍ୟ ସରକାର ଏହି ମନ୍ଦିର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବେ। ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାର କ୍ଷମତା କମିଟି ପାଖରେ ରହିବ। ମନ୍ଦିର ପରିଚାଳନା ପାଇଁ ଆର୍ଡିସି କିମ୍ବା ଜଣେ ବରିଷ୍ଠ ଆଇଏଏସ୍ ଅଫିସର ରହିବେ। ଏଥିସହ ଜିଲ୍ଲାପାଳ, ଦେବୋତ୍ତର କମିସନର, ବିଭିନ୍ନ ନିଯୋଗର ପ୍ରତିନିଧି କମିଟିର ସଭ୍ୟ ରହିବେ।
ଏହି ଖବର ମିଳିବା ପରେ ଏକାମ୍ରକ୍ଷେତ୍ରରେ ଖୁସିର ମାହୋଲ୍ ସୃଷ୍ଟି
ହୋଇଥିଲା। ସେବାୟତମାନେ ୧୦ ହଜାର ଦୀପ ଜାଳି ଏହାକୁ ସ୍ବାଗତ
କରିଥିଲେ। ଆଇନକୁ ତୁରନ୍ତ କାର୍ଯ୍ୟକାରୀ କରିବାଲାଗି ସରକାର ଅଧ୍ୟାଦେଶ ଆଣିଲେ। ନିୟମ ଅନୁସାରେ, କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଅଧ୍ୟାଦେଶକୁ ପଠାଇଲେ। ଏହାକୁ ତର୍ଜମାକରି ଅଧ୍ୟାଦେଶରେ ଏକ ଧାରା ଯୋଡ଼ିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଧାରା ସାମିଲ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଏଏସ୍ଆଇ ଦ୍ବାରା ସଂରକ୍ଷଣ କରାଯାଉଥିବା ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ‘ଅମ୍ସାର୍ ଆଇନ’ର ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବ ବୋଲି ଏକ ବ୍ୟବସ୍ଥା ଅଧ୍ୟାଦେଶରେ ରଖିବାକୁ ନିଷ୍ପତ୍ତି ହୋଇଥିଲା। ସଂସ୍କୃତି ମନ୍ତ୍ରଣାଳୟର ପ୍ରସ୍ତାବ ଭିତ୍ତିରେ ଏହାକୁ ଅଧ୍ୟାଦେଶର ଧାରା ୪(୪) ଆକାରରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ। ୨୦୨୧ ନଭେମ୍ବର ୨୪ରେ ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଥିଲା।
ତେବେ ଏହାପରେ ମଧ୍ୟ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଥିଲେ। ସେଥିରେ କୁହା ଯାଇଥିଲା ଯେ ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ଏବଂ ଏହା ‘ଆମ୍ସାର ଆଇନ’କୁ ବିରୋଧାଚରଣ କରୁଛି। କେନ୍ଦ୍ର ସରକାରଙ୍କ ଆପତ୍ତି ଉପରେ ଗତ ୨୦୨୨, ମେ’ ୩୧ ତାରିଖରେ ସ୍ପଷ୍ଟୀକରଣ ଦେଇ ମନ୍ଦିର ପରିଚାଳନା ପାଇଁ ଅଧ୍ୟାଦେଶ ଜରୁରୀ ଏବଂ ଅଧ୍ୟାଦେଶ ଯୁକ୍ତି ଯୁକ୍ତ, ତେଣୁ ତୁରନ୍ତ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ ଅନୁମତି ଦିଆଯାଉ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଥିଲେ। ସେଥିରେ କୁହା ଯାଇଥିଲା, ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ ରଖିବା ଅଧ୍ୟାଦେଶର ମୂଳଲକ୍ଷ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫କୁ କାର୍ଯ୍ୟକାରୀ କରାଯାଇ ଯେଭଳି ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ଓ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଛି, ସେହିପରି ପ୍ରାବଧାନ ଏହି ଅଧ୍ୟାଦେଶରେ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୨୨ ଏପ୍ରିଲ ୮ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଓ ୨୦୨୧ ଫେବ୍ରୁଆରି ୧୧ ତାରିଖରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଲ୍ୟାଣ୍ଡ ରିସୋର୍ସ ବିଭାଗରୁ ଏନ୍ଓସି ମିଳିସାରିଛି। ସଂସ୍କୃତି ମନ୍ତ୍ରଣାଳୟ ଯେଉଁ ସବୁ ଆପତ୍ତି ଉଠାଇଥିଲା, ତାହାର ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି। ତେଣୁ ତୁରନ୍ତ ଏହାକୁ ଅନୁମତି ଦିଆଯାଉ। ପରେ ଚଳିତ ବର୍ଷ ମାର୍ଚ୍ଚ ୨୦ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଧ୍ୟ କେନ୍ଦ୍ର ଗୃହ ସଚିବଙ୍କୁ ଏନେଇ ଚିଠି ଲେଖି ସାରିଛନ୍ତି। କିନ୍ତୁ ଏଯାବତ୍ ଅଧ୍ୟାଦେଶକୁ ଅନୁମତି ମିଳୁନାହିଁ।
ଅନ୍ୟପଟେ ମନ୍ଦିର ପରିଚାଳନା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମନ୍ଦିର ପରିଚାଳନା ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀ ନାହାନ୍ତି। ଅନ୍ୟ ବିଭାଗରେ ଥିବା ଜଣେ ଅଧିକାରୀ ପରିଚାଳନା ଟ୍ରଷ୍ଟର ଏକ୍ଜିକ୍ୟୁଟିଭ୍ ଅଫିସର ରହୁଥିବାରୁ ମନ୍ଦିର ପ୍ରତି ସେତେ ସମୟ ଦେଇ ପାରୁନାହାନ୍ତି। ହାତ ଗଣତି କର୍ମଚାରୀଙ୍କୁ ନେଇ ଏତେ ବଡ଼ ମନ୍ଦିରର ପରିଚାଳନା ସମ୍ଭବ ହେଉନାହିଁ। ଅନ୍ୟପଟେ କୌଣସି ଆଇନ ନଥିବାରୁ ମନ୍ଦିର ଭିତରେ ଓ ବାହାରେ ଯାତ୍ରୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଛି। ଦର୍ଶନ ଠାରୁ ଆରମ୍ଭ କରି ନୀତିକାନ୍ତି ଶୃଙ୍ଖଳିତ ହୋଇ ପାରୁନାହିଁ। ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି କେଉଁଠି କିଏ ଜବର ଦଖଲ କଲାଣି ତ କେଉଁଠି କିଏ ଜାଲ୍ କାଗଜପତ୍ର କରି ସମ୍ପୂର୍ଣ୍ଣ ବିକ୍ରି ମଧ୍ୟ କଲାଣି। ଏମିତି ମାଳ ମାଳ ସମସ୍ୟା ଭିତରେ ମନ୍ଦିର ଛନ୍ଦି ହୋଇ ରହିଛି। ତେବେ ଏସମ୍ପର୍କରେ କୌଣସି ଅଧିକାରୀ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ବୁଝାମଣା ହୋଇ କେବେ ଏହାର ସମାଧାନ ହେବ, ତା’ର ଉତ୍ତର କାହାରି ପାଖରେ ନାହିଁ।