ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍ବିଏ, ଏମ୍ସିଏ, ଏମ୍ଟେକ୍, ଏମ୍. ଆର୍କିଟେକ, ଏମ୍ ପ୍ଲାନ୍, ଏମ୍ ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍ ୧୭ରୁ ୨୪ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଏପ୍ରିଲ ୧୨ରେ ଓଜେଇଇ କର୍ତ୍ତୃପକ୍ଷ ସମ୍ଭାବ୍ୟ ତାରିଖ ଘୋଷଣା କରିଥିଲେ। ତେବେ ରାଜ୍ୟରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ହେବ କି ନାହିଁ, ସେ ସମ୍ପର୍କରେ ଓଜେଇଇ କର୍ତ୍ତୃପକ୍ଷ କିମ୍ବା ବୈଷୟିକ ଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଯେଉଁଥିପାଇଁ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପରୀକ୍ଷା ହେବ କି ନାହିଁ, ଜାଣିପାରୁ ନ ଥିବାରୁ ଚିନ୍ତାରେ ଅଛନ୍ତି।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ଜୁନ୍ ୧୭ରୁ ୨୪ମଧ୍ୟରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ସେହି ଅନୁଯାୟୀ ଆମେ ପ୍ରସ୍ତୁତ ହୋଇଥିଲୁ। ତେବେ ବହୁ ପିଲା ଆବେଦନ କରି ନଥିବାରୁ ୧୪ରେ ଓଜେଇଇ କର୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରି ଆବେଦନ ସମୟସୀମାକୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ। ଜୁନ୍ ୧୭ ଯାଏ ଛାତ୍ରଛାତ୍ରୀ ଫି’ ଦାଖଲ କରିପାରିବେ ବୋଲି ଏଥିରେ କୁହାଯାଇଥିଲା। ଏବେ ପ୍ରଶ୍ନ ଉଠୁଛି, ଜୁନ୍ ୧୭ରୁ ୨୪ମଧ୍ୟରେ ପରୀକ୍ଷା କିଭଳି ହେବ। ଯଦି ପରୀକ୍ଷା ହେବାର ନାହିଁ, ତେବେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି କର୍ତୃପକ୍ଷ ଜଣାଉ ନାହାନ୍ତି କାହିଁକି? ବୈଷୟିକ ଶିକ୍ଷା ବିଭାଗ କାହିଁକି ଚୁପ୍ ବସିଛି। ବିଭାଗୀୟ ମନ୍ତ୍ରୀ ଓ ସଚିବ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, କମ୍ପ୍ୟୁଟର୍ ବେସଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ଏହି ପରୀକ୍ଷା ହେବ। ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। ତେବେ ସେମାନେ ଘରୋଇ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ। ଏହାବ୍ୟତୀତ ସରକାରୀ ଓ ଘରୋଇ କଲେଜର ବି.ଟେକ୍, ଏମ୍ବିବିଏସ୍/ବିଡିଏସ୍/ବିଏଏମ୍ଏସ୍/ବିଏଚ୍ଏମ୍ଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କୁ ଏନ୍ଟିଏ ଦ୍ବାରା ଆୟୋଜିତ ଜେଇଇ ମେନ୍/ନିଟ୍ ଦେବାକୁ ପଡ଼ିବ।