ପିଜି ପାଇଁ ଲାଗିପଡ଼ିଲେ, ୟୁଜି ବେଳକୁ ଚୁପ୍
ମାର୍କ ପାର୍ଟନ୍କୁ ନେଇ ସ୍ବର ଉଠାଇଲେଣି ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସମେତ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସରକାର ଅଫ୍ଲାଇନ୍ରେ ଏହି ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣ ବ୍ୟାପିବା ଆଶଙ୍କା ଥିଲେ ମଧ୍ୟ ଆସନ୍ତା ୧୨ତାରିଖରୁ ପରୀକ୍ଷା ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ଘୋଷଣା ସରିଛି। କରୋନା ସମୟରେ ପିଜିରେ ନୂଆ ବ୍ୟବସ୍ଥା ପ୍ରଚଳନ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିବା ବେଳେ ୟୁଜି (ସ୍ନାତକ)ରେ ଏକକ ନାମଲେଖା ପ୍ରକ୍ରିୟା କରିବାକୁ ନେଇ ସ୍ବର ଉଠିଛି।
ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ, ବେସରକାରୀ ସ୍ନାତକ କଲେଜରେ ନାମଲେଖା ଲାଗି ଏକକ ପ୍ରକ୍ରିୟା ହେଉଛି। ସାମ୍ସ ଦ୍ବାରା ଗୋଟିଏ ସମୟରେ ଆବେଦନ, କଟ୍-ଅଫ୍ ମାର୍କ ପ୍ରକାଶ, ନାମଲେଖା ଆଦି କରାଯାଉଛି। ତେବେ ରେଭେନ୍ସା ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସ୍ନାତକ ନାମଲେଖା ଲାଗି ଅଲଗା ପ୍ରକ୍ରିୟା ହେଉଛି। ଏହାଦ୍ବାରା ଆବେଦନ ସମୟରେ ପିଲାମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏକ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଲାଗି ନାମଲେଖା ହେଉ ନଥିବାରୁ ପିଲାମାନଙ୍କୁ ୪ଥର ଆବେଦନ କରିବାକୁ ପଡ଼ୁଛି। ଫି’ ଦାଖଲ କରିବାକୁ ପଡ଼ୁଛି। ଫଳରେ କରୋନା ଭଳି ମହାମାରୀ ସମୟରେ ସେମାନେ ହଟହଟା ହେଉଛନ୍ତି। ଯଦି ପିଜି ପାଠ୍ୟକ୍ରମ ଲାଗି ସାମ୍ସ ମାଧ୍ୟମରେ ଏକକ ଆବେଦନ ପ୍ରକ୍ରିୟା, ଏକକ ପ୍ରବେଶିକା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇପାରୁଛି, ତେବେ ୟୁଜିରେ ଏକକ ନାମଲେଖା ପ୍ରକ୍ରିୟା କାହିଁକି ନୁହେଁ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି।
ସିବିଏସ୍ଇ, ଆଇସିଏସ୍ଇ ମାର୍କ ପାର୍ଟନ ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପାର୍ଟନ ମାର୍କ ତାଳମେଳ ଖାଉ ନ ଥିବାରୁ କେତେକ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ୁଛି। ଯୁକ୍ତ୨ ପାଠ୍ୟକ୍ରମରେ ସିବିଏସ୍ଇ ଢ଼ାଞ୍ଚା ଆପଣାଗଲା ବୋଲି ଦୁଇବର୍ଷ ତଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ପାଠ୍ୟକ୍ରମ, ପାଠ୍ୟପୁସ୍ତକ, ପ୍ରଶ୍ନପତ୍ର ଢାଞ୍ଚା ସିବିଏସ୍ଇ ବୋର୍ଡ ପରି ହୋଇଛି ବି ଘୋଷଣା ହୋଇଥିଲା। ଏବେ ପ୍ରକୃତ ସ୍ଥିତି ପଦାକୁ ଆସିଛି। ସିଏଚ୍ଏସ୍ଇ ଦ୍ବାରା ପରିଚାଳିତ କଳା ବିଭାଗ ପରୀକ୍ଷାରେ ରାଜ୍ୟରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ ଏବେ ସ୍ନାତକ କଲେଜରେ ସିଟ୍ ପାଇବାକୁ ଅପେକ୍ଷା କରି ରହିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରେ ଛାତ୍ରଛାତ୍ରୀଙ୍କୁ ୨୦ ଇଣ୍ଟରନାଲ୍ ମାର୍କ ଦିଆଯାଉଛି, ଯାହାକି ସିଏଚ୍ଏସ୍ଇ ବୋର୍ଡରେ ନାହିଁ। ଉକ୍ତ ଦୁଇ ବୋର୍ଡର ଛାତ୍ରଛାତ୍ରୀ ପ୍ରତି ବିଷୟରେ ୮୦ ମାର୍କର ଥିଓରି ପରୀକ୍ଷା ଓ ୨୦ ମାର୍କ ଇଣ୍ଟରନାଲ୍ ପରୀକ୍ଷା ଦେଉଛନ୍ତି। ୨୦ ମାର୍କରୁ ସେମାନେ ଅତି କମ୍ରେ ୧୭ମାର୍କ ପାଉଛନ୍ତି। ତେଣୁ ସେମାନଙ୍କ ମାର୍କ ପ୍ରତିଶତ ବଢ଼ିବା ସହ ଭଲ କଲେଜରେ ସିଟ୍ ପାଇ ଯାଉଛନ୍ତି। ଆଉ ସିଏଚ୍ଏସ୍ଇ ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ୁଛି।
ଉଦାହରଣ ସ୍ବରୂପ, ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟ ମେଧା ତାଲିକାକୁ ବିଚାରକୁ ନେଲେ ସ୍ପଷ୍ଟ ଜଣାପଡ଼ିବ। ସିଏଚ୍ଏସ୍ଇ ବୋର୍ଡ ପରୀକ୍ଷାରେ ରାଜ୍ୟରେ ଟପର୍ ହୋଇଥିବା ସମ୍ଭାବନା ସାହୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ତାଙ୍କ ନାମ ୯୬ତମ ସ୍ଥାନରେ ରହିଛି। ଅର୍ଥାତ୍ ତାଙ୍କ ଉପରକୁ ଯେଉଁ ୯୫ଜଣ ଛାତ୍ରଛାତ୍ରୀ ରହିଛନ୍ତି, ସେମାନେ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ନାତକ ନାମଲେଖାରେ ପାତରଅନ୍ତରର ଶିକାର ହେଉଥିବା ଛାତ୍ରଛାତ୍ରୀ ଏନେଇ ସ୍ବର ଉଠାଇବା ସହ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/admission.jpg)