ଧର୍ମଶାଳା ସିଏଚ୍‌ସିରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କେବେ?

ବହୁବର୍ଷ ହେଲା ଖାଲି ପଡ଼ିଛି ବିଶେଷଜ୍ଞ ଡାକ୍ତର ପଦବି, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ଧର୍ମଶାଳା : ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁବର୍ଷ ହେଲା ବିଶେଷଜ୍ଞ ଡାକ୍ତର ପଦବି ଖାଲି ପଡ଼ିଛି। ଫଳରେ ଅଞ୍ଚଳବାସୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ପାରୁନାହାନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜିଲ୍ଲାର ଅନ୍ୟତମ ପୁରାତନ ଚିକିତ୍ସାଳୟ। ଏହା ଉପରେ ଧର୍ମଶାଳା ସହିତ ପଡ଼ୋଶୀ ନିର୍ବାଚନ ମଣ୍ତଳୀର ହଜାରହଜାର ଜନସାଧାରଣ ନିର୍ଭର କରିଥାନ୍ତି। ବିଶେଷ କରି ଏହି ଡାକ୍ତରଖାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଏଠାକୁ ଅଧିକ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସିଥାନ୍ତି। ପୂର୍ବରୁ ଏହି ଡାକ୍ତରଖାନାରେ ଭେଷଜ, ଶଲ୍ୟ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ ସବୁ ପଦବି ଖାଲିପଡ଼ିଛି। ଫଳରେ ଏଠାକୁ ପ୍ରତ୍ୟହ ଆସୁଥିବା ଶହଶହ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରତ୍ୟେକ ମାସରେ ପ୍ରସବ ପାଇଁ ଏଠାକୁ ୨ଶହରୁ ଅଧିକ ଗର୍ଭବତୀ ମହିଳା ଆସୁଛନ୍ତି। ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ନଥିବାରୁ ଏହି ମହିଳାମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ବିଭାଗୀୟ ବିଶେଷଜ୍ଞ ନଥିବାରୁ ଡାକ୍ତରଖାନା ପରିସରରେ ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶିଶୁ ଓ ମାତୃ ଚିକିତ୍ସାଳୟ ଏବେ ଆଉଟଡୋର ପାଲଟିଛି। କରୋନା ସମୟରେ ଏଠାରେ ଚିକିତ୍ସା କ୍ଷେତ୍ରରେ ଉତ୍କଟ ସମସ୍ୟା ଦେଖାଦେଇଥିଲା। ଅଧିକାଂଶ ସମୟରେ ଜଣେ ଲେଖାଏଁ ଡାକ୍ତର ରହୁଥିବାରୁ ରୋଗୀମାନଙ୍କ ଲମ୍ବା ଧାଡ଼ି ଲାଗୁଛି। ଅନ୍ୟପକ୍ଷରେ ଏଠାକାର କେତେକ ଡାକ୍ତର ବିଭିନ୍ନ ଔଷଧ ଦୋକାନରେ ରୋଗୀ ଦେଖୁଥିବା ଅଭିଯୋଗ ହେଉଛି। ବହୁ ସମୟରେ ଡାକ୍ତରଖାନା ଡାକ୍ତରଶୂନ୍ୟ ହୋଇଯାଉଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବରୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସି ରୋଗୀ ଦେଖୁଛନ୍ତି। ତୁରନ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାସହ ଖାଲି ପଡ଼ିଥିବା ବିଭିନ୍ନ ପଦବି ପୂରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର