ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ କେବେ ? ବର୍ଷେ ହେଲା ଜୟପୁରରେ ଅଭିଯୋଗ ଶୁଣି ନାହାନ୍ତି ଜିଲ୍ଲାପାଳ

କୋରାପୁଟ/ଜୟପୁର : ସରକାରଙ୍କର ୫-ଟି ମାଧ୍ୟମରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକ ଅଭିଯୋଗ ଶୁଣୁଥିବାବେଳେ ଉପାନ୍ତ ଅଞ୍ଚଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ କୋଭିଡ କାଳରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି । କେବେ ଖୋଲିବ ତାହାକୁ ନେଇ ଆଶା ଓ ଆଶଙ୍କା ଦେଖାଦେଇଛି। ଅଭିଯୋଗ ପ୍ରକୋଷ୍ଠ ଖୋଲୁ ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଥିବାବେଲେ କେବେ ଏହା ଖୋଲିବ ତାହାକୁ ନେଇ ସାଧାରଣରେ ନାନାଦି ପ୍ରଶ୍ନ ଉଠିଲାଣି। ଯଦିବା ରାଜ୍ୟ ସରକାର ଇ-ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଗ୍ରହଣ କରୁଛନ୍ତି ତାହା କୋରାପୁଟ ଜିଲ୍ଲାରେ ଆଦୌ କାର୍ଯ୍ୟକାରୀ ହୋଇ ନ ପାରିବା ଆଶା କରାଯାଉଛି । କାହିଁକି ନା କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ଏପରି ଏକାଧିକ ବ୍ଲକ ରହିଛି ଯେଉଁ ବ୍ଲକରେ ଏବେଯାଏ ନେଟୱାର୍କ ନାହିଁ । ଏହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏକାଧିକ ଅଞ୍ଚଳରେ ନେଟୱାର୍କ କାର୍ଯ୍ୟ କରୁନାହିଁ । ବ୍ଲକ ମୁଖ୍ୟାଳୟରେ ନେଟୱାର୍କ ରହୁଥିବାରୁ ପ୍ରତିଦିନ ଶହ ଶହ ଅଭିଯୋଗକାରୀ ଅଭିଯୋଗ ଦେବାକୁ ଜିଲ୍ଲାପାଳଙ୍କ ନିକଟକୁ ଆସୁଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସହ ବିଧାନସଭାରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠ ଅନଲାଇନରେ ଖୋଲିଲାଣି। ହେଲେ କୋରାପୁଟ ଜିଲ୍ଲାରେ ଏବେ ଯାଏ ଖୋଲିପାରିଲାନି ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ।

ଏବେ ବି କରୋନା କଟକଣା ବଳବତ୍ତର ରହିହୋଇଥିଲେ ମଧ୍ୟ ଧୀରେ ଧୀରେ ଅନଲକ-୬ରେ ସବୁ ଖୋଲିବାରେ ଲାଗିଛି। ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ ଜନସାଧରଣଙ୍କର ଗମନାଗମନ ମଧ୍ୟ ସ୍ବାଭାବିକ ହେଲାଣି । ଏହି ପରିପ୍ରେଖୀରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉ ଥିବାବେଳେ କୋରାପୁଟ ଜିଲ୍ଲାରେ ଏବେଯାଏ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇନାହିଁ । କେବଳ ଅଭିଯୋଗ ବକ୍ସ ଓ ଇ-ମେଲରେ ଅଭିଯୋଗ ପ୍ରକୋଷ୍ଠ ସୀମିତ ରହିଛି। ତେବେ ଜୟପୁର ବ୍ଲକକୁ ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳ ପ୍ରାୟ ବର୍ଷେ ହେଲା ଆସିନାହାନ୍ତି। ଶେଷଥର ଜିଲ୍ଲାପାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ନଭେମ୍ବର ମାସରେ ଆସିଥିଲେ। ସେହି ଫେବ୍ରୁଆରୀ ମାସରେ ଜୟପୁରରେ ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ହେବାକୁ ରହିଥିବା ବେଳେ ମାର୍ଚ୍ଚ ୩୧ ତାରିଖରୁ କରୋନା ହେତୁ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା। ପରେ ଅଗଷ୍ଟ ୩୧ ତାରିଖ ଯାଏ ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ କରିଥିଲେ ଉପଜିଲ୍ଲାପାଳ ହେମକାନ୍ତ ସାଏ। ଏନେଇ ଏକ ବିଜ୍ଞାପ୍ତି ପ୍ରକାଶ କରିଥିବାବେଳେ ମେଲ୍ ଯୋଗେ ଅଭିଯୋଗ ଗ୍ରହଣ କରିବା ସହ ମୁଖ୍ୟ ଫାଟକ ନିକଟରେ ରହିଥିବା ଅଭିଯୋଗ ବାକ୍ସରେ ଅଭିଯୋଗ ଦେଇପାରିବେ ବୋଲି ଦର୍ଶାଯାଇଥିଲା। ଦିନକୁ ଦିନ କରୋନା ଆତଙ୍କ ବୃଦ୍ଧି ପାଉଥିବାରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶ ସଂଖ୍ୟା ୨୦୮୭/୨୨/୦୭/୨୦୨୦ରେ ଅନୁସାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ତରଫରୁ ଏହି ନିଷ୍ପତ୍ତି ନିଆଯାଇଥିଲା।

ତେବେ ଜିଲ୍ଲପାଳ ଗତବର୍ଷ ସେପ୍ଟେମ୍ବର ମାସରେ ନାରାୟଣପାଯଣାଳ ଲମତାପୁଟ, ଲକ୍ଷ୍ମୀପୁର, ବୋରିଗୁମ୍ମାରେ ଅଭିଯୋଗ ପ୍ରକୋଷ୍ଠ କରିଥିବାବେଳେ ଅକ୍ଟୋବର ମାଦରେ ବନ୍ଧୁଗାଁ, କୋଟପାଡ, ପଟାଙ୍ଗୀରେ କରିଥିଲେ ଅଭିଯୋଗ ପ୍ରକୋଷ୍ଠ। ସେହିପରି ନଭେମ୍ବର ମାସରେ ଜିଲ୍ଲା ମୁଖ୍ୟାଳୟ, ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସେମିଳିଗୁଡା ଅଭିଯୋଗ ପ୍ରକୋଷ୍ଠ କରିଥିବାବେଳେ ଡିସେମ୍ବରମାସରେ ମୁଖ୍ୟାଳୟ, କୁନ୍ଦୁରା, ନନ୍ଦପୁର, ଦଶମନ୍ତପୁର ଓ ବୈପାରିଗୁଡାରେ କରିଥିଲେ ଅଭିଯୋଗ ପ୍ରକୋଷ୍ଠ। ଏହାସହ ଚଳିତବର୍ଷ ଜାନୁଆରୀ ମାସରୁ ମାର୍ଚ୍ଚ ମାସ ଯାଏ ଜୟପୁର ଉପକଣ୍ଡକୁ ଜିଲ୍ଲା ଅଭିଯୋଗ ଶୁଣିବାକୁ ଆସି ନ ଥିବା ଜଣାପଡିଛି।

ଏନେଇ ଜିଲ୍ଲାପାଳଙ୍କ କାଯ୍ୟଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଲକଡାଉନ ହେବା ପରେ ଇ-ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଉଛି। ତାହାସହ ବ୍ଲକ ମୁଖ୍ୟାଳୟକୁ ଆସି ଲୋକେ ଲିଖିତ ଅଭିଯୋଗ କଲେ ଏହା ଆମ ନିକଟକୁ ଆସୁଛି। ଏହାକୁ ତଦନ୍ତ କରି ଜନସାଧାରଣଙ୍କୁ ସେମାନଙ୍କ ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ତେବେ ସରକାରଙ୍କ ପକ୍ଷରୁ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଅଭିଯୋଗ ଗ୍ରହଣ ନେଇ କୌଣସି ଚିଠି ଆସିନାହିଁ। ଚିଠି ଆସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ତିର ହେବ ବୋଲି କତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର