ବ୍ରହ୍ମପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ବାଣିଜ୍ୟ କେନ୍ଦ୍ର ଜୟପୁରରୁ ଆରମ୍ଭ ହୋଇଛି ବ୍ୟାବସାୟିକ ବିମାନ ଉଡ଼ାଣ। ‘ଉଡ଼ାନ୍‌’ ଯୋଜନାରେ ସାମିଲ ହୋଇଥିବା ଜୟପୁର ବିମାନବନ୍ଦରରୁ ପ୍ରତିଦିନ ବ୍ୟାବସାୟିକ ବିମାନ ଉଡ଼ିବ। ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିବା ବେଳେ ଦକ୍ଷିଣ ଓଡ଼ିଶାର ବାଣିଜ୍ୟ ପେଣ୍ଠସ୍ଥଳ ବ୍ରହ୍ମପୁରରୁ କେବେ ବିମାନ ଉଡ଼ିବ ବୋଲି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

Advertisment

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ଟି କେଉଁ ବିଟ୍ରିସ୍‌ ଅମଳର। ଏହି ଏୟାରଷ୍ଟ୍ରିପ୍‌କୁ ସଂପ୍ରସାରଣ କରାଯାଇ ବିମାନବନ୍ଦରରେ ପରିଣତ କରିବା ପାଇଁ ଯୋଜନା ଚାଲିଛି। ‌ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍‌-୪’ ଯୋଜନାରେ ସାମିଲ କରାଯାଇଛି। ଏଥିନେଇ ପ୍ରଶାସନିକସ୍ତରରେ ବହୁବାର ବି ସର୍ଭେ କରାଯାଇଛି। ସଂପ୍ରସାରଣ କରାଗଲେ କେତେ ଜମି ଆବଶ୍ୟକ, ଏଥିରେ ସରକାରୀ ଓ ଘରୋଇ ଜମିର ପରିମାଣ, କେତେ ଜମି ଅଧିଗ୍ରହଣ କରିବାକୁ ପଡ଼ିବ, ଏଥିନେଇ ବାରମ୍ବାର ସମୀକ୍ଷା ଚାଲିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଶେଷ ଅଗ୍ରଗତି ହୋଇପାରିନାହିଁ। ଇତିମଧ୍ୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌କୁ ସଂପ୍ରସାରଣ କରି ବିମାନବନ୍ଦର କରିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟକୁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପଠାଯାଇଛି।

ଡିପିଆର୍‌ରେ ବିମାନବନ୍ଦରର ରନ୍‌ୱେର ଲମ୍ବ ୮୫୦ ମିଟରକୁ ବୃଦ୍ଧି କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ପ୍ରାୟ ୭୦ ଏକର ଜମି ଆବଶ୍ୟକ ପଡ଼ୁଥିବା ଦର୍ଶାଯାଇଛି। ପ୍ରାୟ ୩୭ଏକର ଜମିରେ ଥିବା ରଙ୍ଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ର ରନ୍‌ୱେ ୮୩୨ ମିଟର‌୍‌ ରହିଛି। ଏହାକୁ ଡିପିଆର୍‌ରେ ବୃଦ୍ଧି କରାଯାଇଛି। ଏହାକୁ ସଂପ୍ରସାରଣ କରି ବିମାନବନ୍ଦର କରିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଓ କୋଠା ନିମନ୍ତେ ପ୍ରାୟ ୩୫/୩୭ ଏକର ଜମି ଆବଶ୍ୟକ। ବିଭାଗ ପକ୍ଷରୁ ଡିପିଆର୍‌ ପଠାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଶାସନିକ ଅନୁମୋଦନ ମିଳିନଥିବା ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତୀ ଇଂ. ତପନ କୁମାର ପାଣିଗ୍ରାହୀ କହିଛନ୍ତି। ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ପ୍ରଶାସନିକ ଅନୁମୋଦନ ମିଳିବା ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।