ଠିକାଠିକାରେ ଆସିଲାଣି ଅବସର ସମୟ, ୬ଶହ ଆଇଟିଆଇ ଇନ୍‌ଷ୍ଟ୍ରକ୍ଟରଙ୍କ ପ୍ରତି ଶୁଭଦୃଷ୍ଟି କେବେ?

କଟକ : ଠିକାରେ କାମ କରି ସେମାନଙ୍କ ମଧ୍ୟରୁ କେତେଜଣ ଅବସର ନେଇ ସାରିଲେଣି। ପରକୁ ପର ଆହୁରି ଅନେକ ଅବସର ନେବାକୁ ଯାଉଛନ୍ତି। କିନ୍ତୁ, ଠିକା ଯୁଗ ଶେଷ ସ୍ଲୋଗାନ ଦେଇ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଘୋଷଣା ବି ସେମାନଙ୍କ ଭାଗ୍ୟ ବଦଳାଇ ପାରିନାହିଁ। ଦିନକୁ ଘଣ୍ଟା ଭିତ୍ତିରେ ମଜୁରୀ ପାଇ ଏଭଳି ଅନିଶ୍ଚିତତାର ଦିନ କାଟୁଛନ୍ତି ରାଜ୍ୟର ୩୯ଟି ସରକାରୀ ଆଇଟିଆଇରେ କାର୍ଯ୍ୟ କରୁଥିବା ପାଖାପାଖି ୬ଶହ ଜଣ ଇନଷ୍ଟ୍ରକ୍ଟର।

ସୂଚନା ଅନୁଯାୟୀ ୧୯୯୪ରୁ ଏହି କର୍ମଚାରୀ ମାନଙ୍କୁ ଦୈନିକ ମଜୁରୀ ଭିତ୍ତିରେ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମ ଦଫାରେ ପାଖାପାଖି ୬୦ ଜଣଙ୍କୁ ଏଭଳି ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ବର୍ଷକୁ ବର୍ଷ ଆବଶ୍ୟକତା ଅନୁଯାୟୀ ନିଯୁକ୍ତି ସଂଖ୍ୟା ବୃଦ୍ଧି ପାଇ ଏବେ ସଂଖ୍ୟା ୬ଶହ ପାଖାପାଖି ପହଞ୍ଚିଲାଣି। ଆରମ୍ଭରୁ ମାସିକ ମଜୁରୀ ସର୍ବାଧିକ ୯ ହଜାର ୩୦୦ ଟଙ୍କା ରହିଥିବା ବେଳେ ଏବେ ତାହା ବଢ଼ିବଢ଼ି ସର୍ବାଧିକ ୧୬ ହଜାର ୮୮୦ ଟଙ୍କାରେ ପହଞ୍ଚିଛି ସତ ହେଲେ ସେମାନଙ୍କୁ ନିଯୁକ୍ତି ସୁରକ୍ଷା ମିଳି ପାରିନାହିଁ। ସେମାନଙ୍କୁ କୁହାଯାଉଛି ପାର୍ଟ ଟାଇମ୍ ଗେଷ୍ଟ୍ ଇନଷ୍ଟ୍ରକ୍ଟର। ଅର୍ଥାତ୍‌, ସେମାନେ ଦିନକୁ ଯେତିକି ଘଣ୍ଟା କ୍ଲାସ୍ ନେବେ ସେହି ହିସାବରେ ମାସକୁ ମଜୁରୀ ପାଇବେ। କିନ୍ତୁ, ସେମାନଙ୍କର ମାସିକ ପ୍ରାପ୍ୟ କୌଣସି ପରିସ୍ଥିତିରେ ୧୬ ହଜାର ୮୮୦ ଟଙ୍କାରୁ ଅଧିକ ହେବନାହିଁ।

ବାସ୍ତବତା ହେଉଛି, ଏମାନଙ୍କ ଭରସାରେ ରାଜ୍ୟର ସରକାରୀ ଆଇଟିଆଇ ଗୁଡ଼ିକ କାର୍ଯ୍ୟ କରୁଛି। ସେମାନଙ୍କୁ ପରୀକ୍ଷା ଖାତା ଦେଖାଠାରୁ ଆରମ୍ଭ କରି ସବୁ କାମରେ ନିୟୋଜନ କରାଯାଉଛି। ଅନ୍ୟ ନିୟମିତ କର୍ମଚାରୀଙ୍କ ସେମାନେ ପୂରା ସମୟ ଅନୁଷ୍ଠାନକୁ ଦେଉଛନ୍ତି। ନିୟମିତ କର୍ମଚାରୀଙ୍କ ଭଳି ସେମାନଙ୍କୁ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ବି ସାମିଲ କରାଯାଉଛି। କିନ୍ତୁ ଆଇଟିଆଇ, ଡିପ୍ଲୋମା ଆଉ ଡିଗ୍ରି ଶିକ୍ଷାଗତ ଯୋଗ୍ୟତା ଥିବା ଏଭଳି ୬ଶହ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଶୁଭଦୃଷ୍ଟି କାହିଁକି ପଡ଼ିଲା ନାହିଁ, ତାହା ଏବେ ସେମାନେ ବୁଝିପାରୁ ନାହାନ୍ତି। ଅନ୍ୟପକ୍ଷରେ, ସରକାର ଏବେ ନୂଆ ଶିକ୍ଷାନୀତିରେ ପ୍ରାୟୋଗିକ ତଥା ବୃତ୍ତିଗତ ଶିକ୍ଷାକୁ ଗୁରୁତ୍ବ ଦେବାସହିତ ଅଧିକରୁ ଅଧିକ ଆଇଟିଆଇ ପ୍ରତିଷ୍ଠାକୁ ମଧ୍ୟ ଅଗ୍ରାଧିକାର ଦେଉଛନ୍ତି। କିନ୍ତୁ, ସରକାରୀ କ୍ଷେତ୍ରରେ ବର୍ଷ ବର୍ଷ ଧରି ଏଭଳି ଦୈନିକ ମଜୁରୀ ଭିତ୍ତିରେ କାର୍ଯ୍ୟ କରି ଆସୁଥିବା ୬ଶହ କର୍ମଚାରୀଙ୍କୁ କେଉଁ କାରଣରୁ ନିୟମିତ କରୁ ନାହାନ୍ତି, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର