ସମ୍ବଲପୁର : ଭିସୁଟ୍କୁ ୨ ହଜାର କୋଟି ଟଙ୍କାର ଅନୁଦାନ ଏବଂ ଶହେ ଏକର ଜମି ଯୋଗାଇବା ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବଲପୁରବାସୀଙ୍କ ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ଏଥି ସହିତ ଭିମ୍ସାର ପ୍ରତି ଚାଲିଥିବା ଅବହେଳା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ଭିସୁଟ୍ ଭଳି ଭିମ୍ସାରକୁ ୨୦୦୦ କୋଟିର ଅନୁଦାନ ସହିତ ଡାକ୍ତର ନିଯୁକ୍ତି ଦେବା ପାଇଁ ବୁଦ୍ଧିଜୀବୀମାନେ ଆଜି ନିବେଦନ କରିଛନ୍ତି।
ଗୁରୁବାର ସନ୍ଧ୍ୟାରେ ହରଜିତ ରେସିଡେନ୍ସିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ କହିଲେ, ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୃପାଦୃଷ୍ଟି ସବୁବେଳେ ରହି ଆସିଛି। ଇତିମଧ୍ୟରେ ସମ୍ବଲପୁରରେ ବହୁ ଉନ୍ନୟନ କାମ ହୋଇଛି। କେତେକ ବାକି ବି ରହିଛି। ଅନେକ ପ୍ରକଳ୍ପ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶାର ସର୍ବପୁରାତନ ଇଂଜିନିୟରିଂ କଲେଜ ୟୁସିଇକୁ ୨୦୦୯ ମସିହାରେ ଏକକ ବିଶ୍ବବିଦ୍ୟାଳୟ ଭିସୁଟ୍ରେ ପରିଣତ କରାଯାଇଥିଲା। ଏବେ ପୁଣି ୩ଟି ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ଅନୁଦାନ ସହିତ ଶହେ ଏକର ଜମି ବି ଯୋଗାଇ ଦିଆଯିବ। ଭିସୁଟ୍କୁ ଆଇଆଇଟି ପ୍ଲସ୍ ମାନ୍ୟତା ଦେବା ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ଆଗକୁ ଅନେକ ନୂଆ ବିଭାଗ ଖୋଲାଯିବା ସହିତ ଏଠାରେ ପ୍ରାୟ ୧୦ ହଜାର ପିଲା ଅଧ୍ୟୟନ କରିବେ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।
ପ୍ରଫେସର ଶଙ୍କର ପ୍ରସାଦ ପତି ଭିସୁଟ୍କୁ ଏହି ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ କହିଲେ, ରାଜ୍ୟ ସରକାର କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ୩୫୦୦ କୋଟି ଟଙ୍କା ଦେଇଛନ୍ତି। ଏହା ନିଶ୍ଚିତ ଭାବେ ଭଲ କଥା। ତେବେ, ବହୁବିଧ ସମସ୍ୟାରେ ଛନ୍ଦି ହୋଇଥିବା ଭିମ୍ସାରକୁ ମଧ୍ୟ ଅନ୍ୟୁନ ୨ ହଜାର କୋଟି ଅନୁଦାନ ଦିଆଯିବାକୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ସମୟ ମାଗୁଛି। ଅନୁମତି ମିଳିଲେ ସମ୍ବଲପୁର ବିକାଶ ପାଇଁ ଅନେକ ପ୍ରସଂଗରେ ଆମେ ତାଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତୁ ବୋଲି ପ୍ରଫେସର ପତି କହିଛନ୍ତି।
ପୂର୍ବତନ ସାଂସଦ ଭବାନୀଶଙ୍କର ମଧ୍ୟ ଭିମ୍ସାର ପ୍ରସଂଗ ଉଠାଇଥିଲେ। ଭିସୁଟରେ ମୌଳିକ ଗବେଷଣା ପ୍ରତି ଦୃଷ୍ଟି ଦେବା ନେଇ ଗୁରୁ୍ତ୍ବାରୋପ କରିଥିଲେ। ଡାକ୍ତର ରମାବଲ୍ଲଭ ମିଶ୍ର ଭିମ୍ସାରର ସ୍ବୟଂଶାସନ କାଗଜପତ୍ରରେ ସୀମିତ ରହିଯାଇଥିବା ଦର୍ଶାଇଥିଲେ। ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣ ସହିତ ଏଠାକାର ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଗୋପରଂଜନ ଦୁବେ, ପ୍ରଫେସର କାମଦେବ ସାହୁ, ଡ. ମୀନକେତେନ ପାଠୀ. ଡ.ଶ୍ୟାମସୁନ୍ଦର ଧର, ଅରବିନ୍ଦ ମହାପାତ୍ର, ରଘୁନାଥ ମିଶ୍ର ପ୍ରମୁଖ ଭିସୁଟ୍କୁ ଅନୁଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଭିମ୍ସାର ପ୍ରତି ମଧ୍ୟ କୃପାଦୃଷ୍ଟି ପକାଇବାକୁ ନିବେଦନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସୁମନ୍ତ୍ର ପଣ୍ଡା, ଭୋଳାଶଙ୍କର ମହତ୍ତମ, ସତିଶ ବିଶି, ଦେବାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।