ଅଣଜଳସେଚିତ କୁଚିଣ୍ଡା ଉପଖଣ୍ଡକୁ ଜଳସେଚନ ସୁବିଧା କେବେ ?

ଟେଣ୍ଡର ପରେ ବି ୪ ବ୍ୟାରେଜ ନିର୍ମାଣ କାମ ଆରମ୍ଭ ହୋଇପାରୁନି

କୁଚିଣ୍ଡା: ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ସମ୍ବଲପୁର ଜିଲ୍ଲାରେ ଥିଲେ ବି ଏହାର କୁଚିଣ୍ଡା ଉପଖଣ୍ଡର ଚାଷୀମାନଙ୍କ ପାଇଁ ମରୁଡ଼ି ପାଲଟିଛି ଚିର ସହଚର। ବର୍ଷା ଅଭାବ ସାଂଗକୁ ମରୁଡ଼ି ଯୋଗୁ ଫସଲ ନଷ୍ଟ କୁଚିଣ୍ଡା ଉପଖଣ୍ଡ ଚାଷୀମାନଙ୍କ ଦେହସୁହା ‌ହୋଇଗଲାଣି। ରାଜ୍ୟ ସରକାର ୨୦୨୧ ମସିହାରେ ୪ଟି ବ୍ୟାରେଜ ପାଇଁ ଟେଣ୍ଡର ଆହ୍ବାନ କରିଥିଲେହେଁ ନିର୍ମାଣ ନିମନ୍ତେ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ବି ଦିଆଯାଇ ନାହିଁ। ଠିକା ସଂସ୍ଥା ସହ ‌କେବେ ଚୁକ୍ତି ହେବ ଆଉ ନିର୍ମାଣ କାମ ଆଗେଇବ, ସେନେଇ କେହି ମୁହଁ ଖୋଲୁ ନାହାନ୍ତି।

ସମ୍ବଲପୁର ଜିଲ୍ଲାର ଆଦିବାସୀ ବହୁଳ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକ୍‌କୁ ନେଇ ଗଢ଼ି ଉଠିଛି କୁଚିଣ୍ଡା ଉପଖଣ୍ଡ। ନଈନାଳ, ବଣ ଜଙ୍ଗଲ ଘେରା କୁଚିଣ୍ଡା ଉପଖଣ୍ଡର ୯୦ ଭାଗ ଲୋକ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ଚାଷ ଉପରେ ନିର୍ଭରଶୀଳ। ଲୋକଙ୍କ ଜୀବନଜୀବିକା ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିଲେହେଁ ଏହି ଉପଖଣ୍ଡରେ ଜଳସେଚନ ସୁବିଧା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ସତ୍ତ୍ବେ ସମଗ୍ର ଉପଖଣ୍ଡରେ ନାମକୁମାତ୍ର ୨/୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି। ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଖରିଫ ଋତୁରୁ ନଦୀନାଳରୁ ପାଣି ଉଠାଇ କେତେକ ଅଂଚଳର ଚାଷୀ ମରୁଡ଼ିରୁ ଫସଲକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଖରିଫ ଧାନ ଫସଲ ଅମଳ ପରେ ଏହି ଉପଖଣ୍ଡର ଚାଷଜମି ପଡ଼ିଆ ପଡ଼ିଥାଏ। କୃଷି ଓ କୃଷକର ଉନ୍ନତି ପାଇଁ ଚାଷଜମିକୁ ଜଳସେଚନ ସୁବିଧା ଏକମାତ୍ର ବିକଳ୍ପ। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରୁ କୁଚିଣ୍ଡା ନିକଟସ୍ଥ ଚଇତ୍ରା ପାହାଡ଼ ନିକଟରେ ଭେଡେନ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପ୍ରସ୍ତାବ ଶୁଣା ଯାଉଥିଲା। ସର୍ଭେ ବି ସରିଥିଲା।

କ’ଣ ହେଲା କେଜାଣି, ଏହି ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ କୁଚିଣ୍ଡା ବ୍ଲକ ସହିତ ରେଂଗାଲି ବ୍ଲକର ଲଇଡ଼ା ପର୍ଯ୍ୟନ୍ତ ଚାଷଜମି ଜଳସେଚିତ ହୋଇପାରିଥାଆନ୍ତା। ଶଗଡ଼େଶ୍ବର ନାଳା ଏବଂ ଶଙ୍ଖଭାଙ୍ଗୁଣି ନଦୀ ଉପରେ ଡ୍ୟାମ ନିର୍ମାଣ ପାଇଁ କିଛି ବର୍ଷ ତଳେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର, ତାହା ସେତିକିରେ ସୀମିତ ରହିଯାଇଛି। ଗତ ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁଚିଣ୍ଡା ନିକଟସ୍ଥ ଭେଡେନ ଓ ଖର୍ଲା ନଦୀ ଉପରେ ଏକାଧିକ ବ୍ୟାରେଜ ଆଉ ବ୍ରିଜ ନିର୍ମାଣ ପାଇଁ ବୁଦୁଲାପାଲି ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବୁଦୁଲାପାଲିଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ଟେଣ୍ଡର ମଧ୍ୟ ସଂପୂର୍ଣ୍ଣ ହୋଇଥିଲା। ମାତ୍ର, ୫୬ କୋଟି ଟଙ୍କାର ଏହି ଟେଣ୍ଡର କୌଣସି କାରଣରୁ ବାତିଲ କରିଦିଆଗଲା।

ଗତ ୨୦୨୧ ମସିହାରେ ଭେଡ଼େନ ଓ ଖର୍ଲା ନଦୀ ଉପରେ ବୁଢାରଜା, କିରାଶାସନ,  ଜନକଡିହିଠାରେ ବ୍ୟାରେଜ ଏବଂ ସଇଡ଼ାଠାରେ ଏକ ଚେକ୍ ଡ୍ୟାମ ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା। ଏହାର ଟେଣ୍ଡର କାମ ସମାପ୍ତ ହୋଇଥିଲେ ମଧ୍ୟ ବ୍ୟାରେଜ ନିର୍ମାଣ ପାଇଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସଇଡ଼ାଠାରେ ଚେକ୍‌ ଡ୍ୟାମ ନିର୍ମାଣ ପାଇଁ ଆଉ ଥରେ ଟେଣ୍ଡର ଆହ୍ବାନ କରାଯିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟ ପଟେ ବୁଢ଼ାରଜା, କିରାଶାସନ ଓ ଜନକଡିହି ପ୍ରକଳ୍ପ ପାଇଁ ଟେଣ୍ଡର କାମ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ଦିଆଯାଇନାହିଁ।

ଏହା ବ୍ୟତୀତ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପ୍ରସ୍ତାବିତ ରଗବା ଜଳସେଚନ ପ୍ରକଳ୍ପ ବି ଆଗେଇ ପାରୁନାହିଁ। ଏପଟେ ବାମରା ବ୍ଲକ କଦଳୀଝରନ ଠାରେ ଚେକ୍‌ଡ୍ୟାମ୍ ନିର୍ମାଣ ନିମନ୍ତେ କିଛି ବର୍ଷ ତଳେ ନିର୍ମାଣ କାମ ସରିଛି। କିନ୍ତୁ, ଏପର୍ଯ୍ୟନ୍ତ କେନାଲ ନିର୍ମାଣ କାମ ଆରମ୍ଭ ହୋଇନାହିଁ। ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳବାସୀଙ୍କ ଉନ୍ନତି ହେବା ସହିତ ସେମାନଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିପାରନ୍ତା। ଦାରିଦ୍ର୍ୟ ସୀମାରେଖା ତଳେ ଲୋକେ ବସବାସ କରୁଥିବା ଏଠାକାର ଲୋକଙ୍କୁ ଖାଦ୍ୟ ଯୋଗାଡ଼ ପାଇଁ ବର୍ତ୍ତମାନ ଭଳି ଏମିତି ସଂଘର୍ଷ ଆଉ କରିବାକୁ ପଡ଼ନ୍ତା ନାହିଁ। ଚାକିରି ତଥା ଅନ୍ୟ କାମଧନ୍ଦାର ଅଭାବ ଯୋଗୁଁ ଶିକ୍ଷିତ ବେକାର ଯୁବକମାନଙ୍କୁ ରୋଜଗାରର ମାଧ୍ୟମ ମିଳିପାରନ୍ତା। ଜମିକୁ ବାରମାସ ପାଣି ଯୋଗାଇଦେଇପାରିଲେ କୁଚିଣ୍ଡାର ସବୁଜ କ୍ଷେତ ହସି ଉଠିବା ସହିତ ଅଞ୍ଚଳର ବିକାଶ ବି ହୋଇପାରନ୍ତା ବୋଲି ଚାଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର