ଫୁଲବାଣୀ : ଚଳିତବର୍ଷ କନ୍ଧମାଳ ଜିଲ୍ଲାରେ ପଣସ ଉତ୍ପାଦନ ରେକର୍ଡ଼ ଭାଙ୍ଗିବ ବୋଲି ଆକଳନ କରାଯାଉଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ବଣଜଙ୍ଗଲଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବ ଏମିତିକି ଲୋକଙ୍କ ବାଡ଼ି ବଗିଚାରେ ପ୍ରବଳ ପଣସ ଗଛ ଦେଖିବାକୁ ମିଳିଥାଏ। ଏସବୁ ପଣସ ଗଛ ପ୍ରାକୃତିକ ଉପାୟରେ ଉଠିଛି। ଏଥିରୁ ପ୍ରତିବର୍ଷ ଶହ ଶହ ଟନ୍‌ ପଣସ ଉତ୍ପାଦିତ ହୋଇଥାଏ। ହେଲେ ଦୁଃଖର କଥା ହେଲା, ଆମ୍ବ ଭଳି ଆଜି ଯାଏ ପ୍ରଶାସନ ପକ୍ଷରୁ କିମ୍ବା ଉଦ୍ୟାନ ବିଭାଗ ପକ୍ଷରୁ ପଣସ ରୋପଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି। କନ୍ଧମାଳରେ ପ୍ରାକୃତିକ ଉପାୟରେ ଉଠିଥିବା ଗଛମାନଙ୍କରୁ  ପ୍ରତିବର୍ଷ ପ୍ରବଳ ମାତ୍ରାରେ ପଣସ ଉତ୍ପାଦିତ ହୋଇଥାଏ।
ଫୁଲବାଣୀ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଏକ ତଥ୍ୟ ଅନୁସାରେ, କନ୍ଧମାଳର ବିଭିନ୍ନ ଜଙ୍ଗଲରେ ୯ରୁ ୧୦ ଲକ୍ଷ ପଣସ ଗଛ ରହିଛି। ଗୋଟିଏ ଗଛରୁ ଆନୁମାନିକ ୧୦୦ଟି (୫ କ୍ବିଣ୍ଟାଲ୍) ପଣସ ଉତ୍ପାଦିତ ହୋଇଥାଏ। ଏହି ହିସାବକୁ ବିଚାର କଲେ କନ୍ଧମାଳ ଜିଲ୍ଲାରେ ବାର୍ଷିକ ୨.୫ ଲକ୍ଷ ଟନ୍‌ ପାଖାପାଖି ପଣସ ଉତ୍ପାଦିତ ହୋଇଥାଏ। କିନ୍ତୁ ଚଳିତବର୍ଷ ଗଛମାନଙ୍କରେ ଯେଉଁଭଳି ପଣସ ଲଦି ହୋଇଛି ଉତ୍ପାଦନରେ ଏହା ପୂର୍ବ ବର୍ଷମାନଙ୍କର ରେକର୍ଡ଼ ଭାଙ୍ଗିଦେବ ବୋଲି ଅନୁମାନ କରାଯାଉଛି।

publive-image Ayushvedah.com

ପଣସଗୁଡ଼ିକ ସାଧାରଣତଃ ପାରମ୍ପରିକ ଭାବେ ଆଦିବାସୀ ପୁରପଲ୍ଲୀରେ ଏବଂ ଜଙ୍ଗଲରେ ହେଉଥିବାରୁ ଏହା ଆଦିବାସୀଙ୍କ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ପାଇଛି। ଆଦିବାସୀମାନେ ବର୍ଷା ଦିନେ ପଣସକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି। କଞ୍ଚା ପଣସକୁ ରୋଷେଇ କରିବା ସହିତ ପାଚିଲା ପଣସ କୋସା ଏବଂ ମଞ୍ଜିକୁ ସିଝାଇ ଖାଇଥାନ୍ତି। ତେବେ ମୋଟ ଉତ୍ପାଦନର ସାମାନ୍ୟ କିଛି ଅଂଶ କଞ୍ଚା ପଣସ ଫୁଲବାଣୀ, ବାଲିଗୁଡ଼ା ସମେତ ଆଉ କେତେକ ଆଞ୍ଚଳିକ ପରିବା ହାଟରେ ବିକ୍ରି ହୋଇଥାଏ ଏବଂ ବ୍ରହ୍ମପୁର, ନୟାଗଡ଼ ଅଞ୍ଚଳରୁ କିଛି ବେପାରୀ ଆସି ସ୍ବଳ୍ପ ମୂଲ୍ୟରେ ଆଦିବାସୀଙ୍କ ଠାରୁ ପଣସ କିଣି  ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାରେ ଚଢ଼ା ଦରରେ ବିକ୍ରି କରିଥାନ୍ତି। କିନ୍ତୁ ଆଦିବାସୀମାନେ ପଣସର ଉଚିତ ମୂଲ୍ୟ ପାଇପାରନ୍ତି ନାହିଁ।

publive-image Chowhound

ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ପଣସ ପ୍ରୋସେସିଂ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବାକୁ ଦୀର୍ଘବର୍ଷ ଧରି ଦାବି ହୋଇଆସୁଛି। ମାତ୍ର କୌଣସି ଉଦ୍ୟୋଗୀ କିମ୍ବା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ପଣସ ମୂଲ୍ୟଯୁକ୍ତ କରାଯାଇପାରିଲେ, ଏହା ପ୍ରଚୁର ଲାଭଦାୟକ ହୋଇପାରିବ। ପଣସରୁ ନାନା ପ୍ରକାର ଆକର୍ଷଣୀୟ ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ଯଦି ଫୁଲବାଣୀରେ ପ୍ରୋସେସିଂ ପ୍ଲାଣ୍ଟ୍ ସ୍ଥାପନ ହୋଇପାରନ୍ତା ତେବେ ପାଚିଲା ପଣସରୁ ପଲ୍‌ପ, ଜୁସ୍‌, କ୍ୟାଣ୍ଡି, ଚକୋଲେଟ୍‌, କେକ୍‌, ସଫ୍‌ଟ ଡ୍ରିଙ୍କ୍‌ସ ପ୍ରସ୍ତୁତ ହୋଇପାରନ୍ତା। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି, ଫୁଲବାଣୀରେ ଆଜିଯାଏ ପଣସ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ସମ୍ଭବ ହୋଇପାରୁନାହିଁ। ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲେ କନ୍ଧମାଳ ଜିଲ୍ଲାର ଆଦିବାସୀମାନେ ଉପକୃତ ହୋଇପାରନ୍ତେ। ପଣସର ଉତ୍ପାଦନକୁ ଲକ୍ଷ୍ୟରେ ରଖି ଜିଲ୍ଲାରେ ବିଭିନ୍ନ ଏଫ୍‌ପିଓ (ଫାର୍ମର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍) ଗଠନ କରିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ହେବା ଜରୁରୀ ହୋଇପଡ଼ିଛି। ଜିଲ୍ଲାରେ ଏକାଧିକ ଏଫ୍‌ପିଓ ଗଠନ କରାଯାଇପାରିଲେ ପଣସର ପ୍ରୋସେସିଂ ଠାରୁ ଆରମ୍ଭ କରି ବିକ୍ରିବଟା ସୁଲଭ ହୋଇପାରନ୍ତା।
ସେହିଭଳି କନ୍ଧମାଳ ଜିଲ୍ଲାରେ ହଳଦୀ, ଅଦା, ଆମ୍ବ ଭଳି ପଣସର ମାର୍କେଟିଂ ପାଇଁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଉଦ୍ୟମ କରିନାହିଁ। ଜିଲ୍ଲାରେ ‘କସମ୍’ ଭଳି ଏକ ଏଫ୍‌ପିଓ ଗଠନ କରାଯାଇ ପଣସର ଭାଲ୍ୟୁ ଆଡିସନ୍ ସହ ମାର୍କେଟିଂ କରିପାରିଲେ କନ୍ଧମାଳ ପଣସରୁ ବେଶ୍ କିଛି ଅର୍ଥ ରୋଜଗାର କରିପାରନ୍ତା ଏବଂ ଏଠାକାର ଚାଷୀମାନେ ଉପକୃତ ହୋଇପାରନ୍ତେ।