ଭୁବନେଶ୍ବର : ବରିଷ୍ଠ ହସ୍ତଶିଳ୍ପୀ ଏବଂ ବୁଣାକାରମାନଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯିବ। ୨୦୧୯ ମାର୍ଚ୍ଚ ୫ରେ ଏହା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ୪ ବର୍ଷ ପରେ ମଧ୍ୟ ଏହି ଘୋଷଣାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଯାହାକୁ ନେଇ ବୁଣାକାରମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା କହିଛି ଓଡ଼ିଶା ଶିଳ୍ପୀ ମହାସଂଘ।

Advertisment

ମହାସଂଘ ସମ୍ପାଦକ ପ୍ରିୟରଞ୍ଜନ କର କହିଛନ୍ତି, କଳାକାରମାନଙ୍କୁ ଆର୍ଥିକ ସହାୟତା ଦିଆଯାଏ କିନ୍ତୁ ହସ୍ତଶିଳ୍ପୀମାନେ ଏଥିରୁ ବଞ୍ଚିତ ହୁଅନ୍ତି। ବର୍ତ୍ତମାନ ବୁଣାକାରମାନଙ୍କ ସ୍ଥିତି ପରିପ୍ରେକ୍ଷୀରେ ୪୦ ବର୍ଷର ମହିଳା ଏବଂ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କୁ ମାସିକ ୧୨୦୦ ଟଙ୍କା ଆର୍ଥିକ ସହାୟତା ସହିତ ୨ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ଭୂମିହୀନ କାରିଗରଙ୍କୁ ଘରଡିହ, ପିଲାଙ୍କୁ ଛାତ୍ର ବୃତ୍ତି, ବିନା ସୁଧରେ ଋଣ, ଜୀବନ ବୀମା, ଭୁବନେଶ୍ବରରେ ସାମୟିକ ରହଣି ପାଇଁ କାରିଗର ହଷ୍ଟେଲ, କାରିଗର କଲ୍ୟାଣ ପାଣ୍ଠି, ରାସ୍ତା କଡ଼ରେ ଥିବା ଶିଳ୍ପୀ ଏବଂ ବୟନ ଗାଁର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା ସମେତ ବିଭିନ୍ନ ପ୍ରକାର ଦାବି କରାଯାଇଛି। କଟକ ଜିଲ୍ଲାର ଓଳାଶୁଣି ପୀଠ ଗଣେଶ ମଣ୍ଡପ ପରିସରରେ ଆୟୋଜିତ କଟକ ଜିଲ୍ଲା କାରିଗର ସମାବେଶରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ରାଜ୍ୟ ସରକାର ତୁରନ୍ତ ମାସିକ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି।