ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ୍ ସୀମାନ୍ତରେ ଥିବା ପାକିଡ଼ି ବନାଞ୍ଚଳ। ଜାତୀୟ ପକ୍ଷୀ ମୟୂରଙ୍କ ଅମରାବତୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ବନାଞ୍ଚଳର ୧୯୭୦ ହେକ୍ଟର୍ ଇଲାକା ସହସ୍ରାଧିକ ମୟୂରଙ୍କ ବିଚରଣସ୍ଥଳ ପାଲଟିଛି। ଦୁଃଖର ବିଷୟ ହେଲା, ଆଜିପର୍ଯ୍ୟନ୍ତ ଜାତୀୟ ପକ୍ଷୀ ଗଣନା ପାଇଁ ରାଜ୍ୟ ସରକାର ଆଗ୍ରହ ଦେଖାଇନାହାନ୍ତି। ଯାହାକୁ ନେଇ ପରିବେଶବିତ୍‌ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗୋପାଳପୁର-ରାୟପୁର ଜାତୀୟ ରାଜପଥ ଓ ଶେରଗଡ଼-ଆସିକା ମୁଖ୍ୟରାସ୍ତା ମଧ୍ୟସ୍ଥଳରେ ଥିବା ଏହି ବନାଞ୍ଚଳରେ ବର୍ତ୍ତମାନ ଶହଶହ ସଂଖ୍ୟାରେ ମୟୂର ରହୁଛନ୍ତି। ମୟୂର ଉଦ୍ୟାନର ଭିତ୍ତିଭୂମୀୟ ବିକାଶ ଓ ମୟୂରଙ୍କୁ ସୁରକ୍ଷା ଦେବାକୁ ସରକାର ଭୁଲି ଯାଇଥିବା ବେଳେ ଆଖପାଖର ୧୨ଟି ଗ୍ରାମର ଲୋକମାନେ ଏଥିପ୍ରତି ଦୃଷ୍ଟି ଦେଇଆସୁଛନ୍ତି। ଏହିସବୁ ଗ୍ରାମଗୁଡ଼ିକ ହେଲା,ଶେରଗଡ଼ ଓ ଆସିକା ବ୍ଲକ୍‌ର ଶୋଭାଚନ୍ଦ୍ରପୁର, କେରିକେରିଝୋଳା, ଆମ୍ବୁଆବାଡ଼ି, ଭାରତୀଲି, ସମେଇଗୁଡ଼ା, କଣ୍ତୋଳି, ପାକିଡ଼ି, ନରେନ୍ଦ୍ରପୁର, ପଥରପୁଞ୍ଜି, ଅଶୋକପୁର, ଚେରମାରିଆ ଓ ଖଣ୍ତଦେଉଳି। ସେହିପରି, ବନ ସୁରକ୍ଷା ସମିତିର ସଦସ୍ୟମାନେ ବର୍ଷର ୧୨ମାସ ଶିକାରୀଙ୍କ ଦାଉରୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଯେଉଁଥିପାଇଁ ଗତ କିଛିବର୍ଷ ମଧ୍ୟରେ ମୟୂରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ହେଲେ, ଆଜି ପର୍ଯ୍ୟନ୍ତ ବନାଞ୍ଚଳରେ ନିର୍ଦ୍ଦିଷ୍ଟ ଭାବେ କେତେ ମୟୂର ଅଛନ୍ତି, ତାହା ଗଣନା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉନି। ଗଣନା ନହେଲେ ନାହିଁ, କୃଷ୍ଣସାର ମୃଗଙ୍କ ଭଳି ଜାତୀୟ ପକ୍ଷୀର ସୁରକ୍ଷା ପାଇଁ ଏକ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ପାଇଁ ପରିବେଶବିତ୍ କହିଛନ୍ତି।

publive-image Pexels

ଅପରପକ୍ଷେ, ମୟୂରଙ୍କ ଗଣନା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିବା ଖୋଦ୍ ବନ ବିଭାଗର ପଦାଧିକାରୀମାନେ ସ୍ବୀକାର କରିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ କହିବାନୁସାରେ, ମୟୂର ଗଣନା ପାଇଁ ଏଯାଏ ରାଜ୍ୟ ସରକାରଙ୍କ ଦ୍ବାରା କୌଣସି ବିଧିବଦ୍ଧ ପ୍ରସ୍ତାବ ଆଗତ ହୋଇନି। ଏହା ବନ୍ୟଜନ୍ତୁ ଶ୍ରେଣୀରେ ଆସୁଥିଲେ ବି ଏଯାଏ ବନଖଣ୍ଡରେ କେତେ ମୟୂର ଅଛନ୍ତି, ତାହାର କୌଣସି ହିସାବ ନାହିଁ।

ଆସିକା ବନାଞ୍ଚଳ ରେଞ୍ଜର୍ ପ୍ରମୋଦ କୁମାର ପଣ୍ଡା ବି ସମାନ କଥା ଦୋହରାଇଛନ୍ତି। ଦୁଇବର୍ଷକୁ ଥରେ କେବଳ ଜଳାଶୟରେ ଥିବା ପକ୍ଷୀଙ୍କ ଗଣନା ହେଉଛି। ସରକାର ଓ ବିଭାଗର ବିଧିବଦ୍ଧ ନିର୍ଦ୍ଦେଶ ଆସିଲେ ପକ୍ଷୀ ଗଣନା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।