ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ ଦ୍ବାରା କ୍ରମାଗତ ଅବହେଳାର ଶିକାର ହେଉଛି ରାଉରକେଲା। ରାଜସ୍ବର ସିଂହଭାଗ ରାଉରକେଲାରୁ ହିଁ ଆଦାୟ ହେଉଛି, କିନ୍ତୁ ଭିତ୍ତିଭୂମି ବିକାଶ କରାଯାଉନି କିମ୍ବା ରେଳସେବାକୁ ବ୍ୟାପକ ପାଇଁ ଧ୍ୟାନ ଦିଆଯାଉନି। ରାଉରକେଲାକୁ ଆଉ ଏକ ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ ନ ହେବା ଏଭଳି ଅବହେଳାର ଅନ୍ୟତମ ଉଦାହରଣବୋଲି ଅଭିଯୋଗ ହୁଏ।
Advertisment
ଏହା ସତ ‌ଯେ ଆଉ ଏକ ବନ୍ଦେଭାରତ ଏକ୍ସପ୍ରେସ୍‌ ପାଇଁ ରାଉରକେଲାରେ ଭିତ୍ତିଭୂମିର ବିକାଶ କରିବାକୁ ହେବ। ତେବେ ଏଠାକାର ଭିତ୍ତିଭୂମିକୁ ବିକାଶ କରାଯାଉନଥିବାରୁ, ଦ୍ବିତୀୟ ବନ୍ଦେଭାରତ ପାଇଁ ବାଟ ଫିଟିପାରୁନି। ଅପରପକ୍ଷରେ ରାଉରକେଲା ଦେଇ ଏହି ଏକ୍ସପ୍ରେସ୍‌ ଗଡ଼ିବା ହିଁ ବର୍ତ୍ତମାନର ଆବଶ୍ୟକତା।
ରାଉରକେଲା ରେଳ ଷ୍ଟେସନର ଭିତ୍ତିଭୂମି ବିକାଶ ଅନିବାର୍ଯ୍ୟ ହେଲାଣି। ଏଥିରେ ବିଳମ୍ବ ଘଟୁଥିବାରୁ ନୂଆ ରେଳ ଚଳାଚଳ ସମେତ ଭବେନ୍ଦଭାରତ ପାଇଁ ବାଧକ ସାଜିଛି। ରାଉରକେଲା ରେଳବାଇର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସମାନ ଯୁକ୍ତି ବାଢ଼ିଛନ୍ତି। ପ୍ରଥମେ ଆବଶ୍ୟକ ଭିତ୍ତିଭୂମି ବିକାଶ, ଟ୍ରାକ୍‌ ସୁଦୃଢ଼ କରିବା ଆଦି ଜରୁରି। ଗୋଟିଏପଟେ ଭିତ୍ତିଭୂମି ବିକାଶ କରାଯାଉନଥିବାବେଳେ ଅପରପଟରେ ନୂଆ ବନ୍ଦେଭାରତ ପାଇଁ ପରିକଳ୍ପନା ବି କରାଯାଉନି।
ଓଡ଼ିଶାରେ ବର୍ତ୍ତମାନ ତିନିଟି ବନ୍ଦେଭାରତ ଏକ୍ସପ୍ରେସ୍‌, ଯଥା-ହାୱାଡ଼ା-ପୁରୀ, ଭୁବନେଶ୍ବର-ବିଶାଖାପାଟଣା, ପୁରୀ-ରାଉରକେଲା ଚଳାଚଳ କରୁଛି। ଅପରପକ୍ଷରେ ପଡ଼ୋଶୀ ରାଜ୍ୟ, ପଶ୍ଚିମବଙ୍ଗରେ ୬ଟି ଓ ଝାଡ଼ଖଣ୍ଡରେ ୩ଟି ଚାଲୁଛି। ଏଣୁ ଓଡ଼ିଶାର ଭାଗ ୪କୁ ବୃଦ୍ଧି କରିବାରେ ବିଶେଷ ଅସୁବିଧା ହେବନିବୋଲି ବିଶେଷଜ୍ଞ ମତ ରଖିଛନ୍ତି। ଏତଦ୍‌ବ୍ୟତୀତ, ରାଉରକେଲା-ପୁରୀ ଚଳାଚଳ କରୁଥିବା ବନ୍ଦେଭାରତରେ ଯାତ୍ରୀସଂଖ୍ୟା ବର୍ତ୍ତମାନ ୮୦/୯୦ ପ୍ରତିଶତ। ଖରାଦିନେ ଏହା ଶତପ୍ରତିଶତ ସଂରକ୍ଷିତ ରହୁଥିଲା। ଏଣୁ ନୂଆ ଏକ୍ସପ୍ରେସ ଚାଲିଲେ ଯାତ୍ରୀସଂଖ୍ୟା କମିବାର ଆଶଙ୍କା କମ୍‌। ବର୍ତ୍ତମାନ ସମ୍ବଲପୁର-ରାଉରକେଲା-ରାଞ୍ଚି କିମ୍ବା ସମ୍ବଲପୁର-ରାଉରକେଲା-ହାୱଡ଼ା ଦେଇ ନୂଆ ବନ୍ଦେଭାରତ ଏକ୍ସପ୍ରେସ୍‌ ଚଳାଚଳ କରିବାକୁ ଜୋର୍‌ ଧରିଛି।
ସମ୍ବଲପୁର-ହାୱଡ଼ା ଓ ସମ୍ବଲପୁର-ରାଞ୍ଚି ମଧ୍ୟରେ ଦୂରତାକୁ ତର୍ଜମାକଲେ ନୂଆ ବନ୍ଦେଭାରତ ଯେ ପ୍ରଯୁଜ୍ୟ, ତାହା ସ୍ପଷ୍ଟ ହୁଏ। ସମ୍ବଲପୁର-ହାୱଡ଼ା ମଧ୍ୟରେ ଦୂରତା ୫୫୯ କିଲୋମିଟର ଓ ସମ୍ବଲପୁର-ରାଞ୍ଚି ମଧ୍ୟରେ ଦୂରତା ୩୧୭ କିଲୋମିଟର।
ଏହାସହ ହାୱଡ଼ା-ରାଞ୍ଚି ମଧ୍ୟରେ ଚାଲୁଥିବା ଏକ୍ସପ୍ରେସ୍‌କୁ ରାଉରକେଲାକୁ ସଂପ୍ରସାରଣ ମଧ୍ୟ କରାଯିବାର ବିକଳ୍ପ ରେଳ ବିଭାଗ ପାଖରେ ରହିଛି। ଏହାହେଲେ ହାୱଡ଼ା-ରାଞ୍ଚି-ରାଉରକେଲା ମଧ୍ୟରେ ଦୂରତା ୬୨୯ କିଲୋମିଟର ହେବ। ଏହି କ୍ଷେତ୍ରରେ ଦୂରତା ଏକ ବାଧକ ହୋଇନପାରେ। କାରଣ, ନୂଆଦିଲ୍ଲୀ-ବାରାଣାସୀ ବନ୍ଦେଭାରତ ଏକ୍ସପ୍ରେସ ୭୫୭ କିଲୋମିଟର ଅତିକ୍ରମ କରୁଥିବାବେଳେ ନୂଆଦିଲ୍ଲୀ-କାଟରା ୬୫୫ କିଲୋମିଟର, ବିଶାଖାପାଟଣା-ସିକନ୍ଦରାବାଦ ୬୯୮ କିଲୋମିଟର, ରାଣୀ କମଲାପତି-ହଜରତଗଞ୍ଜ ୭୦୦ କିଲୋମିଟର, ସିକନ୍ଦରାବାଦ-ତିରୁପତି ୬୬୧ କିଲୋମିଟର, ଆଜମେର-ଚଣ୍ଡିଗଡ଼ ୭୦୦ କିଲୋମିଟର, ଇନ୍ଦୋର-ନାଗପୁର ୬୩୫ କିଲୋମିଟର, ଚେନ୍ନାଇ ଏଗ୍‌ମୋର-ତିରୁନେଲଭେଲି ୬୫୦ କିଲୋମିଟର, ହଜରତ ନିଜାମୁଦ୍ଦିନ-ଖଜୁରାହୋ ୬୫୯ କିଲୋମିଟର ଅତିକ୍ରମ କରୁଛି। ଏଣୁ ଅବିଳମ୍ବେ ରାଉରକେଲାରେ ଭିତ୍ତିଭୂମି ବିକାଶ କରି ବନ୍ଦେଭାରତ ଚଳାଚଳ ପାଇଁ ବିଭାଗ ପଦକ୍ଷେପ ନେବା ଅବସମ୍ଭ୍ୟାବୀ ହୋଇପଡ଼ିଛି।