ନୂଆ ଥାନା, ଫାଣ୍ଡି ପ୍ରତିଷ୍ଠା କେବେ? ବିଧାନସଭାରେ ଉଦ୍‌ବେଗ ପ୍ରକାଶ କଲେ ବିଧାୟକ

ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତ୍ବ ଦିଆଯାଉ ନ ଥିବା ଅଭିଯୋଗ
ନୂଆ ଥାନା ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ନୂଆ ଥାନା/ଫାଣ୍ଡି ପାଇଁ ବିଧାୟକମାନେ ବାରମ୍ବାର ଦାବି କରୁଛନ୍ତି। ଏହି ଉଦ୍‌ବେଗକୁ ଲକ୍ଷ୍ୟ କରି ୨୦୨୧ ଫେବ୍ରୁଆରି ୨୨ ତାରିଖରେ ବିଧାନସଭାରେ ବାଚସ୍ପତି ରୁଲିଂ ଦେଇଥିଲେ ଯେ ବିଧାୟକମାନେ ନୂଆ ଥାନା/ଫାଣ୍ଡି ପାଇଁ ଗୃହ ବିଭାଗକୁ ଲେଖିକି ଦିଅନ୍ତୁ। ସେହି ମାସ ୨୭ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ବିଧାୟକମାନଙ୍କୁ ପ୍ରସ୍ତାବ ଦେବା ପାଇଁ ପତ୍ର ଲେଖିଲେ। ପ୍ରାୟ ୬୦ ବିଧାୟକ ଲିଖିତ ‌ପ୍ରସ୍ତାବ ଦେଲେ। ଏହା ପରେ ବିଭିନ୍ନ ଜିଲ୍ଲାରୁ ଏସ୍‌ପିମାନେ ମଧ୍ୟ ଏହି ଆବଶ୍ୟକତା ଉପରେ ରିପୋର୍ଟ ଦେଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଉପରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ବିଳମ୍ବିତ ପ୍ରକ୍ରିୟାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ବିଧାୟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ସଭ୍ୟମାନେ ସରକାରଙ୍କୁ ଭର୍ତ୍ସନା କରିଥିଲେ।

ପ୍ରଶ୍ନକାଳରେ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କର ଗୃହ ବିଭାଗ ସମ୍ପର୍କିତ ମୂଳ ପ୍ରଶ୍ନ ଉପରେ ଆଲୋଚନା ଚାଲିଥିଲା ବେଳେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଅତିରିକ୍ତ ପ୍ରଶ୍ନ ପଚାରି ଏହି ପ୍ରସଙ୍ଗ ଉଠାଇଥିଲେ। ଅଭିଯୋଗ କରିଥିଲେ ଯେ ବାଚସ୍ପତିଙ୍କ ରୁଲିଂର କିଛି ମୂଲ୍ୟ ରହୁନାହିଁ। ଆମେ ଲିଖିତ ଆକାରରେ ଦେବାପରେ ବି ଫଳାଫଳ ଶୂନ। ଏହି ଥାନା/ଫାଣ୍ଡି ପ୍ରତିଷ୍ଠାର ସମୟସୀମା କେବେ? ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଲେ, ଆମେ ତାଲିକା ପ୍ରସ୍ତୁତ କରୁଛୁ। ରାଜ୍ୟରେ ନୂଆ ୬୮ଟି ଥାନା/ଫାଣ୍ଡି ପ୍ରତିଷ୍ଠା ହେବାର ଯୋଜନା ରହିଛି। ଖୁବ୍ ଶୀଘ୍ର ଆମେ ପଦକ୍ଷେପ ନେବୁ।

ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କଡ଼ା ଭାଷାରେ ସମାଲୋଚନା କରି ସେ କହିଥିଲେ, ପ୍ରସ୍ତାବ ମଗାଗଲା ପରେ କେତେ ଦିନ ଲାଗିବ ଥାନା/ଫାଣ୍ଡି ନିର୍ମାଣ ପାଇଁ? ସବୁବେଳେ ସରକାରଙ୍କର ଗୋଟିଏ ଉତ୍ତର ‘ଆମେ ବିଚାର କରୁଛୁ’। ଏ ବିଚାର କେବେ ସରିବ? ବିଚାର ସରିବା ପର୍ଯ୍ୟନ୍ତ ଗୃହ ବନ୍ଦ ରଖାଯାଉ। ଏ ସରକାରରେ କ’ଣ ଚାଲିଛି? ଆମେ କ’ଣ ଏଠିକି ସବୁ ବୋକା ଆସିଛୁ? ଏମିତି ବିଚାର ଚାଲିଛି କହି ସରକାର ୫ ବର୍ଷ ବି ନେଇଯିବେ। ଏମିତି ଖାମଖିଆଲ ଉତ୍ତର ଦିଆ ନ ଯାଉ। ଥାନା/ଫାଣ୍ଡି ପ୍ରତିଷ୍ଠାର ସମୟସୀମା ଧାର୍ଯ୍ୟ କରି ମନ୍ତ୍ରୀ ଉତ୍ତର ଦିଅନ୍ତୁ। ବାଚସ୍ପତି ମହୋଦୟ, ଆପଣଙ୍କ ରୁଲିଂର ମାନେ କ’ଣ ରହିଲା ଆପଣ ବୁଝିପାରୁଛନ୍ତି ତ ?

ମନ୍ତ୍ରୀ କହିଥିଲେ ଯେ ବିଧାୟକମାନଙ୍କ ପ୍ରସ୍ତାବକୁ ଗୁରୁତର ସହ ନିଆଯାଇଛି। ଥାନା/ଫାଣ୍ଡି ପ୍ରତିଷ୍ଠା ପାଇଁ ବିଭିନ୍ନ ଦିଗକୁ ବିଚାରକୁ ନିଆଯାଏ। ଆମେ ଏ ଦିଗରେ କାମ କରୁଛୁ। ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଧାୟକ ସୁରେଶ ରାଉତରାୟ, ମିନାକ୍ଷୀ ମହନ୍ତ, ଲତିକା ପ୍ରଧାନ, କୁସୁମ ଟେଟେ, ସନାତନ ବିଜୁଳି ଓ ମହମ୍ମଦ ମୋକିମ୍ ଏ ସଂକ୍ରାନ୍ତୀୟ ଅତିରିକ୍ତ ପ୍ରଶ୍ନ କରିଥିଲେ। ଆହୁରି ଅନେକ ବିଧାୟକ ମଧ୍ୟ ନିଜ ନିଜ ଅଞ୍ଚଳରେ ଥାନା/ଫାଣ୍ଡି ପ୍ରତିଷ୍ଠା ସମ୍ପର୍କିତ ଅତିରିକ୍ତ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ। ଗୃହର ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି କହିଥିଲେ ଯେ ବିଧାନସଭାରେ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଥାନା/ଫାଣ୍ଡି ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଦାବି କରୁଛନ୍ତି। ଏ ସମ୍ପର୍କରେ ଲେଖିକି ମଧ୍ୟ ଦେଇଛନ୍ତି। ଗୃହ ବିଭାଗରେ ନିଶ୍ଚିତ କିଛି ବାଧ୍ୟବାଧକତା ଥିବ। ମାନବ ସମ୍ବଳର ଅଭାବ ଥିବ। କିନ୍ତୁ ଆମ୍ଭେମାନେ ଯେତେବେଳେ ଜିଲ୍ଲା ଏସ୍‌ପିଙ୍କୁ କୌଣସି ଅଞ୍ଚଳରେ ଆଉଟ୍‌ପୋଷ୍ଟ ପାଇଁ କହୁଛୁ, ସେ ଆମକୁ କହୁଛନ୍ତି ଯେ ଆପଣ ସରକାରରେ ଅଛନ୍ତି, ସେଠୁ ଅଧିକ ମାନବ ସମ୍ବଳର ବ୍ୟବସ୍ଥା କରାନ୍ତୁ। ୪୦ ଜଣ ବିଧାୟକ ଏ ସମ୍ପର୍କରେ ମୋତେ ଅଭିଯୋଗ ଦେଇଛନ୍ତି। ତେଣୁ ଆଜି ଗୃହ କାର୍ଯ୍ୟ ସରିଲା ପରେ ବିଭାଗୀୟ ସଚିବ ଓ ଡିଜିଙ୍କୁ ଡାକି ଏହି ପ୍ରସଙ୍ଗରେ ବୈଠକ କରାନ୍ତୁ। ନୂଆ ଥାନା/ପ୍ରତିଷ୍ଠା ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର