କ୍ଷୁଦ୍ର ଜଳସେଚନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି କେବେ ?

ଭୁବନେଶ୍ବର : ରାଜ୍ୟରେ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। କ୍ଷୁଦ୍ର ଜଳସେଚନ ବିଭାଗରେ ୨ ପ୍ରକାରର ସହକାରୀ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି। କିଛି ସହକାରୀ ଯନ୍ତ୍ରୀ ନିଜସ୍ବ କ୍ୟାଡର୍‌ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ କିଛି ସହକାରୀ ଯନ୍ତ୍ରୀ ଜଳସେଚନ ବିଭାଗରୁ ଆସି କାର୍ଯ୍ୟ କରୁଛନ୍ତି। ଜଳସେଚନ କ୍ୟାଡର୍‌ରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ପଦୋନ୍ନତି ପାଇଥିବା ବେଳେ କ୍ଷୁଦ୍ର ଜଳସେଚନ କ୍ୟାଡର୍‌ର ସହରକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ମିଳୁନାହିଁ।

୨୦୦୮ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗର କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦିଆଯାଇଥିଲା। ହେଲେ ଏହା ବିରୋଧରେ ଜଳସେଚନ କ୍ୟାଡର୍‌ରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ସ୍ୟାଟ୍‌ରେ ମାମଲା ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ସେମାନେ ହାଇକୋର୍ଟରେ ଆବେଦନ କରିଥିଲେ। ଦୁଇଦୁଇ ଥର କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ସପକ୍ଷରେ ରାୟ ଯିବାରୁ ସେମାନେ ସୁପ୍ରିମକୋର୍ଟ ଯାଇ ରହିତାଦେଶ ଆଣିଥିଲେ। ଯଦିଓ ରହିତାଦେଶ ସମୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହାକୁ ଭ୍ୟାକେଟ ପାଇଁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ, ମାତ୍ର ଜଳସଂପଦ ବିଭାଗ କୋର୍ଟ ମାମଲାର ବାହାନା କରି ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତିରୁ ବଞ୍ଚିତ ରଖିଛି। ଅନ୍ୟପକ୍ଷରେ ଜଳସେଚନ କ୍ୟାଡର୍‌ ସହକାରୀ ଯନ୍ତ୍ରୀମାନେ ଏହା ଭିତରେ ପଦୋନ୍ନତି ପାଇସାରିଲେଣି।

ସରକାର ବିଚାରଧୀନ ମାମଲାଗୁଡ଼ିକୁ ଅତ୍ୟନ୍ତ ଗୁରୁତ୍ବର ସହ ନେଉଥିବା ବେଳେ କେଉଁ ପରିପ୍ରେକ୍ଷୀରେ କୌଣସି ସରକାରୀ ଅଧିକାରୀ ସୁପ୍ରିମକୋର୍ଟରେ ଥିବା ମାମଲାରେ ପକ୍ଷଭୁକ୍ତ ହେଲେ ନାହିଁ କି ଆଇନଜୀବୀ ମଧ୍ୟ ଦେଲେ ନାହିଁ। ଜଳସଂପଦ ବିଭାଗର ଚିଠି ସଂଖ୍ୟା ୧୦୧୧୮୨୩ରେ ରାଜ୍ୟ ସରକାର ଜଳସେଚନ କ୍ୟାଡର ଓ କ୍ଷୁଦ୍ର ଜଳସେଚନ କ୍ୟାଡର ସଂପୂର୍ଣ୍ଣ ଅଲଗା ବୋଲି କହିଛନ୍ତି। ଏହାସହ କେହି କାହା ବିଭାଗରେ ଅନଧିକାର ପ୍ରବେଶ କରିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୬୬ଟି ସହକାରୀ ଯନ୍ତ୍ରୀ ପଦ ରହିଛି। ତହିଁରୁ ୪୦ ପ୍ରତିଶତ ବା ୬୬ଟି ସହକାରୀ ଯନ୍ତ୍ରୀଙ୍କ ପଦୋନ୍ନତି ପାଇଁ ଉଦ୍ଦିଷ୍ଟ। ତେଣୁ ପଦୋନ୍ନତି ନ ମିଳିବାରୁ ସହକାରୀ ଯନ୍ତ୍ରୀଙ୍କ ମଧ୍ୟ‌ରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଏମ୍‌ଆଇ ଡିପ୍ଲୋମା ଇଞ୍ଜିନିୟର୍ସ ସେବା ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର