କଟକ, ଭୁବନେଶ୍ବର, ବ୍ରହ୍ମପୁର ପାଇଁ ସଂରକ୍ଷଣ ତାଲିକା ବାହାରିଲା: ସମ୍ବଲପୁର ମହାନଗର ନିର୍ବାଚନ କେବେ?

ସରକାର ଚାହୁ ନାହାନ୍ତି ନିର୍ବାଚିତ ପରିଷଦ
ବିରୋଧୀ ବି ନିରବ, ହନ୍ତସନ୍ତ ସାଧାରଣ ଜନତା

ସମ୍ବଲପୁର : ନିକଟରେ ସରକାର ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ମେୟର୍‌ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ସବୁ ସମ୍ବଲପୁର ଓ ରାଉରକେଲା ମହାନଗର ସଂପର୍କରେ କୌଣସି ଘୋଷଣା କରାଯାଇନାହିଁ। ତେଣୁ ଉକ୍ତ ତିନି ପୌର ନିଗମ ସହ ଦୁଇ ନୂଆ ନିଗମର ନିର୍ବାଚନ ଯେ ହେବାର ନାହିଁ, ଏକଥା ଏକପ୍ରକାର ସ୍ପଷ୍ଟ ହୋଇଛି।

ସମ୍ବଲପୁର ମହାନଗର ନିଗମ ଘୋଷଣା ହେବାଦିନଠାରୁ ଏହାର ନିର୍ବାଚନ ହୋଇନାହିଁ। ୨୦୧୩ ସେପ୍ଟେମ୍ବରରେ ସରକାର ଏହି ଦୁଇ ନୂଆ ମହାନଗର ସଂପର୍କରେ ଘୋଷଣା କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ଶେଷ ହେବାପରେ ସେହି ବର୍ଷ ନଭେମ୍ବର ମାସରେ ସମ୍ବଲପୁର ରାଜ୍ୟର ପଞ୍ଚମ ମହାନଗରର ମାନ୍ୟତା ପାଇଥିଲା। ତା’ର କିଛିଦିନ ପୂର୍ବରୁ ସରକାର ରାଉରକେଲାକୁ ମହାନଗର ଘୋଷଣା କରିଥିଲେ। କିନ୍ତୁ ମହାନଗର ହେବାଦିନଠାରୁ ରାଜ୍ୟର ଏହି ଦୁଇ ବୃହତ୍‌ ସହରାଞ୍ଚଳବାସୀ ଗଣତାନ୍ତ୍ରିକ ପରିଚାଳନା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଆସୁଛନ୍ତି। ୭ ବର୍ଷରୁ ଅଧିକ ‌ସମୟ ହେଲା ଉଭୟ ମହାନଗର ବିନା ନିର୍ବାଚିତ ପରିଷଦରେ ସରକାରୀବାବୁ ମାନଙ୍କ ଦ୍ବାରା ପରିଚାଳିତ ହେଉଛି। ହାଇକୋର୍ଟରେ ମାମଲା ଥିବା ଆଳ କରି ସରକାର ଏଠାରେ ନିର୍ବାଚନ କରିବାକୁ ଉଦ୍ୟମ କରୁନାହାନ୍ତି। ତେବେ ରାଜ୍ୟର ସରକାରୀ ଦଳ ନିର୍ବାଚନ ଚାହୁଁ ନଥିବାରୁ ଜାଣିଶୁଣି ଏଠାରେ ନିର୍ବାଚନ ପାଇଁ ଉଦ୍ୟମ କରାଯାଉ ନାହିଁ ବୋଲି ବିରୋଧୀମାନେ ମତ ଦିଅନ୍ତି। ଯେହେତୁ ବିନା ନିର୍ବାଚନରେ ଏହା ସରକାର ଓ ସରକାରୀ ଦଳର ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଛି, ତେଣୁ ଅଯଥାରେ ନିର୍ବାଚନ କରି ସେମାନେ କାହିଁକି ଜୟ, ପରାଜୟର ଗଣିତ ଭିତରକୁ ଯିବେ ବୋଲି ଆଲୋଚନା ହେଉଛି। ନିର୍ବାଚନ ଦାବିରେ ସେମିତି ଆଖିଦୃଶିଆ ବିରୋଧ ବା ଆନ୍ଦୋଳନ ନହେବା ତଥା ବିରୋଧୀ ଦଳ ଗୁଡ଼ିକର ନିରବତା ବି ସରକାରଙ୍କୁ ସୁହାଇଛି।

Zee News

୨୦୧୫ରେ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ପାଇଁ ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ବୁର୍ଲା ଅଞ୍ଚଳର ୫ଟି ଯାକ ୱାର୍ଡକୁ ସଂରକ୍ଷିତ ବର୍ଗ ପାଇଁ ରଖାଯିବାକୁ ବିରୋଧ କରି ଅଜୟ ମହାନ୍ତି ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହାଇକୋର୍ଟରେ ଏକ ମାମଲା ଦାଏର କରିଥିଲେ। ହାଇକୋର୍ଟ ଏହା ଉପରେ ସରକାରଙ୍କୁ ନୋଟିସ୍ କରି ଜବାବ ମାଗିଥିଲେ। କିନ୍ତୁ ୭ ବର୍ଷ ବିତି ଯାଇଥିଲେ ବି ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଗଲା ନାହିଁ। ନା ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାକୁ ସରକାର ସଂଶୋଧନ କଲେ ନା ତାହା ଠିକ୍ ଅଛି ବୋଲି ହାଇକୋର୍ଟଙ୍କୁ ଜଣାଇଲେ। ଫଳରେ ମାମଲା ଝୁଲି ରହିଲା। ସରକାରଙ୍କ ଗୋଟିଏ ସତ୍ୟପାଠରେ ଗୋଟିଏ ଦିନରେ ଏହି ମାମଲାର ସମାଧାନ ହୋଇ ପାରନ୍ତା ବୋଲି ଆଇନ୍‌ ବିଶାରଦମାନେ ମତ ଦିଅନ୍ତି।

ଏ ସମ୍ପର୍କରେ ସମ୍ବଲପୁର ମହାନଗର ନିର୍ବାଚନ ନହେବା ସଂପର୍କରେ ବିଜେପି ଜିଲ୍ଲା ସଭାପତି ତଥ‌ା ସମ୍ବଲପୁର ପୌର ପରିଷଦର ପୂର୍ବତନ ନଗରପାଳ ଗିରୀଶ ପଟେଲ କହିଛନ୍ତି, ନିର୍ବାଚନ କଲେ ‌ବିଜେଡି ହାରିବ ଓ ଭାରତୀୟ ଜନତା ପାର୍ଟି ବିଜୟୀ ହେବ ବୋଲି ସରକାର ଭଲ ଭାବରେ ଜାଣିଛନ୍ତି। ତେଣୁ ହାଇକୋର୍ଟରେ ‌ମାମଲାର ବାହାନା କରୁଛନ୍ତି। ସରକାର ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକା ଜାରି କରିବାରୁ ହାଇକୋର୍ଟରେ କେସ୍ ହେଲା। ସରକାର ଯଦି ତାକୁ ସୁଧାରି ଦେବେ ତା’ହେଲେ ମାମଲା ସେଇଠି ଶେଷ ହୋଇଯିବ। କିନ୍ତୁ ସରକାର ଉଦ୍ୟମ କରୁ ନାହାନ୍ତି କି ଚାହୁଁ ନାହାନ୍ତି। ସମ୍ବଲପୁରରେ ବାବୁରାଜ ଓ ଭ୍ରଷ୍ଟାଚାର ଚାଲିଛି। କୋଟିକୋଟି ଟଙ୍କା ହେର୍‌ଫେର୍ କରାଯାଉଛି। ଯେଉଁ କାମର ଆବଶ୍ୟକତା ଅଛି ତାହା କରୁ ନାହାନ୍ତି। ଯାହା ଦରକାର ନାହିଁ କିନ୍ତୁ ଅଧିକ ପିସି ମିଳିବ ତାହା କରୁଛନ୍ତି। ‌ନିର୍ମାଣ କାମ, ପରିମଳ, ଭତ୍ତା ବଣ୍ଟନ କୌଣସି ଥିରେ ଲୋକେ ସନ୍ତୁଷ୍ଟ ନୁହନ୍ତି। ତେଣୁ ସରକାର ତୁରନ୍ତ ମହାନଗର ନିର୍ବାଚନ କରାନ୍ତୁ ବୋଲି ଶ୍ରୀ ପଟେଲ ଦାବି କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ କହିବା ହେଲା ନିର୍ବାଚନ ନହେବା ଫଳରେ ଦୀର୍ଘ ୭ ବର୍ଷ ହେବ ସମ୍ବଲପୁରର ଜନସାଧାରଣ ସର୍ବନିମ୍ନ ଓ ମୌଳିକ ପୌରସେବା ପାଇପାରୁ ନାହାନ୍ତି। ମହାନଗର ନିଗମ ‌ପଙ୍ଗୁ ଓ ଅଥର୍ବ ଅବସ୍ଥାରେ ପଡ଼ିଛି। ଆଇନ୍‌ର ଆଳ ଦେଖାଇ ସରକାର ବାରମ୍ବାର ନିର୍ବାଚନକୁ ଟାଳି ଆସୁଛନ୍ତି। ତେଣୁ ସରକାର ଏଭଳି ପ୍ରହସନ ଛାଡ଼ି ଯଥାଶୀଘ୍ର ସମ୍ବଲପୁର ମହାନଗରବାସୀଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ହକ୍ ପ୍ରଦାନ କରନ୍ତୁ ବୋଲି ଶ୍ରୀ ଗୁରୁ ଦାବି କରିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ରଖି ବିଜେଡିର ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ କହିଛନ୍ତି ଯେ କୋର୍ଟରେ କିଛି ମାମଲା ରହିଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହୋଇ ପାରୁ ନାହିଁ। ନଚେତ୍ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି ରହିଛି। ଯେତେ ଶୀଘ୍ର ଅଦାଲତରେ ମାମଲା ସମାଧାନ ହେବ ସରକାର ତୁରନ୍ତ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ନିର୍ବାଚନ ହେବା ପରେ ଯେଉଁ କିଛି ସମସ୍ୟା ରହିଛି ତାହାର ସମାଧାନ ହୋଇଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର