ଜାତୀୟ ପକ୍ଷୀ ମୟୂରଙ୍କ ସୁରକ୍ଷା, ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କେବେ ?

ଶେରଗଡ଼ (ସୁବ୍ରତ ପଣ୍ଡା): ଗଞ୍ଜାମ ଜିଲ୍ଲା ଶେରଗଡ଼-ଆସିକା ବ୍ଲକ୍ ସୀମାନ୍ତରେ ଥିବା ପାକିଡ଼ି ବନାଞ୍ଚଳ। ଜାତୀୟ ପକ୍ଷୀ ମୟୂରଙ୍କ ଅମରାବତୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ବନାଞ୍ଚଳର ୧୯୭୦ ହେକ୍ଟର୍ ଇଲାକା ମୟୂରଙ୍କ ବିଚରଣସ୍ଥଳ ପାଲଟିଛି। ହେଲେ ଦୁଃଖର କଥା ହେଲା, ଜିଲ୍ଲାର ଗର୍ବ ଓ ଗୌରବ ବୋଲାଉଥିବା ମୟୁର ଉଦ୍ୟାନର ଭିତ୍ତିଭୂମି ବିକାଶ ଯେମିତି ସରକାର ଏବଂ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। କେବଳ ଏତିକି ନୁହେଁ, ବନାଞ୍ଚଳରେ ଆଜି ପର୍ଯ୍ୟନ୍ତ ମୟୂର ଗଣନା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇନି। ୧୨ଟି ଗ୍ରାମର ଲୋକେ ମୟୂରଙ୍କ ସୁରକ୍ଷା ପାଇଁ ଯଥାଚିତ୍ ଉଦ୍ୟମ କରୁଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କ ବଂଶ ବି ବୃଦ୍ଧି ପାଇଛି।

ଗୋପାଳପୁର-ରାୟପୁର ଜାତୀୟ ରାଜପଥ ରେଚମାରିଆ ଗ୍ରାମ ନିକଟ ବାମପାର୍ଶ୍ବରେ ରହିଛି ପାକିଡ଼ି ବନାଞ୍ଚଳ ତଥା ମୟୂର ଉଦ୍ୟାନ। ବନାଞ୍ଚଳର ଅପରପାର୍ଶ୍ବରେ ରହିଛି ଶେରଗଡ଼-ଆସିକା ମୁଖ୍ୟରାସ୍ତା। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମଧୢସ୍ଥଳରେ ଥିବା ଏହି ବନାଞ୍ଚଳରେ ବର୍ତ୍ତମାନ  ସାଢ଼େ ୨ ହଜାରରୁ ଅଧିକ ମୟୂର ରହୁଛନ୍ତି। ପାହାଡ଼କୁ ଲାଗି ମା’ କରଞ୍ଜେଇ ଦେବୀ ପୀଠ ରହିଥିବା ବେଳେ ପ୍ରତିବର୍ଷ ସହସ୍ରାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବିଶେଷକରି ମୟୂରଙ୍କ ବିଚରଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ମୟୂରଙ୍କ ଅମରାବତୀ ପାକିଡ଼ି ବନାଞ୍ଚଳର ୧୨ ଗାଁର ଲୋକଙ୍କ ସୁରକ୍ଷାବଳୟରେ ହେଉଛି ବଂଶବୃଦ୍ଧି

ବନ ବିଭାଗ, ସରକାରଙ୍କ ପକ୍ଷରୁ ଆଜି ପର୍ଯ୍ୟନ୍ତ ହୋଇପାରୁନି ଗଣନା

ସବୁଠୁ ଉଲ୍ଲେଖନୀୟ କଥା ହେଉଛି, ବନାଞ୍ଚଳକୁ ଲାଗି ରହିଥିବା ଶେରଗଡ଼ ଓ ଆସିକା ବ୍ଲକ୍‌ର ଶୋଭାଚନ୍ଦ୍ରପୁର, କେରିକେରିଝୋଳା, ଆମ୍ବୁଆବାଡ଼ି, ଭାରତୀଲି, ସମେଇଗୁଡ଼ା, କଣ୍ତୋଳି, ପାକିଡ଼ି, ନରେନ୍ଦ୍ରପୁର, ପଥରପୁଞ୍ଜି, ଅଶୋକପୁର, ଚେରମାରିଆ ଓ ଖଣ୍ତଦେଉଳି ଗ୍ରାମବାସୀଙ୍କ ପାଇଁ ମୟୂର ଯେମିତି ପରିବାର ସଦସ୍ୟ ପାଲଟିଯାଇଛନ୍ତି। ଘର ଭିତରେ ମୟୁର ପଶି ପେଜ ତୋରାଣି ହାଣ୍ତିରୁ ଖାଦ୍ୟ ସ˚ଗ୍ରହ କରୁଥିବା ଦେଖିବାକୁ ମିଳିଥାଏ। ଏହାସହ ଚାଷ ଜମିରେ ବିଭିନ୍ନ ପ୍ରକାର ଶସ୍ୟ ମଧୢ ଖାଇଥାଆନ୍ତି। ମୟୂରମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀଙ୍କ ସ‌ମେତ ବନ ସୁରକ୍ଷା ସମିତିର ସଦସ୍ୟମାନେ ବର୍ଷର ୧୨ମାସ ପ୍ରୟାସ ଜାରି ରଖିଥାନ୍ତି। ଶିକାରୀଙ୍କ ଦାଉରୁ ସେମାନଙ୍କୁ ସୁରକ୍ଷା ଦେଇଥାନ୍ତି।

ତେବ‌େ ମୟୁର ସୁରକ୍ଷା ପାଇଁ ବନବିଭାଗ ଓ ପ୍ରଶାସନ ପକ୍ଷରୁ ଆଶାନୁରୂପ ପଦକ୍ଷେପ ଗ୍ରହଣ କରାଯାଇପାରୁନି।  ବନ ବିଭାଗ କେବଳ ଖରାଦିନ ଆସିଲେ ପାଣି ବ୍ୟବସ୍ଥା କରି ଦାୟିତ୍ବ ସାରିଦେଉଛି। ହେଲେ ଆଜି ପର୍ଯ୍ୟନ୍ତ ବନାଞ୍ଚଳରେ କେତେ ମୟୂର ଅଛନ୍ତି, ତାହା ବି ଗଣନା କରିବା ଦିଗରେ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ନହେବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି। ୨୦୧୦ ମସିହାରେ ଆନ୍ଧ୍ରର କପା ବ୍ୟବସାୟୀ କପା ଫସଲରେ କୀଟନାଶକ ଔଷଧ ପ୍ରୟୋଗ କରିବାରୁ ୨୦ରୁ ଅଧିକ ମୟୂରଙ୍କ ମୃତ୍ୟୁ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବହୁସ˚ଖ୍ୟାରେ ମୟୂର ଅସୁସ୍ଥ ହୋଇଥିଲେ। ଫଳରେ କୃଷ୍ଣସାର ମୃଗ ଭଳି ମୟୂର ସୁରକ୍ଷାକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଏବେବି ଉକ୍ତ ବନାଞ୍ଚଳରେ ଅବାଧରେ ଗଛକଟା ଚାଲୁଥିବା ଦେଖିବାକୁ ମିଳିଛି।

ସେହିପରି ବହୁ ସ˚ଖ୍ୟାରେ ପର୍ଯଟକ ଏଠାକୁ ଆସୁଥିବା ବେଳେ ସାଧାରଣ ସୁବିଧା ନଥିବାରୁ ଫେରିଯାଉଥିବାର ନଜିର ରହିଛି। ଏହାକୁ ଧ୍ୟାନରେ ରଖି ମୟୂରଙ୍କ ପାଇଁ ପାଣିକୁଣ୍ତ ନିର୍ମାଣ, ଜମିଠୁ ମୟୂରଙ୍କୁ ଦୂରେଇ ରଖିବା ଏବ˚ ସୁରକ୍ଷା ପାଇଁ ଜଗୁଆଳି ନିଯୁକ୍ତି, ପାକିଡ଼ି ବନାଞ୍ଚଳକୁ ଇକୋ ଟୁରିଜିମ୍‌ ମାନ୍ୟତା ଓ ଶୋଭାଚନ୍ଦ୍ରପୁରରେ ପାନ୍ଥନିବାସ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ପାକିଡ଼ି ବନାଞ୍ଚଳର ବିକାଶ କରାଗଲେ ଏହା ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇପାରିବ ବୋଲି ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି। ସେହିପରି ଜନପ୍ରତିନିଧି ବି ଏଦିଗରେ ଆଗ୍ରହ ଦେଖାଇବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର