ଭୁବନେଶ୍ବର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଅଧା ଓଡ଼ିଶା। ବଲାଙ୍ଗୀରଠାରୁ ସମ୍ବଲପୁର ହେଉ କି ନୂଆପଡ଼ାରୁ ଅନୁଗୁଳ। ଜନ୍ମାଷ୍ଟମୀରେ ଲଗ୍ନ ପ୍ରସ୍ତୁତି ସରିବା ପରେ ସବୁଠି ତତ୍ପରତା ଦେଖିବାକୁ ମିଳିଛି। ପରିବାର ସହ ଏହି ଉତ୍ସବ ପାଳନ କରିବାକୁ ଦେଶର କୋଣ ଅନୁକୋଣ‌ରେ ବସବାସ କରୁଥିବା ଲୋକେ ମଧ୍ୟ ସପରିବାର ଏବେ ସ୍ବଗୃହ ମୁହାଁ ହୋଇଛନ୍ତି। ମାତ୍ର ଗମନାଗମନରେ ଏବେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ହଜାର ହଜାର ଲୋକ ସ୍ବଗୃହକୁ ଫେରିବାକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କ ଲାଗି ଟ୍ରେନ୍‌ ନାହିଁ। ସେପ୍ଟେମ୍ବର ପହିଲାରେ ନୂଆଁଖାଇ ପାଳନ ହେବାକୁ ଥିବା ବେଳେ ଏବେଠାରୁ ଟ୍ରେନ୍‌ଗୁଡ଼ିକରେ ଆଉ ସିଟ୍‌ ମିଳୁ ନାହିଁ। ଅଧିକାଂଶ ଟ୍ରେନ୍‌ରେ ବୁକିଂ ଶେଷ ହୋଇଥିବାରୁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ବୁକିଂ କରିବାକୁ ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହେଉ ନାହାନ୍ତି। ବାଧ୍ୟ ହୋଇ ଅଧିକ ଖର୍ଚ୍ଚାନ୍ତ କରି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

Advertisment

ଦେଶର ଅନ୍ୟାନ୍ୟ ବଡ଼ ପର୍ବ ପରି ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଁଖାଇର ସ୍ବତନ୍ତ୍ରତା ରହିଛି। ଯେଉଁଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥାନ୍ତି। ଦୂରଦୂରାନ୍ତରେ ରହୁଥିବା ଲୋ‌କେ ପ୍ରାୟତଃ ବହୁ ଦିନର ବ୍ୟବଧାନ ପରେ ନିଜ ଘରକୁ ଆସୁଥିବାରୁ ନୂଆଁଖାଇର ସପ୍ତାହକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି। ୩/୪ ଦିନ ପୂର୍ବରୁ ସେମାନେ ଗାଁ ଅଭିମ‌ୁଖେ ବାହାରିଥାନ୍ତି। ନୂଆଁଖାଇ ପାଳନରେ ସାମିଲ ହେବା ସହ ଆତ୍ମୀୟ ସ୍ବଜନଙ୍କ ଗହଣରେ ୨/୩ ଦିନ ହସଖୁସିରେ ବିତାଇବା ପରେ ପୁଣି ଜୀବିକାର୍ଜନ ପାଇଁ କର୍ମ କ୍ଷେତ୍ରକୁ ଫେରିଯାନ୍ତି। ମାତ୍ର ପଶ୍ଚିମ ଓଡ଼ିଶାର ସବୁ ସହରକୁ ଯିବା ପାଇଁ ସିଧାସଳଖ ଟ୍ରେନ୍ ସଂଯୋଗ ନ ଥିବାରୁ ଏଥର ବି ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ସୁରଟ, ହରିଆନା, ବେଙ୍ଗାଲୁରୁ ପରି ସହରରେ ରହୁଥିବା ଲୋକ ଏକାଧିକ ଟ୍ରେନ୍‌, ବସ୍‌, ଅଟୋ ଧରି ନିଜ ଘରକୁ ଫେରିବାକୁ ସଜବାଜ ହେଉଛନ୍ତି।

ଚଳିତ ବର୍ଷ ବି ପ୍ରବାସୀମାନେ ସମାନ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରୁ ନ ଥିବାରୁ ଯାତ୍ରୀଙ୍କୁ ପୂର୍ବଭଳି ବିମାନ, ବସ୍‌, ‌ଅଟୋ ମାଧ୍ୟମରେ ଅଧିକ ଖର୍ଚ୍ଚାନ୍ତ ହୋଇ ଘରକୁ ଫେରିବା ଏକପ୍ରକାର ଥୟ। ବୁଦ୍ଧିଜୀବୀମାନଙ୍କ କହିବା କଥା ହେଉଛି ଯେ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସମୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉଛି। ଏଥର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବାରୁ ରଥଯାତ୍ରା ଲାଗି ୨୦୦ରୁ ଅଧିକ ଟ୍ରେନ୍‌ ଚଳାଇବାର ବ୍ୟବସ୍ଥା କରିଥିଲେ। ଯେଉଁଥିପାଇଁ ୧୦ ଲକ୍ଷରୁ ଅଧିକ ଭକ୍ତ ଉପକୃତ ହେଲେ। ସେହିପରି ଆରଆରବି ସମେତ ବିଭିନ୍ନ ପରୀକ୍ଷା ଲାଗି ମଧ୍ୟ ସ୍ବତନ୍ତ୍ର ଟ୍ରେନ୍‌ର ସୁବିଧା କରାଯାଉଛି। ଏବେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର କଳେବର ବଢ଼ୁଛି। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟର ଲୋକେ ମଧ୍ୟ ସାମିଲ ହେଉଛନ୍ତି। ତେଣୁ ସେମାନଙ୍କ ଯିବା ଆସିବାର ସୁବିଧା ଲାଗି ସ୍ବତନ୍ତ୍ର ଟ୍ରେନ୍‌ ଚଲାଇବାର ବହୁତ ଆବଶ୍ୟକତା ରହିଛି। ବିଶେଷ କରି ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନ୍‌ ଚଲାଇବା ଦିଗରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୃଷ୍ଟି ଦେବେ ବୋଲି ଆଶା ରହିଛି। ପୂର୍ବତଟ ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ବଲପୁର ଡିଭିଜନ୍‌ରେ ଆସୁଥିବା ବିଭିନ୍ନ ଜିଲ୍ଲାର ସହରଗୁଡ଼ିକୁ ୩୪ ଯୋଡ଼ା ଅର୍ଥାତ୍‌ ୬୮ଟି ଟ୍ରେନ୍‌ ଚଳାଚଳ କରୁଛି। ସେଥିରୁ ଅଧିକାଂଶ ନିୟମିତ ଟ୍ରେନ୍‌ ଥିବା ବେଳେ କିଛି ସାପ୍ତାହିକ ରହିଛି। ଟ୍ରେନ୍‌ଗୁଡ଼ିକ ମୁଖ୍ୟତଃ ଟିଟିଲାଗଡ଼, ସମ୍ବଲପୁର ଓ ରାଉରକେଲା ସହରକୁ ସଂଯୋଗ କରୁଛି। ବାକି ଷ୍ଟେସନଗୁଡ଼ିକୁ ସେଭଳି ଚାଲୁନାହିଁ। ନୂଆଁଖାଇ ପାଇଁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରେନ୍‌ରେ ଅଧିକ ବଗି ବଢ଼ାଯାଇପାରେ। ଉପରୁ ଯେଉଁ ନିର୍ଦେଶ ଆସିବ ଆମେ କାର୍ଯ୍ୟକାରୀ କରିବୁ।

ସମ୍ବଲପୁର: ଗଣପର୍ବ ନୂଆଁଖାଇ ଅବସରରେ ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ସ୍ବତନ୍ତ୍ର ଟ୍ରେନ୍ ଦାବି ଜୋର୍‌ ଧରିବାରେ ଲାଗିଛି। ଆଜି ସାମାଜିକ ସଂଗଠନ ‘ଜାଗରଣ’ ପକ୍ଷରୁ ଏହି ମର୍ମରେ ଡିଆର୍‌ଏମ୍‌ଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ଦିଆଯାଇଛି।
ଆସାମର ଲୋକଙ୍କ ପାଇଁ ବିହୁ, ପଞ୍ଜାବ ଅଧିବାସୀଙ୍କ ନିମନ୍ତେ ବୈଶାଖୀ ଭଳି ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ କୃଷିଭତ୍ତିକ ପର୍ବ ନୂଆଁଖାଇ ଅଧିକ ଗୁରୁତ୍ବ ବହନ କରିଥାଏ। ଜୀବିକାର୍ଜନ ପାଇଁ ଦେଶର କୋଣଅନୁକୋଣ‌ରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲୋକେ ‌ଯେମିତି ହେଲେ ବି ନୂଆଁଖାଇରେ ନିଜ ନିଜ ଘରକୁ ଆସିଥା’ନ୍ତି। ନୂଆଁଖାଇ ପାଳନ ସହିତ ଆତ୍ମୀୟ ସ୍ବଜନଙ୍କ ଗହଣରେ ୨/୩ ଦିନ ହସଖୁସିରେ ବିତାଇବା ପରେ ପୁଣି ଫେରିଯାଇଥା’ନ୍ତି। ରାଜଧାନୀ ଭୁବନେଶ୍ବର ସହିତ ପୂର୍ବ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଶ୍ଚିମ ଓଡ଼ିଶାର ଲୋକ ରହୁଛନ୍ତି। ଏହାବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଲୋକ‌ ପ୍ରାୟତଃ ଭୁବନେଶ୍ବରଦେଇ ନିଜ ଗାଁ ଓ ସହରକୁ ଆସିଥା’ନ୍ତି। ଦେଶର ସବୁ ସହରରୁ ପଶ୍ଚିମ ଓଡ଼ିଶାର ସବୁ ସହରକୁ ସିଧାସଳଖ ଟ୍ରେନ୍ ସଂଯୋଗ ନଥିବାରୁ ସେମାନେ ଭୁବନେଶ୍ବର ରାସ୍ତାରେ ଆସିଥା’ନ୍ତି।

ଭୁବନେଶ୍ବରରୁ ପଶ୍ଚିମ ଓଡ଼ିଶାକୁ ଅଳ୍ପ‌ କେ‌ତୋଟି ନିୟମିତ ‌ଟ୍ରେନ୍ ଚଳାଚଳ କରୁଛି। ସେସବୁ ଟ୍ରେନରେ ସାଧାରଣ ସମୟରେ ସିଟ୍/ଶଯ୍ୟା ମିଳିବା କଷ୍ଟକର ହୋଇପଡ଼ିଥାଏ। ତେଣୁ, ଦଶହରା, ରଥଯାତ୍ରା ଆଦି ସମୟରେ‌ ଲୋକଙ୍କ ସୁବିଧା ଏବଂ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯିବା ଭଳି ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ଅନ୍ତତଃପକ୍ଷେ ଭୁବନେଶ୍ୱରରୁ ଟିଟିଲାଗଡ଼ ଏବଂ ଭୁବ‌ନେଶ୍ବର-ରାଉରକେଲା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପ୍ରଚଳନ କରିବାକୁ ଅଗ୍ରଣୀ ସାମାଜିକ ସଂଗଠନ ‘ଜାଗରଣ’ ପକ୍ଷରୁ ଦାବିପତ୍ର ଦିଆଯାଇଛି। ଆଜି ସୁଧୀର ରଂଜନ ବହିଦାରଙ୍କ ନେତୃ୍ତ୍ବରେ ଆଇନଜୀବୀ ରାଜୀବ ଶତପଥୀ, କ୍ଷୀତିଶ ନାୟକ, ସୌମିକ ବାବୁ, ଦେବରାଜ ପଟେଲ ପ୍ରମୁଖ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ଭେଟି ଦାବିପତ୍ର ଦେଇଥିଲେ।