ସୁନ୍ଦରଗଡ଼ : ରାଜା ରାଜୁଡ଼ା ଅମଳରେ ଏକ ଛୋଟ ଗାଁ ଥିବା ସୁନ୍ଦରଗଡ଼ ଅନେକ ଦଶନ୍ଧି ତଳେ ସହରର ରୂପ ନେଇସାରିଛି। ଜନସଂଖ୍ୟା ମଧ୍ୟ ୫୦ ହଜାର ଟପିଲାଣି। ଏ ସ୍ଥିତିରେ ହାଉସିଂ କଲୋନି, ମାର୍କେଟ୍‌ କମ୍ପ୍ଲେକ୍ସ, ଶିଳ୍ପାଞ୍ଚଳ ଓ ବସ୍ତି ଅଞ୍ଚଳ ବିକାଶ ପାଇଁ ଦାୟିତ୍ବ ନେଇଥିବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ସୁନ୍ଦରଗଡ଼ ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ୧୯୮୨ ଅନୁଯାୟୀ ୧୯୯୫‌‌ରେ ସ୍ଥାପିତ ଆର୍‌ଡିଏ ବିକାଶକୁ ପଛକୁ ଠେଲି ଦେଇ ସେ ପ୍ରତିଷ୍ଠା କରିଥିବା କଲୋନି, କମ୍ପ୍ଲେକ୍ସରୁ କେବଳ ଭଡ଼ା ଆଦାୟରେ ମାତି ସମସ୍ତ ସମ୍ଭାବନା ଥିବା ସୁନ୍ଦରଗଡ଼ ସହରକୁ ଏଡ଼ାଇ ଚାଲିଛି। ତେଣୁ ଆର୍‌ଡିଏ ଅଧୀନରୁ ସୁନ୍ଦରଗଡ଼କୁ ମୁକ୍ତ କରି ସ୍ବତନ୍ତ୍ର ଭାବେ ସୁନ୍ଦରଗଡ଼ ଉନ୍ନୟନ କର୍ତ୍ତୃପକ୍ଷ (ଏସ୍‌ଡିଏ) ବା ଆଞ୍ଚଳିକ ଉନ୍ନୟନ ପରିଷଦ ଗଠନ ପାଇଁ ସୁନ୍ଦରଗଡ଼ ସହରାଞ୍ଚଳରୁ ଦାବି ହୋଇଆସୁଛି। କିନ୍ତୁ ଏଯାଏ ସୁନ୍ଦରଗଡ଼ ସହରବାସୀଙ୍କ ଦାବି, ପ୍ରସ୍ତାବ ପ୍ରତି ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ। ଯାହାକୁ ନେଇ ସହରବାସୀଙ୍କ ମନରେ ଅସନ୍ତୋଷ ଲାଗି ରହିଛି।

Advertisment

ଆର୍‌ଡିଏ ପକ୍ଷରୁ ୧୯୯୬ରେ ସୁନ୍ଦରଗଡ଼ ସହର ଇବ୍‌ ନଦୀ କୂଳ‌ରେ ପ୍ରତିଷ୍ଠା ହେଲା ଆର୍‌ଆର୍‌ଆଇଟି କଲୋନି ବା ଇବ୍‌ନଗର। ଗୃହକ୍ରେତାଙ୍କଠାରୁ କିସ୍ତିରେ ଟଙ୍କା ମଧ୍ୟ ନିଆଗଲା। କିନ୍ତୁ ହିତାଧିକାରୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେଲାନାହିଁ। ସେହିପରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ନିକଟରେ ଆର୍‌ଡିଏ ୮୦ଟି ଦୋକାନ ବିଶିଷ୍ଟ ସୁପର ମାର୍କେଟ୍‌ ତିଆରି କରି ଲୋକଙ୍କୁ ଭଡ଼ାସୂତ୍ରରେ ଦେଇଥିଲା। ଏବେ ବି ସୁପରମାର୍କେଟ୍‌ର ମାଲିକାନା ଆର୍‌ଡିଏ ହାତରେ। ଭଡ଼ା ଆଦାୟରେ ମାତିଥିବା ସଂସ୍ଥା ଦୋକାନୀଙ୍କ ସମସ୍ୟାଗୁଡ଼ିକୁ ଅଣଦେଖା କରିଚାଲିଛି। ତେଣୁ ସୁନ୍ଦରଗଡ଼ ସହରାଞ୍ଚଳ ବିକାଶ ପାଇଁ ସୁନ୍ଦରଗଡ଼ ଉନ୍ନୟନ ପରିଷଦ ଗଠନ କରିବା ଉପରେ ଲୋକଙ୍କ ଦାବି ଜୋର୍ ହେବାରେ ଲାଗିଛି। ୨୦୧୪ ଅକ୍ଟୋବର ୧୪ଠାରୁ ସୁନ୍ଦରଗଡ଼ ପୌର ପରିଷଦ ସହରର ଗୃହ ନିର୍ମାଣ ନକ୍ସା ଓ ଅନୁମୋଦନ କାର୍ଯ୍ୟ କରିଆସୁଛି। ଏହିଠାରୁ ସୁନ୍ଦରଗଡ଼ ଉନ୍ନୟନ ପରିଷଦ ଗଠନ ପାଇଁ ଏକ ପ୍ରକାର କ୍ଷୁଦ୍ର ବାଟ ଖୋଲି ଯାଇଛି। ତେବେ ସହରବାସୀଙ୍କ ସ୍ବର ତୀବ୍ର ହେଲେ ଏସ୍‌ଡିଏ ଗଠନକୁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମତପ୍ରକାଶ ପାଇଛି।