ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ଟେଣ୍ଡର କେବେ? ସଜବାଜରେ ଖର୍ଚ୍ଚ ହେଲାଣି କୋଟିଏ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ବସ୍ତରୀୟ କରିବା ପାଇଁ ହୋଇଥିବା ଘୋଷଣାକୁ ବିତିଗଲାଣି ବର୍ଷେ। କିନ୍ତୁ ଏଯାଏ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରୁନି। ଅବଶ୍ୟ ଏସ୍‌ସିବିର ରେସିଡେନ୍‌ସିଆଲ ବିଲଡିଂ ଓ ହଷ୍ଟେଲ ପାଇଁ ୬ ଦିନ ତଳେ ଟେଣ୍ଡର ହୋଇଛି। ଏପଟେ କିନ୍ତୁ କମର୍ଚାରୀଙ୍କ କ୍ବାର୍ଟସ ଭଙ୍ଗା ଓ ସେମାନଙ୍କୁ ଥଇଥାନ ପ୍ୟାକେଜ୍‌ ପ୍ରକ୍ରିୟାରେ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରି ସାରିଲେଣି ସରକାର। ଅର୍ଥ ପାଇଁ ସମସ୍ୟା ନଥିବା ଏବଂ ଏସସିବି ବିଶ୍ବସ୍ତରୀୟ ପ୍ରକଳ୍ପକୁ ବୈଷୟିକ ମଞ୍ଜୁରୀ ମିଳି ସାରିଥିବାବେଳେ ଟେଣ୍ଡର ବିଳମ୍ବକୁ ନେଇ ଏବେ ପ୍ରଶ୍ନ ଉଠୁଛି।

୨୦୨୦, ମାର୍ଚ୍ଚ ୫ ତାରିଖ, ବିଜୁ ଜୟନ୍ତୀ ଅବସରରେ ବିଶ୍ବସ୍ତରୀୟ ଏସ୍‌ସିବି ଏମ୍ସ ପ୍ଲସ୍‌ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୨୪ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରାରମ୍ଭରେ ଏହାକୁ ୧ ହଜାର କୋଟି ଟଙ୍କାର ଯୋଜନା ଭାବେ ଘୋଷଣା ହୋଇଥିବା ବେଳେ ଏବେ ପ୍ରକଳ୍ପର ଅଟକଳ ୩୫ଶହ କୋଟିରେ ପହଞ୍ଚିଛି। ଏଥିପାଇଁ କ୍ବାର୍ଟସ ଭଙ୍ଗା ସହ ସଂପ୍ରସାରଣ ଓ ଉଚ୍ଛେଦ ପ୍ରକ୍ରିୟା ଗତ ବର୍ଷ ଜୁଲାଇ-ଅଗଷ୍ଟରୁ ଆରମ୍ଭ ହୋଇଛି। ଏସ୍‌ସିବି ନବକଳେବର ଯୋଜନା ପାଇଁ ସଂପ୍ରସାରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁରରୁଦ୍ଧାର ଇତ୍ୟାଦି ଜାରି ରହିଛି। ପ୍ରାରମ୍ଭରେ ହଜାରେ କୋଟିର ଯୋଜନା ଏବେ ୩୫ଶହ କୋଟି ଟଙ୍କାରେ ପହଞ୍ଚିଲାଣି। କିନ୍ତୁ ଏଥିପାଇଁ ଆଜି ପର୍ଯ୍ୟନ୍ତ ହୋଇପାରୁନି ଟେଣ୍ଡର। ଅନ୍ୟପଟେ ଏହି ଯୋଜନା ପାଇଁ ଏସ୍‌ସିବିରେ ୧୨ଟି ପ୍ରଫେସର କ୍ବାର୍ଟର୍ସ, ୧୦୬ଜଣ ଚତୁର୍ଥ ଶ୍ରେଣୀ ଓ ୧୨ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ କ୍ବାର୍ଟର୍ସ ଭଙ୍ଗାଯାଇଥିଲା। ସେମାନଙ୍କ ପାଇଁ ସରକାର ଥଇଥାନ ପ୍ୟାକେଜ ଘୋଷଣା କରିଥିଲେ। ସେହି ପ୍ୟାକେଜ୍‌ ଅନୁସାରେ ୧୩୦ଜଣ କର୍ମଚାରୀଙ୍କ ପାଇଁ କୋଟିଏ ୩୭ଲକ୍ଷ ୪୦ ହଜାର ଟଙ୍କା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ପ୍ୟାକେଜରେ କର୍ମଚାରୀମାନେ ନିଜସ୍ବ କୋଟା ଅନୁସାରେ ଘର ଭଡା ଟଙ୍କା, ମାସିକ ୧୦ ହଜାର ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଓ ଘର ଛାଡିବା ସମୟରେ ୧୦ହଜାର ଟଙ୍କା ଲେଖାଏ ପାଇଛନ୍ତି। ଗତ ଜୁଲାଇରୁ ଏହି ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ‌ହୋଇଥିବାବେଳେ ଜୁଲାଇରୁ ନଭେମ୍ବର ସୁଦ୍ଧା ସ୍ବତନ୍ତ୍ର ପ୍ୟାକେଜ ବାବଦକୁ ୨୯ ଲକ୍ଷ ୫୨ ହଜାର ୮୪୪ ଟଙ୍କା ପ୍ରଦାନ କରାଯାଇଛି। ଏଥି ସହିତ ଡିସେମ୍ବରରେ ୧୧ ଲକ୍ଷ ୭୯ ହଜାର ୬୭୭ ଟଙ୍କା, ଜାନୁଆରିରେ ୧୧ ଲକ୍ଷ ୫୪ ହଜାର ଟଙ୍କା, ଫେବ୍ରୁଆରି ଓ ମାର୍ଚ୍ଚରେ ୧୧ ଲକ୍ଷ ୪୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏସବୁକୁ ମିଶାଇଲେ ଏଯାଏ ପାଖାପାଖି କୋଟିଏ ଟଙ୍କା ସରକାରୀ ତହବିଲରୁ ଗଲାଣି।

କିନ୍ତୁ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ପ୍ରକଳ୍ପ ସରିବାକୁ ଆଉ ମାତ୍ର ୩ ବ‌ର୍ଷ ରହିଥିବାବେଳେ କ’ଣ ପାଇଁ ଟେଣ୍ଡର ବିଳମ୍ବିତ ହେଉଛି, ତାହା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅନ୍ୟପଟେ ଓବିସିସିର ବରିଷ୍ଠ ଅଧିକାରୀ ଖୁବ୍‌ଶୀଘ୍ର ଟେଣ୍ଡର୍‌ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର