ୟଦୋମୁହାଣି ବିଜୁ ସେତୁ କାର୍ଯ୍ୟ ସଂପୂର୍ଣ୍ଣ କେବେ?

କରଞ୍ଜିଆ ଗୋଲେଇ: ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରୁଥିବା ଦୋମୁହାଣି ନଦୀ ଲୋକଙ୍କ ପାଇଁ ଗମନାଗମନର ବାଧକ ସାଜିଛି। ଦୁଇଟି ନଦୀ ମିଶ୍ରଣ ହୋଇଥିବାରୁ ଏହାର ନାଁ ରହିଛି ଦୋମୁହାଣୀ। ଶୁକୃଳି ବ୍ଲକ୍‌ର ଖିଚିଂ ମନ୍ଦିରରୁ  ତିନି କିଲୋମିଟର ଦୂର ବୈତରଣୀ ନଦୀ ଓ ଖଇରୀ ନଦୀର ସଙ୍ଗମସ୍ଥଳୀ ହେଉଛି ଦୋମୁହାଣି। ରାଜ୍ୟ ସରକାର ଦୁଇ ଜିଲ୍ଲାକୁ ସଂଯୋଗୀକରଣ ପାଇଁ ବୈତରଣୀ ନଦୀ ଉପରେ ୨୦୧୫ ମସିହାରେ ଆରମ୍ଭ କରିଥିଲେ ବିଜୁସେତୁ। ଦୀର୍ଘଦିନ ପରେ ମଧ୍ୟ କାର୍ଯ୍ୟ ସରୁନାହିଁ। ଫଳରେ ବିପଦସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ବାଉଁଶ ପୋଲ ଉପରେ ପ୍ରତ୍ୟେକ ଦିନ ଶହଶହ ଲୋକ ଯିବାଆସିବା କରୁଛନ୍ତି। କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲା।

ସେତୁର ଦୈର୍ଘ ହେଉଛି ୩୦୬ ମିଟର। ଅଟକଳ ମୂଲ ଥିଲା ୨କୋଟି ୬୦ ଲକ୍ଷ ଟଙ୍କା। ସେତୁ କାର୍ଯ୍ୟ ଶେଷ କରିବାର ଧାର୍ଯ୍ୟ ସମୟ ଥିଲା ୨୦୧୭ ମସିହା। ନିର୍ମାଣକୁ ୫ ବର୍ଷ ପୂରିଲା। ଏବେ ସୁଦ୍ଧା ବି ୪୦ ଭାଗ କାମ ସରିନାହିଁ ଅନେକ କାମ ବାକି ଅଛି। ଏହି ସେତୁ ସଂପୂର୍ଣ୍ଣ ହେଲେ  ଉଛବାଲି, ପଦ୍ମପୁର, ଭଣ୍ଡା, ଜ୍ୟୋତିପୁର, ଆଦିପୁର, କେସନା ଖିଚିଂ ଗାଁର ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଉପକୃତ ହେବେ। ଏଥି ସହିତ ଚମ୍ପୁଆ ଓ କରଞ୍ଜିଆ ରାସ୍ତା ଯିବାକୁ କମ୍‌ ସମୟ ଲାଗିବ। ଦାୟିତ୍ବରେ ଥିବା ଅଫିସର ଓ କଣ୍ଟ୍ରାକ୍ଟରଙ୍କ ଅବହେଳା ପାଇଁ କାର୍ଯ୍ୟ ଆଗେଇ ପାରୁନାହିଁ। ଫଳରେ ଲେକେ ବାଧ୍ୟ ହେଇ ବାଉଁଶ ପୋଲ ଉପରେ ଯାତାୟାତ କରୁଛନ୍ତି। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କରିଥିଲେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ।

ସମ୍ବନ୍ଧିତ ଖବର