ଦଶପଲ୍ଲା: ଛେନାପୋଡ଼ କିଏ ପ୍ରସ୍ତୁତ କରିଥିଲେ? ବାସ୍ତବରେ ଏହାର ସ୍ରଷ୍ଟା କିଏ? କିଭଳି ଓ କେଉଁ ପରିସ୍ଥିତିରେ ଛେନାପୋଡ଼ ପ୍ରସ୍ତୁତ ହୋଇଥିଲା? ଛେନାପୋଡ଼କୁ ନେଇ କ’ଣ କହୁଛନ୍ତି ସ୍ରଷ୍ଟାଙ୍କ ପରିବାର ଓ ଗ୍ରାମବାସୀ? ଏପ୍ରିଲ୍ ୧୧ରେ ଛେନାପୋଡ଼ ଦିବସ ପାଳନ କରାଯାଉଥିବା ବେଳେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପିତା ବିଦ୍ୟାଧର ନା ପୁତ୍ର ସୁଦର୍ଶନ, କିଏ ଏହାର ଜନକ, ଏହାକୁ ସ୍ପଷ୍ଟ କରିବାକୁ ଯାଇ ଆଜି ଦଶପଲ୍ଲାଠାରେ ବିଦ୍ୟାଧର ସାହୁ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଯାଇ ବିଦ୍ୟାଧର ସାହୁଙ୍କ ତିରୋଧାନ ଦିବସ ଡିସେମ୍ବର ୩୧ ହିଁ ବିଶ୍ବ ଛେନାପୋଡ଼ ଦିବସ ବୋଲି ଦାବି କରାଯାଇଛି।

Advertisment

ବିଦ୍ୟାଧର ସାହୁ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ଖାଲି ସେତିକି ନୁହେଁ, ଛେନାପୋଡ଼ର ସ୍ରଷ୍ଟା ଭାବେ ସୁଦର୍ଶନ ସାହୁଙ୍କ ନାମରେ ଏପ୍ରିଲ୍ ୧୧ରେ ଜୟଦେବ ଭବନଠାରେ ଯେଉଁ ବିଶ୍ବ ଛେନାପୋଡ଼ ଦିବସ ପାଳନ ହେବାକୁ ଯାଉଛି; ତହିଁର କ’ଣ ପ୍ରମାଣ ରହିଛି ତାହା ଉପସ୍ଥାପନ କରିବା ପାଇଁ କୁହାଯାଇଛି। ରହିଥିବା ପ୍ରମାଣକୁ ସାର୍ବଜନୀନ କରିବା ସହ ଏହାର ପ୍ରକୃତ ତଦନ୍ତ ହେଉ ବୋଲି ଟ୍ରଷ୍ଟ ପକ୍ଷରୁ ଆହ୍ବାନ ଦିଆଯାଇଛି। 

ସୁଦର୍ଶନ ସାହୁ ପୁଅ ଓ ବିଦ୍ୟାଧର ସାହୁ ହେଉଛନ୍ତି ବାପା। ବାପା ଛେନାପୋଡ଼ ପ୍ରସ୍ତୁତ କରୁଥିବା ବେଳେ ପୁଅ ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ନୟାଗଡ଼କୁ ବିକ୍ରୟ ପାଇଁ ଆଣୁଥିଲେ। ପରବର୍ତ୍ତୀ ସମୟରେ ନୟାଗଡ଼ରେ ବିବାହ କରି ରହିବା ପରେ ବାପାଙ୍କଠୁ ଶିଖିଥିବା ଛେନାପୋଡ଼ ପ୍ରସ୍ତୁତ କରି ବିକ୍ରୟ କରୁଥିଲେ। ତେଣୁ ପୁଅ ସୁଦର୍ଶନ କିଭଳି ସ୍ରଷ୍ଟା ହେଲେ ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରଶ୍ନ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଆବାହକ ସୁରେଶ କୁମାର ମିଶ୍ରଙ୍କ ସମେତ ସମ୍ପାଦକ ନାରାୟଣ ସାହୁ, ସନ୍ତୋଷ କୁମାର ସାହୁ, ପ୍ରଭାତ କୁମାର ସାହୁ ଓ ଦାୟାଦଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।