କଟକ: ‘ସମାଜ ଓ ‘ସମ୍ବାଦ’ ଯଦି ଓଡ଼ିଶାର ବୃହତ୍ତର ସ୍ବାର୍ଥ ପାଇଁ ଏକାଠି ହୁଅନ୍ତି, ତେବେ ଓଡ଼ିଶାକୁ ଲୁଟିବା ପାଇଁ କେହି ସାହସ କରିପାରିବେ ନାହିଁ। କଟକ ବକ୍ସିବଜାରସ୍ଥିତ ସମାଜର ମୁଖ୍ୟ କାର୍ଯ୍ୟାଳୟ ଗୋପବନ୍ଧୁ ଭବନରେ ଆୟୋଜିତ ସମାଜର ପୂର୍ବତନ ସଂପାଦକ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପ୍ରବୀଣ ରାଜନେତା ଡକ୍ଟର ରଥଙ୍କୁ ୧୨୬ତମ ଜୟନ୍ତୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ଶତାୟୁ ପୁରୁଷ ରାଧାନାଥ ଗଣମାଧ୍ୟମ, ରାଜନୀତି, ସାମାଜିକ ଜୀବନରେ ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିଲେ। ଶୃଙ୍ଖଳା ହିଁ ଥିଲା ତାଙ୍କ ସଫଳତାର ରହସ୍ୟ। ଏବଂ ଏହି ସଫଳତାକୁ ତାଙ୍କର ଉତ୍ତରପିଢ଼ି ଉପଭୋଗ କରୁଛନ୍ତି। କିନ୍ତୁ ମୁଦ୍ରିତ ଗଣମାଧ୍ୟମ ଏବେ ସଙ୍କଟରେ।

Advertisment

ମୁଦ୍ରିତ ଗଣମାଧ୍ୟମକୁ ଆଗକୁ ଆହୁରି ବଡ଼ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଏଥି ପାଇଁ ‘ସମାଜ’ ଓ ‘ସମ୍ବାଦ’ ଭଳି ପ୍ରମୁଖ ଖବରକାଗଜ ଏକାଠି ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ‘ସମାଜ’ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ମୁଖ୍ୟ ଅତିଥି ଭାବେ ଯୋଗଦେବା ହୁଏତ ଚର୍ଚ୍ଚାର ବିଷୟ ହେବ ବୋଲି ଶ୍ରୀ ପଟ୍ଟନାୟକ ହାଲ୍‌କା ଭାବେ କହିବା ସହିତ ‘ସମାଜ’ ଖବର ପରିବେ‌ଷଣ ସହ ରିଲିଫ୍ ବଣ୍ଟନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଗ୍ରହଣୀୟ ହୋଇଛି। ସେହିଭଳି ‘ସମ୍ବାଦ’ ଖବର ପରିବେଷଣ ସହ ରକ୍ତଦାନ, ଓଡ଼ିଆ ଭାଷାଜ୍ଞାନ, ବୃକ୍ଷରୋଷଣ ଭଳି କାର୍ଯ୍ୟକ୍ରମ ପାଇଁ ଗ୍ରହଣୀୟ ହୋଇପାରିଛି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ୧୯୧୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ପରେ ଦୈନିକ ହେଲା ଏବଂ ୧୯୪୬ରୁ ବାବୁଜୀ ଦୀର୍ଘ ୫୨ବର୍ଷ ଧରି ‘ସମାଜ’ର ପରିଚାଳନା ଦାୟିତ୍ବ ନିର୍ବାହ କରି ଏହାକୁ ସଫଳତାର ଶୀର୍ଷକୁ ନେଇଥିଲେ। ଏଥିସହିତ ‌‘ସମାଜ’ ସମ୍ମାନର ସହ ପ୍ରଭାବୀ ଢଙ୍ଗରେ ଦୀର୍ଘ ୧୦୨ବର୍ଷ ହେଲା ନିଜ ସ୍ଥାୟିତ୍ବକୁ ବଜାୟ ରଖିଛି। ଏଭଳି ସଫଳତାର ରହସ୍ୟ ବିଷୟରେ ସମସ୍ତେ ଜାଣିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲୋକସେବକ ମଣ୍ଡଳ, ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ନିରଞ୍ଜନ ରଥ କହିଲେ ଯେ ରାଧାନାଥ ରଥ ଥିଲେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ। ପ୍ରତି କ୍ଷେତ୍ରରେ ବାବୁଜୀ ତାଙ୍କ ଗୁରୁଦେବ ଉତ୍କଳମଣିଙ୍କୁ ଅନୁସରଣ କରୁଥିଲେ। ଏଭଳି ବ୍ୟକ୍ତିଙ୍କ ଆଶୀର୍ବାଦ ଲାଭ କରିବାକୁ ଜୟନ୍ତୀ ଉତ୍ସବର ଆୟୋଜନ ବୋଲି ସଭାପତି ଶ୍ରୀ ରଥ ମତବ୍ୟକ୍ତ କରିବା ସହିତ ବାବୁଜୀଙ୍କ ଭଳି ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟ ବହୁମୁଖୀ ପ୍ରତିଭାର ଅଧିକାରୀ ବୋଲି କହିଥିଲେ। ଉତ୍ସବରେ ‘ସମାଜ’ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜର ସଂପାଦକ କାନନ ବିହାରୀ ଦାଶ ଅତିଥି ପରିଚୟ ଏବଂ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜ ରିଲିଫ୍ କମିଟି ସଦସ୍ୟ ଭବାନୀ ପ୍ରସାଦ ମିଶ୍ର ଜୟନ୍ତୀ ଉତ୍ସବ ସଂଯୋଜନା କରିଥିବା ବେଳେ ‘ସମାଜ’ର ମହାପ୍ରବନ୍ଧକ ଶିବରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜୟନ୍ତୀ ଉତ୍ସବରେ ‘ସମାଜ’ର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ମହାନଗର ଶାନ୍ତି କମିଟି କର୍ମକର୍ତ୍ତା, ବିଭିନ୍ନ ସାହି ମୁରବି, ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଓ ଅନ୍ୟ ଅତିଥିମାନେ ବକ୍ସିବଜାରଛକସ୍ଥିତ ଡକ୍ଟର ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତି, ‘ସମାଜ’ ଅଫିସ୍ ପରିସରସ୍ଥିତ ରାଧାନାଥ ରଥ, ବିଶ୍ବନାଥ ଦାସ, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।