ସଚିବ ବଦଳିଲେ ନିଷ୍ପତ୍ତି ବଦଳୁଛି: ନୂତନ କଲେଜ ଖୋଲିବାକୁ ଅନୁମତି

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ଶାଶ୍ବତ ମିଶ୍ର ଉଚ୍ଚଶିକ୍ଷା ବିଭାଗ ସଚିବ ଥିବାବେଳେ ନିଷ୍ପତ୍ତି ନେଲେ ଯେ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରି ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। କାରଣ ଦର୍ଶାଇଲେ ‌ଆବଶ୍ୟକ ଭିତ୍ତିଭୂମି ନ ଥାଇ ଘରୋଇ କଲେଜ ଖୋଲୁଥିବାରୁ ବହୁ ସିଟ୍‌ ବଳକା ପଡ଼ୁଛି। ୨୦୧୬-୧୭ ଶିକ୍ଷାବର୍ଷରେ ୯୧.୨୪% ଯୁକ୍ତ୩ ସିଟ୍‌ ପୂରଣ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ତାହା ୬୭.୭୮%କୁ ହ୍ରାସ ପାଇଥିଲା। ତେଣୁ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ନ ଦେଇ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ଏଭଳି ପଦକ୍ଷେପ ନିଆଯାଇଥିଲା।

ଇତିମଧ୍ୟରେ ସଚିବ ବଦଳିଛନ୍ତି। ଶାଶ୍ବତ ମିଶ୍ରଙ୍କ ସ୍ଥାନରେ ବିଷ୍ଣୁପଦ ସେଠୀ ଦାୟିତ୍ବ ଗ୍ରହଣ କରିଛନ୍ତି। ତେଣୁ ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ସହ ପ୍ରତ୍ୟାହାର କରିଛନ୍ତି। ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଗତ ମାସରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟିରେ ସ୍ଥିର ହୋଇଛି ଯେ ଏଣିକି ରାଜ୍ୟରେ ନୂଆ କଲେଜ/ବିଭାଗ/ପାଠ୍ୟକ୍ରମ ଖୋଲିବ। ସିଟ୍‌ ବୃଦ୍ଧି ଲାଗି ମଧ୍ୟ ଅନୁମତି ଦିଆଯିବ। ୨୦୨୨-୨୩ ଶିକ୍ଷାବର୍ଷରେ ନାକ୍‌ ଟିମ୍‌ ଗସ୍ତ, ଏନ୍‌ଆଇଆରଏଫ୍‌ ରାକିଂ, ଏନ୍‌ବିଏ ଅନୁମତି ଲାଗି କଲେଜଗୁଡ଼ିକରେ ୟୁଜି ସମେତ ପିଜି ବିଭାଗରେ ନୂତନ ବିଷୟ/ବିଭାଗ/ପାଠ୍ୟକ୍ରମ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିବ। ତେବେ କଲେଜ ଓ ବିଭାଗ ଖୋଲିବାକୁ ଆବେଦନ କରିବାର ୧୫ ଦିନ ମଧ୍ୟରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକ କିମ୍ବା ତାଙ୍କ ପ୍ରତିନିଧି ଯୁଗ୍ମ ଭାବେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରି ରିପୋର୍ଟ ପ୍ରଦାନ କରି‌ବେ।

ଶାଶ୍ବତ ରୋକ ଲଗାଇଥିଲେ, ବିଷ୍ଣୁପଦ ପ୍ରତ୍ୟାହାର କଲେ
୨୦୨୫-୨୬ ଯାଏ ନୂଆ କଲେଜକୁ ଅନୁମତି ନ ଦେବାକୁ ହୋଇଥିଲା ନିଷ୍ପତ୍ତି

ଦେଖିବାକୁ ମିଳୁଛି ଯେ କମ୍‌ ପିଲା ନାମ ଲେଖାଉଥିବାରୁ, ସ୍ଥାନୀୟ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଅଭାବ, ଯେଉଁ ପାଠ୍ୟକ୍ରମ ରହିଛି ସେଥିରେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କ ଅନିଚ୍ଛା ଯୋଗୁଁ କେତେକ କର୍ତ୍ତୃପକ୍ଷ କଲେଜ ବନ୍ଦ କରିବାକୁ ଆବେଦନ କରୁଛନ୍ତି। ସେ କ୍ଷେତ୍ରରେ କଲେଜଗୁଡ଼ିକ ପକ୍ଷରୁ ପଇଠ ହୋଇଥିବା ଅର୍ଥର ୫୦% ଫେରସ୍ତ କରାଯାଉଛି। ମାତ୍ର ଏବେ ବିଭାଗ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସମସ୍ତ ୧୦୦% ଅର୍ଥ ଫେରସ୍ତ କରାଯିବ। ବିଭାଗ ପକ୍ଷରୁ ଅନୁମତି ପାଇବା ପରେ ମଧ୍ୟ ଅଧିକାଂଶ କଲେଜ ଅନୁମୋଦନ ଲାଗି ଆବେଦନ କରୁ ନ ଥିବା ଦେଖିବାକୁ ମିଳିଛି। ତେଣୁ ଏଦିଗରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ ପଦକ୍ଷେପ ନେବେ। ୨୦୨୨-୨୩ ଶିକ୍ଷାବର୍ଷରେ ଅନୁମୋଦନ ଲାଗି ଇତି ମଧ୍ୟରେ ସାମ୍‌ସ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଯୁଗ୍ମ ଯାଞ୍ଚ ଲାଗି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଇଥିବା ଜଣାପଡ଼ିଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାୟୀ ମାନ୍ୟତା ଲାଗି ୨୦୧୮-୧୯ରୁ ୨୦୨୧-୨୨ ଶିକ୍ଷାବର୍ଷ ମଧ୍ୟରେ ବିଭିନ୍ନ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ(ଆରଡିସି)କୁ ୧୩୯ଟି ପ୍ରସ୍ତାବ/ଯୁଗ୍ମ ତଦନ୍ତ ରିପୋର୍ଟ ଆସିଛି। ଯୁଗ୍ମ ଯାଞ୍ଚ ପରେ ନୂତନ ଅନର୍ସ, ବିଷୟ ଖୋଲିବା ଓ ବିଭାଗ ସିଟ୍‌ ବୃଦ୍ଧି ଲାଗି ଆର୍‌ଡିସିଙ୍କଠାରୁ ୨୩ଟି ପ୍ରସ୍ତାବ ବିଭାଗ ନିକଟକୁ ଆସିଛି। କଲେଜ/ବିଭାଗ/ବିଷୟ ବନ୍ଦ କରିବା ଲାଗି ଏହି ସମୟ ମଧ୍ୟରେ ୪ଟି ପ୍ରସ୍ତାବ ଗ୍ରହଣ କରାଯାଇଛି। ଦୁଇ କଲେଜ ନିଜର ଠିକଣା ପରିବର୍ତ୍ତନ କରିଛନ୍ତି।

ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ଭେରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି। ସାରା ଦେଶରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୩୦ଟି କଲେଜ ରହିଛି। ଯେତେବେଳେ କି ଓଡ଼ିଶାରେ ଏହି ସଂଖ୍ୟା ୨୪। ସେହିପରି ଗ୍ରସ୍‌ ଏନରୋଲମେଣ୍ଟ ରେସିଓ(ଜିଇଆର) ଦେଶରେ ୨୭.୧ ଥିବା ବେଳେ ଓଡ଼ିଶାରେ ୨୧.୭ ରହିଛି। ତାହାକୁ ନଜରରେ ରଖି ରାଜ୍ୟରେ ନୂତନ କଲେଜ, ବିଭାଗ ଓ ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର