ହାଇକୋର୍ଟରେ ଶ୍ରୀମନ୍ଦିର ମାମଲା : କେବେ ଜଗମୋହନ ଖୋଲିବ ଜଣାଅ?

ଏପ୍ରିଲ୍‌ ୪ରେ ଖୋଲିବ ରତ୍ନଭଣ୍ଡାର!
ଏପ୍ରିଲ ୫ରେ ପରବର୍ତ୍ତୀ ଶୁଣାଣି

କଟକ : ଏପ୍ରିଲ୍‌ ୪ ତାରିଖରେ ଆପାତତଃ ରତ୍ନ ଭଣ୍ଡାର ଖୋଲାଯାଇ ପାରେ। ରତ୍ନ ଭଣ୍ଡାର ଖୋଲି ଭିତିର ସ୍ଥିତି ଅନୁଧ୍ୟାନ ପାଇଁ ସରକାର ଅନୁମତି ଦେଇ ସାରିଛନ୍ତି। ତେଣୁ ସେହି ଅନୁଯାୟୀ ପ୍ରସ୍ତୁତି ଚାଲିଛି। ଆଜି ହାଇକୋର୍ଟରେ ପୁରୀ ଶ୍ରୀମନ୍ଦିର ସଂପର୍କିତ ମାମଲା ଶୁଣାଣି ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ତଥ୍ୟ ରଖାଯାଇଛି। ଅନ୍ୟପଟେ ଶ୍ରୀ ମନ୍ଦିରର ଜଗମୋହନ କେବେ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସ୍ପଷ୍ଟ କରିବାକୁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମରାମତି ପାଇଁ ବନ୍ଦ ଥିବା ଜଗମୋହନ କେବେ ଖୋଲିବ ସେ ନେଇ ଏପ୍ରିଲ ୫ ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୪ରେ ଶେଷ ଥର ଲାଗି ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏବେ ରତ୍ନ ଭଣ୍ଡାରର ସ୍ଥିତି କଣ ରହିଛି ତାହା ଯାଞ୍ଚ କରାଯିବା ଆବଶ୍ୟକ। ଯାଞ୍ଚ ପରେ ଯଦି ମରାମତି ଆବଶ୍ୟକ ଥାଏ ତେବେ ଏଥିପାଇଁ ଏଏସ୍‌ଆଇ ପଦକ୍ଷେପ ଗ୍ରହଣ କରିବ। ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ସଂପାଦନ ପରେ ଜଗମୋହନ ଦେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ଓ ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟ ହେବ। ଦୁର୍ବଳ ହୋଇ ପଡିଥିବା ନାଟମଣ୍ଡପର ମରାମତି ଜଗମୋହନ ଖୋଲିବା ପରେ ହେବ ବୋଲି ପ୍ରଶାସନ ଗୋଟିଏ ପଟେ କହିଥିବା ବେଳେ ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକ ମରାମତି ପରେ ଜଗମୋହନ ଖୋଲିବା ସମ୍ଭବ ହେବ ବୋଲି ଅନ୍ୟପଟେ ଯୁକ୍ତି ରଖିଥିଲା। ଏପରି ପରିସ୍ଥିତିରେ କେବେ ରତ୍ନ ଭଣ୍ଡାର ଖୋଲିବ ଓ କେବେ ଏହାର ସ୍ଥିତି ଅନୁଧ୍ୟାନ କରାଯିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ। ମରାମତି କାର୍ଯ୍ୟ ସରିଥିବା ଜଗମୋହନ କେବେ ଖୋଲିବ ଓ କେବେ ନାଟ ମଣ୍ଡପ ମରାମତି କାମ ଆରମ୍ଭ ହେବ ତା’ ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଥିଲେ।

ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏଚ୍‌.ଏ. ନାୟକଙ୍କ ପକ୍ଷରୁ ଆଜି ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରୁ ଅନୁମତି ଲୋଡ଼ା ଯାଇଥିଲା। ଏହାପରେ ଏଏସଆଇର ବୈଷୟିକ କମିଟି ସଦସ୍ୟ, ଇଂଜିନିୟର, ଶ୍ରୀମନ୍ଦିର ପ୍ରଶାସନର ଇଂଜିନିୟର ରତ୍ନ ଭଣ୍ଡାରର ବାହାର ପଟ ମାର୍ଚ୍ଚ ୨୬ ତାରିଖ ଦିନ ଅନୁଧ୍ୟାନ କରିଥିଲେ। କେତେକ ସ୍ଥାନରେ ପ୍ଲାଷ୍ଟର ଦୁର୍ବଳ ଥିବା ବାହାର ପଟୁ ଅନୁଧ୍ୟାନ କରିବା ବେଳେ ଜଣା ପଡିଥିଲା। କିନ୍ତୁ ରତ୍ନ ଭଣ୍ଡାରର ସ୍ଥିତି ବାସ୍ତବରେ କଣ ରହିଛି ତାହା ଭିତର ପଟୁ ଅନୁଧ୍ୟାନ କରାଯିବା ପରେ ସ୍ପଷ୍ଟ ହେବ। ଏପରି ପରିସ୍ଥିତିରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ସହିତ ରତ୍ନ ଭଣ୍ଡାର ଭିତର ଅନୁଧ୍ୟାନ ପାଇଁ ଅନୁମତି ଆବଶ୍ୟକ ବୋଲି ବୈଷୟିକ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥି ସହିତ ନୀଳଚକ୍ର ଆର୍ଥିଂ ବ୍ୟବସ୍ଥାର ମରାମତି କାମ ଏପ୍ରିଲ ୧୫ ତାରିଖ ସୁଦ୍ଧା ସରିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର, ଜିଏ ରମାକାନ୍ତ ମହାପାତ୍ର ଓ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ମାର୍ଚ୍ଚ ୨୨ ତାରିଖ ଦିନ ମାମଲାର ଶୁଣାଣି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ମାର୍ଚ୍ଚ ୨୦ ତାରିଖ ଦିନ ପରିଚାଳନା କମିଟିର ବୈଠକ ବସିଥିଲା ଓ ରତ୍ନ ଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ଏଏସଆଇକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆବଶ୍ୟକ ସ୍ଥଳେ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ୟ ସଂପାଦନ ପରେ ଜଗମୋହନ ଦେଇ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ଓ ନାଟମଣ୍ଡପ ସଂରକ୍ଷଣ କାର୍ଯ୍ୟ ହେବ। ମାର୍ଚ୍ଚ ୨୨ରେ ମାମଲାର ଶୁଣାଣି କରି ଖଣ୍ଡପୀଠ ମାର୍ଚ୍ଚ ୨୬ ଓ ୨୭ ତାରିଖ ଦିନ ଏଏସଆଇକୁ ଜଗମୋହନ ଭିତରେ ଥିବା ଶ୍ରୀଜୀଉଙ୍କ ରତ୍ନ ଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ପ୍ରଦାନ କରିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର