ବାହାନଗାରେ କରମଣ୍ଡଳ ସହିତ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌, ସଂକ୍ଷେପରେ ଜାଣନ୍ତୁ

ଭୁବନେଶ୍ବର: ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସେହିପରି ୩୦୦ରୁ ଅଧିକ ଯାତ୍ରୀ ଆହତ ଏବଂ ଗୁରୁତର ଥିବାରୁ ସେମାନଙ୍କୁ ସୋର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯିବା ସହିତ ଅନ୍ୟ ଡାକ୍ତରଖାନାକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ଦୁଇଟି ଟ୍ରେନ୍‌ କେମିତି ହେଲା ଜାଣନ୍ତୁ।

କୁହାଯାଉଛି ଯେ, କରମଣ୍ଡଳ ଏକ୍ସପ୍ରେସ୍‌ ଆଜି ସନ୍ଧ୍ୟା ୬ଟା ୫୧ ମିନିଟରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ ନିକଟ ପଣପଣାଠାରେ ପହଞ୍ଚିଥିଲା। ଏହି ସମୟରେ କରମଣ୍ଡଳର କିଛି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବାର ଅଳ୍ପ ସମୟ ମଧ୍ୟରେ ବେଙ୍ଗାଲୁର-ହାୱଡା ଏକ୍ସପ୍ରେସ୍‌ ଟ୍ରେନ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲା। ତେବେ ପୂର୍ବରୁ ପଣପଣାଠାରେ ଦୁର୍ଘଟଣାର ସାମ୍ନା କରିଥିବା କରମଣ୍ଡଳ ଏକ୍ସପ୍ରେସ୍‌ର କିଛି ବଗି ବଗିର ସଂସ୍ପର୍ଶରେ ଆସିଥିଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌। ଉଭୟ ଟ୍ରେନ୍‌ର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହେବା ପରେ ପ୍ରାୟ ୩୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ଏବଂ ଗୁରୁତର ହୋଇଥିଲେ।

ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ରାତ୍ରିକାଳୀନ ଦୁର୍ଘଟଣା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ପହଞ୍ଚିଛି। ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଓ ପୁଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ୫୦ଟି ଆମ୍ବୁଲାନ୍ସ ଏବଂ ୫୦ଟି ବସ୍‌ରେ ଯାତ୍ରୀମାନଙ୍କୁ ହସ୍‌ପିଟାଲ ନିଆଯାଉଛି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର