ଶ୍ରୀକାନ୍ତ ମହାରଣା

Advertisment

ପାରଳାଖେମୁଣ୍ଡି: ପାରଳାର ଶିଙ୍ଗ କଳା ବିଶ୍ବପ୍ରସିଦ୍ଧ। ତେବେ, ପରପିଢ଼ିଙ୍କ ଅନାଗ୍ରହ ଏବଂ ଅନ୍ୟାନ୍ୟ କର୍ମକୁଶଳତାରେ ମନୋନିବେଶ ହେତୁ ଆଜି ଏହି ପାରମ୍ପରିକ କଳା ବିଲୁପ୍ତର ଦ୍ବାର ଦେଶରେ ପହଞ୍ଚିଛି। ଯଦିଓ ଏହି କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି, ତଥାପି ଏହି ନିଆରା କଳା ଆଜି ବିଶେଷ ପ୍ରଗତି ହାସଲ କରି ପାରିନାହିଁ। ଏହି ଶିଙ୍ଗ କାରୁକାର୍ଯ୍ୟ ପ୍ରାୟ ୨ଶହ ବର୍ଷ ପୁରୁଣା। ଏଠିକାର ଶିଙ୍ଗରେ ନିର୍ମିତ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଦେଶ ତଥା ଦେଶ ବାହାରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲା। ବିଶେଷ କରି ମଇଁଷି ଶିଙ୍ଗରେ ପାନିଆ, ବଗ, ହାତୀ, ଜଗନ୍ନାଥ, ଚିଙ୍ଗୁଡ଼ି, ମୟୂର, ପେନ୍‌ଷ୍ଟାଣ୍ଡ, ବଙ୍କୁଲିବାଡ଼ି ଆଦି ଅନେକ ଗୃହ ସଜ୍ଜା ଉପକରଣ ପ୍ରସ୍ତୁତିରେ ସେମାନେ ‌ଥିଲେ ସିଦ୍ଧହସ୍ତ। ପାରଳାଖେମୁଣ୍ଡିର ବହୁ ମହାରଣା ପରିବାର ଏହି ହସ୍ତଶିଳ୍ପ ଦ୍ବାରା ପରିବାର ପ୍ରତିପୋଷଣ କରୁଥିଲେ। ହେଲେ, କଞ୍ଚାମାଲର ଅଭାବ ତଥା ସରକାରୀ ପ୍ରୋତ୍ସାହନର ଅଭାବ ଯୋଗୁ ଧୀରେ ଧୀରେ କାରିଗର ସଂଖ୍ୟା କମିବାରେ ଲାଗିଛି। ଗତବର୍ଷ ଭୁବନେଶ୍ୱରସ୍ଥିତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ କେନ୍ଦ୍ରର ୩ ଜଣିଆ ପ୍ରତିନିଧି ଦଳ ପାରଳାଖେମୁଣ୍ଡିରେ ପହଞ୍ଚି ନୂତନ କାରିଗର ସୃଷ୍ଟି ଦିଗରେ ଉଦ୍ୟମ କରିଥିଲେ। କିନ୍ତୁ ଟିମ୍‌ କାର୍ଯ୍ୟ ସାରି ଫେରିବା ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା।

ନା କାରିଗର ବଢ଼ାଇବା ପାଇଁ କାର୍ଯ୍ୟରେ ଅଗ୍ରଗତି ହେଲା ନା ନୂତନ ଲୋକଙ୍କୁ ତାଲିମ ଦିଆଗଲା। ସବୁ ଆଲୋଚନା କେବଳ କାଗଜକଲମରେ ସୀମିତ ହୋଇ ରହିଗଲା। ଆର୍ଥିକ ଅନଟନ କାରିଗରଙ୍କୁ ଏହି କଳା ପ୍ରତି ବିମୁଖ କରିବା ସହ ଅନ୍ୟ ଧନ୍ଦା ଅନ୍ବେଷଣ କରିବା ସକାଶେ ବାଧ୍ୟ କରୁଛି। ଏପଟେ, ଶିଙ୍ଗକାମ ସକାଶେ ଭୌଗୋଳିକ ମାନ୍ୟତା ହାସଲ କରିବାକୁ ଜିଲ୍ଲା ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଖବର ପ୍ରାୟ ଦୁଇବର୍ଷ ତଳୁ ମିଳିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏଥିରେ ବିଶେଷ କାର୍ଯ୍ୟନ୍ବୟନ ଦେଖିବାକୁ ମିଳିନାହିଁ। ଏଣୁ ରାଜ୍ୟର କିଛି ହାତଗଣତି ହସ୍ତଶିଳ୍ପ ମଧ୍ୟରେ ଗଣାଯାଉଥିବା ଶିଙ୍ଗକାମ ଏକ ପ୍ରକାର କୋଣଠେସା ହୋଇଯାଇଛି। ହସ୍ତ ଓ ବୟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ଶିଙ୍ଗକାମର ବିକାଶ ପାଇଁ ଏତେଟା ପଦକ୍ଷେପ ଗ୍ରହଣ କରା ନ ଯିବା ଏହାକୁ ଅ‌ବହେଳିତ ଅବସ୍ଥାରେ ଛାଡ଼ି ଦିଆଯାଇଥିବା ସୂଚାଉଛି। ଏଣୁ ଅନ୍ତତଃ ବର୍ତ୍ତମାନ ହେଲେ ସରକାର ଚେତନ୍ତୁ ଏବଂ ଏହି କଳା ପ୍ରତି ସମର୍ପିତ ଭାବନା ରଖି ବଞ୍ଚିବାକୁ ଏବଂ ଏହି କଳାକୁ ବଞ୍ଚାଇ ରଖିବାକୁ ଚାହୁଥିବା ପରିବାରଙ୍କୁ ଆର୍ଥିକ ସହାୟତା ଓ ବିପଣନ ସହଯୋଗ ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।