ଝାରସୁଗୁଡ଼ା/ବ୍ରଜରାଜନଗର/ରାଉରକେଲା: ‘କଂଗ୍ରେସ ନେତା କହୁଛନ୍ତି ୪୦୦ ପାର କାହିଁକି ଦରକାର? ମୋଦୀଜୀ ୩୦୦ ସିଟ୍ରେ ରାମମନ୍ଦିର ପ୍ରତିଷ୍ଠା କଲେ। ୪୦୦ ସିଟ୍ ହେଲେ ଜ୍ଞାନବ୍ୟାପୀ ମସ୍ଜିଦରେ ମନ୍ଦିର ବନାଇବୁ ଓ କୃଷ୍ଣ ଜନ୍ମଭୂମିରେ କୃଷ୍ଣମନ୍ଦିର ତିଆରି ହେବ।’ ଆଜି ବେଲପାହାଡ଼ଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଆସାମର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱଶର୍ମା ଏହା କହିଛନ୍ତି। ପାକ୍ ଅଧୀକୃତ କଶ୍ମୀର କିଭଳି ଭାରତ ଅଧୀନକୁ ଆସିବ ସେଥିପାଇଁ କାର୍ଯ୍ୟ କରିବାର ଅଛି। ଏବେ ହିନ୍ଦୁ ଜାଗିଛି ଓ ସ୍ୱପ୍ନ ବି ଦେଖୁଛି। ତେଣୁ ସ୍ୱପ୍ନ ପୂରଣ ପାଇଁ ୪୦୦ ପାର୍ ମୋଦୀଜୀଙ୍କ ପାଇଁ ଆବଶ୍ୟକ ରହିଛି ବୋଲି ଶ୍ରୀ ବିଶ୍ବଶର୍ମା କହିଛନ୍ତି। ଏହାସହିତ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ। ‘ପାଣ୍ଡିଆନ୍ କ’ଣ କରୁଛନ୍ତି ନବୀନବାବୁଙ୍କୁ ଜଣାନାହିଁ। ମୁଁ ପାଣ୍ଡିଆନଙ୍କୁ କହୁଛି ଚାବି ପାତାଳରେ ଥିଲେ ମଧ୍ୟ ବିଜେପି ଖୋଜି ବାହାର କରିବ। ଏହା ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି। ମୋଦୀଜୀ କାହାକୁ ଛାଡ଼ିବେ ନାହିଁ’ ବୋଲି ଶ୍ରୀ ବିଶ୍ବଶର୍ମା କହିଥିଲେ।
ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଚାଷୀଙ୍କୁ ବିନା କଟ୍ନିଛଟ୍ନିରେ ଧାନର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ମିଳୁଛି। ଓଡ଼ିଶାରେ ବିଜେପିକୁ ଥରେ ସରକାର ବନାଇବାର ସୁଯୋଗ ଦେଲେ ନିଶ୍ଚିତ ସେହି ସୁବିଧା ଓଡ଼ିଶା ଚାଷୀଙ୍କୁ ମିଳିବ। ମୋଦୀ ଚାଉଳ ମାଗଣା ଦେଉଛନ୍ତି। କିନ୍ତୁ ପାଣ୍ଡିଆନ୍ ଖାଲି ବ୍ୟାଗ୍ ୨ଟା ଦେଇ ବିଜେଡିରେ ନିଜର ପ୍ରଚାର କରୁଛନ୍ତି। ଏଥିପାଇଁ ପାଣ୍ଡିଆନଙ୍କ ମସ୍ତିଷ୍କକୁ ନେଇ ନୋବେଲ ପୁରସ୍କାର ଦେବା କଥା ବୋଲି ଶ୍ରୀ ବିଶ୍ବଶର୍ମା କଟାକ୍ଷ କରିଥିଲେ। ଓଡ଼ିଶାରେ ନବୀନବାବୁ ମିଟିଂ କରୁଛନ୍ତି, ମାଇକ୍ ଧରୁଛନ୍ତି ପାଣ୍ଡିଆନ। କିଛି ନହେଲେ ଓଡ଼ିଆ ଲୋକଙ୍କୁ ଏହି ମାଇକ୍ ଧରିବା ଚାକିରି ତ’ ଦିଅ ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ବିଶ୍ବଶର୍ମା ଚାଛଲ୍ୟଭରା ଢଙ୍ଗରେ କହିଥିଲେ।
ବେଲପାହାଡ଼ରେ ବିଜେପିର ବିଜୟ ସଂକଳ୍ପ ସମାବେଶ
ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ତୀବ୍ର ସମାଲୋଚନା
ରାଜ୍ୟରେ ବିଜେପି ସରକାର ହେଲେ ୩ ଲକ୍ଷ ସରକାରୀ ସ୍ତରରେ ନିଯୁକ୍ତି ଦେବେ। ୩୧୦୦ ଧାନର ମୂଲ୍ୟ, ସୁଭଦ୍ରା ଯୋଜନା, ବରିଷ୍ଠଙ୍କୁ ୩ ହଜାର ଟଙ୍କା ପେନ୍ସନ୍ ଦେବେ। ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଏହାର ଉଦାହରଣ ବୋଲି ସେ କହିଥିଲେ। ନବୀନବାବୁ ୫ଥର ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ନବୀନବାବୁ ଓଡ଼ିଶାର କୌଣସି ଜଣଙ୍କୁ ନିଜର ଉତ୍ତରାଧିକାରୀ କରିବାକୁ ରାଜି ନାହାନ୍ତି। ସେ କେବଳ ପଣ୍ଡିଆନଙ୍କୁ ସେହି ଦାୟିତ୍ବ ଦେବାକୁ ବସିଛନ୍ତି। ନବୀନବାବୁ ପାଣ୍ଡିଆନଙ୍କୁ କେବଳ ସ୍ନେହ ଶ୍ରଦ୍ଧା କଲେ ଚଳିବ ନାହିଁ। ଓଡ଼ିଶାର ଯୁବକଯୁବତୀ ତାଙ୍କର ପୁଅଝିଅ ରୂପେ ମାନିବା କଥା ବୋଲି ଶ୍ରୀ ବିଶ୍ବଶର୍ମା କହିଥିଲେ। ନବ ଦାସ ଗୁଳିକାଣ୍ଡ ଘଟଣା, ରାଜ୍ୟର ପିସି କାରବାର, ଦାଦନ ସମସ୍ୟା, ନିଶା କାରବାର ବୃଦ୍ଧି, ମହିଳା ବିରୋଧୀ ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ନିର୍ବାଚନ ବିଜେଡି ପାଇଁ ଶେଷ ନିର୍ବାଚନ ବୋଲି ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ସୁରେଶ ପୂଜାରୀ କହିଥିଲେ। ଏପରିକି ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ କିମ୍ବା ଶଙ୍ଖ ଚିହ୍ନ ନଥିବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ସଭାରେ ପୂର୍ବତନ ନଗରପାଳ କୈଳାସ ନାୟକ, ରଘୁନନ୍ଦନ ପଣ୍ଡା, ମଙ୍ଗଳ ସାହୁ, ବିଶ୍ୱଜିତ ଷଡ଼ଙ୍ଗୀ, ପ୍ରମୋଦ ସେନାପତି, ସୁଜିତ ସିଂ, ଆରତୀ ପ୍ରଧାନ, ପ୍ରଚଣ୍ଡ ଜୟସ୍ବାଲ, ରୀନା ପଟେଲ, ଚକାନନ୍ଦ ସା ଭାଷଣ ଦେଇଥିଲେ। ପ୍ରେମପ୍ରକାଶ ସିଂ ସ୍ୱାଗତ ଭାଷଣ ଦେଇଥିଲେ। ସେହିଭଳି ସୁନ୍ଦରଗଡ଼ର ଲହୁଣିପଡ଼ା ବ୍ଲକ୍ ବଡ଼ପୁରୁଣାପାଣି ପଞ୍ଚାୟତର ବଡ଼ପୁରୁଣାପାଣି ଖେଳପଡ଼ିଆରେ ଆୟୋଜିତ ସମାବେଶରେ ଶ୍ରୀ ବିଶ୍ବଶର୍ମା କହିଥିଲେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଆସିଲେ ବିକାଶ ତ୍ବରାନ୍ବିତ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Himanta-Biswa-Sharma-on-Ratna-Bhandar-Key_Thumbnail.jpg)