ଜୟପୁର: ଭୁବନେଶ୍ବର-ଜୟପୁର-ବିଶାଖାପାଟଣାକୁ ୯ ସିଟ ବିଶିଷ୍ଟ ବିମାନ ଇଣ୍ଡିଆ ୱାନ୍ ଏୟାର ଗତ ଅକ୍ଟୋବର ମାସରୁ ଚଳାଉଛି। ଏହାରି ମଧ୍ୟରେ ଏହି କଂପାନି ୩ଟି ବିମାନ କିଣିସାରିଛି। ଏହା ବାଦେ ମଧ୍ୟ ଦ୍ବିତୀୟ ବିମାନଟି ଜୟପୁରରୁ ଭୁବନେଶ୍ବରକୁ କେବେ ଉଡିବ ତାହାକୁ ନେଇ ସ୍ପଷ୍ଟ ସୂଚନା ମିଳିପାରୁନି। ଅପରପକ୍ଷରେ ଗତ ଏପ୍ରିଲ ମାସରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ମଧ୍ୟ ଟ୍ବିଟ୍ କରିବା ସହ ପରିବହନ ବିଭାଗ ସଚିବ ଉଷା ପାଢ଼ୀ କୋରାପୁଟ ଗସ୍ତରେ ଆସି ବିମାନବନ୍ଦରର ତଦାରଖ କରିବା ପରେ ଏହା ସତ ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ଶେଷ ମୂହର୍ତ୍ତରେ ଏହି ବିମାନଟି ଭୁବନେଶ୍ବରରୁ ଗଂଜାମର ରଂଗେଇଲୁଣ୍ଡାକୁ ଚଳାଚଳ କରିଥିଲା। ଅଂଚଳବାସୀ ନିରାଶ ହୋଇଥିଲେ। ଏହାରି ମଧ୍ୟରେ ଏହି ଟ୍ବିଟ୍ ଓ ପରିବହନ ବିଭାଗ ସଚିବଙ୍କ ଗସ୍ତର ୩ମାସ ବିତିବା ପରେ ବି ୨ୟ ବିମାନ ନ ଉଡିବା ପଛରେ କାରଣ କଣ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ୨୦୨୨ ଅକ୍ଟୋବର ୩୧ରୁ ଜୟପୁରକୁ ପ୍ରଥମ ବିମାନସେବା ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଚୁକ୍ତି ମୁତାବକ ପରୀକ୍ଷାମୂଳକ ଭାବେ ଇଣ୍ଡିଆ ୱାନ୍ ଏୟାର କମ୍ପାନି ୯ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଥିଲା। ଏହାର ସପ୍ତାହକ ପରେ ଉକ୍ତ ବିମାନ ବିଶାଖାପାଟଣାକୁ ମଧ୍ୟ ଉଡ଼ାଣ ଭରିଥିଲା। ଭୁବନେଶ୍ବରରୁ ପୂର୍ବାହ୍ ୧୧ଟା ୩୫ରୁ ବାହାରି ଜୟପୁରରେ ଦିନ ୧୨ଟା ୪୦ରେ ପହଂଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ଫେରୁଛି। ଅପରାହ୍ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି। ସପ୍ତାହକରେ ସାତ ଦିନ ଏହି ବିମାନ ଚଳାଚଳ କରୁଛି।
ସେବା ଆରମ୍ଭ ଦିନରୁ ଟିକେଟ ବୁକିଂ ଶତ ପ୍ରତିଶତ ରହୁଥିବାରୁ ଅଧିକ ସିଟ ସଂଖ୍ୟକ ବିମାନ କିମ୍ବା ଦ୍ବିତୀୟ ବିମାନ ଚଳାଚଳ ପାଇଁ ଦାବି ଉଠିଥିଲା। ଫଳରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ଦ୍ବିତୀୟ ବିମାନ ଚଳାଚଳକୁ ଅନୁମତି ପ୍ରଦାନ କରିଥିଲେ। କିନ୍ତୁ ହକି ବିଶ୍ବକପ ପାଇଁ ଜୟପୁରକୁ ଦ୍ବିତୀୟ ବିମାନ ସେବା ବିଳମ୍ବ ହୋଇଥିଲା। ଜୟପୁରକୁ ଉଡ଼ାଣ ଭରିବାକୁ ଥିବା ଦ୍ବିତୀୟ ବିମାନ ଭୁବନେଶ୍ବର-ରାଉରକେଲା ମଧ୍ୟରେ ଚଳାଚଳ କରୁଥିଲା। ଏହା ସରିବା ପରେ ରଂଗେଇଲୁଣ୍ଡାକୁ ଚାଳିଥିଲା। ତୃତୀୟ ବିମାନଟି ଆସିବା ପରେ ବେସାମରିକ ଓବିମାନସେବା ପ୍ରାଧିକରଣ ନିକଟରେ ପଂଜୀକରଣ କରାଇବା ପ୍ରକ୍ରିୟାରେ ରହିଛି ବୋଲି ଗତ ଏପ୍ରିଲରେ କହିଥିଲେ ଜିଲ୍ଲାପାଳ ଆବଦଲ ଏମ୍ ଆକ୍ତର। ପଂଜୀକରଣ ପାଇଁ ତିନିମାସ ସମୟ ଲାଗୁଛି କି ବୋଲି ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଦ୍ବିତୀୟ ବିମାନ ଚଳାଚଳ ପାଇଁ ଡିଜିସିଏର ଅନୁମତି ଦରକାର ତେବେ ରାଜ୍ୟ ସରକାର କାହିଁକି ଏ ନେଇ ଆବେଦନ କରୁନାହିଁ ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଯଦିଓ ବିମାନ ଚାଳିବା ଦିନ ଠାରୁ ଯାତ୍ରୀଙ୍କ ଚାହିଦା ରହିଛି । ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ବି କାହିଁକି ଦ୍ବିତୀୟ ବିମାନ ଚଳାଚଳ ପାଇଁ ଇଛା ପ୍ରକାଶ କରୁ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jpr-india-one-air.jpg)