ଜୟପୁର: ଜୟପୁର ଉପଖଣ୍ଡର ମୁରାନ ଠାରେ ଉପରଇନ୍ଦ୍ରାବତୀ ଡ୍ୟାମର ପାଣିକୁ  ନେଇ ଗତ  ୬ବର୍ଷ ତଳେ ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା।  ଜୟପୁର ,ବୋରିଗୁମ୍ମା ଓ କୋଟପାଡ ବ୍ଲକର ୫୧ଟି ପଂଚାୟତକୁ ପ୍ରକଳ୍ପରୁ ପାଣି ଯୋଗାଇବା ଲକ୍ଷ୍ୟ ରହିଥିଲା। କାମ ଏ ପର୍ଯ୍ୟନ୍ତ ସରିନଥିବାରୁ କେନ୍ଦ୍ର ଓ ରାଜ୍ୟସରକାର ଯେଉଁ  ‌ଲକ୍ଷ୍ୟ ରଖି ପ୍ରକଳ୍ପ ଆରମ୍ଭ କରିଥିଲେ ତାହା  ଫେଲ୍ ମାରିଥିବା ଅଂଚଳବାସୀ କହିବା ସହ କେବେ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ସବୁ ଗାଁର ପ୍ରତ୍ୟେକ ଘର ନିକଟକୁ ପାନୀୟ ଜଳ ଯୋଗାଇବା  ଲକ୍ଷ୍ୟରେ ମେଗା ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଜୟପୁର ଉପଖଣ୍ଡର ମୁରାନଡ୍ୟାମ ଉପରଇନ୍ଦ୍ରାବତୀ ଜଳଭଣ୍ଡାରରୁ ପାଣି ଆଣି ସେଠାରେ କରାଯାଇଥିବା ଟ୍ରୀଟମେଣ୍ଟ ପ୍ଲାଣ୍ଟ ଠାରେ ଜମା କରାଯିବ। ସେଠାରେ ବିଶୋଧିତ କରି  ସେହି ପାଣିକୁ ଜୟପୁର ବ୍ଲକର ୭ଟି, ବୋରିଗୁମ୍ମା ବ୍ଲକର ୨୯ଟି ଓ କୋଟପାଡ ବ୍ଲକର ୧୫ଟି ଏଭଳି ୫୧ଟି ପଂଚାୟତରେ ପାଣି ଯୋଗାଇବା ଲକ୍ଷ୍ୟ ରହିଥିଲା। ପ୍ରକଳ୍ପ ନିର୍ମାଣ କାମ ସାରିବା ଧାର୍ଯ୍ୟ ସମୟସୀମା ୨ବର୍ଷ ରହିଥିଲା।

ଅର୍ଥାତ ୨୦୧୮ସୁଦ୍ଧା ପ୍ରକଳ୍ପ କାମ ସାରିବା ସହ ଲୋକଙ୍କ ଘରକୁ ପାଣି ଯୋଗାଇବା ଲକ୍ଷ୍ୟ ରହିଥିଲା। ଏହାରି ମଧ୍ୟରେ ଠିକାସଂସ୍ଥା ଧାର୍ଯ୍ୟ ସମୟ ସୀମାକୁ ୩ଥର ବୃଦ୍ଧି କରି ୬ବର୍ଷ ପରେ ମଧ୍ୟ ପ୍ରକଳ୍ପ କାମ ସଂପୁର୍ଣ୍ଣ କରି ପାରି ନାହିଁ।  ସେପରି ଉପଖଣ୍ଡରେ ଦ୍ବିତୀୟ ପ୍ରକଳ୍ପରେ ଉପରକୋଲାବ ନଦୀର ପାଣିକୁ କୁନ୍ଦ୍ରା ବ୍ଲକର ଡଙ୍ଗରପାଉଁଶୀ ନିକଟସ୍ଥ ପୁପୁଗାଁ ଠାରେ ଅଟକାଇ ସେଠାରେ ପ୍ରକଳ୍ପ କରି ଜୟପୁର ବ୍ଲକର ୧୫ଟି ପଂଚାୟତ ସହ କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକର ସବୁ ପଂଚାୟତରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ  ପିଇବା ପାଣି ସବୁ ଘରକୁ ଯୋଗାଇବା ଲକ୍ଷ୍ୟ ରହିଛି। ଆସନ୍ତା ଜାନୁଆରୀ ୨୦୨୩ରେ ଟ୍ରାଏଲରେ ପାଣି ଛଡ଼ାଯାଇ ଲିକେଜ୍ ଗୁଡିକ ଯାଂଚ କରାଯିବ ବୋଲି କହିଛନ୍ତି ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଭିକେତା ମାଝୀ। ତିନୋଟି ବ୍ଲକର ୫୧ଟି ପଂଚାୟତରେ ୧୮୦୦କିଲୋ ମିଟର ପାଇପ ବିଛାଇବାକୁ ଲକ୍ଷ୍ୟ ଥିଲେ ହେଁ ଏବେ ପର୍ଯ୍ୟନ୍ତ ୧୫୦୦ କିଲୋମିଟର ବିଛାଇଥିବା ବ‌େଳେ ବଳକା ଆଉ ୩୦୦କିଲୋମିଟର ବାକି ରହିଛି। ଏହା ସହ ଗାଁ ଗୁଡିକୁ ପାଇପ୍ ବିଛା ସରିଥିଲେ ହେଁ ଘରକୁ ସ‌ଂଯୋଗ ଦେବା କାମ ବାକି ରହିଛି ବୋଲି କହିଛନ୍ତି ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ । ପେବୃଆରୀ ସୁଦ୍ଧା ସବୁ ଘରକୁ ସଂଯୋଗ ଦେବା ସହ ପାଣି ଯୋଗାଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ପୁପୁଗାଁ ମେଗା ଜଳସେଚନ ପ୍ରକଳ୍ପର ଡିଜାଇନ୍ ଆସିସାରିଥିବା ବେଳେ ଠିକାସଂସ୍ଥା କାମ ଆରମ୍ଭ କରୁଛି ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ।