ଜୟପୁର: ଗତ ୬ବର୍ଷ ତଳେ ପୁରୁଣା ଦୈନିକ ବଜାରରେ ଥିବା ଅମିଷ ବଜାରକୁ ସଂପୁର୍ଣ୍ଣ ଉଚ୍ଛେଦ କରାଯାଇଥିଲା। ଏଠାରେ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଆମି‌ଷ ବଜାର ନିର୍ମାଣ କରାଯିବାର ଯୋଜନା କରାଯାଇଥିଲା। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏଥି ପାଇଁ କୋଟିଏ ୧୭ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ଏହାକୁ ପୌରପାଳିକା ଟେଣ୍ଡର କରିସାରିଥିବା ବେଳେ ଏକ ସଂସ୍ଥା ଠିକା ବି ନେଇସାରିଛି। ଠିକା ନେବାର ୪ମାସ ବିତିସାରିଥିଲେ ହେଁ ସେ ଏ ପର୍ଯ୍ୟନ୍ତ କିଛି କାମ ଆରମ୍ଭ ବି କରିନି।

Advertisment

ସୂଚନା ମୁତାବକ, ଗତ ୬ବର୍ଷ ତଳେ ଦୈନିକ ବଜାର ପରିସରରେ ଥିବା ବିପଦସଂକୁଳ ଅବସ୍ଥା‌ରେ ଥିବା ସବୁ ଷ୍ଟଲକୁ ଭାଙ୍ଗି ଦିଆଯାଇଥିଲା। ଆମିଷ ବଜାରକୁ ଦ୍ବିତୀୟ ଦୈନିକ ବଜାରକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଅତ୍ୟାଧୁନିକ ୩ମହଲାର ଆମିଷ ବଜାର ପାଇଁ ଯୋଜନା ହୋଇଥିଲା। ପରବର୍ତ୍ତୀ ସମୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଏହି ପ୍ରସ୍ତାବ ରଖିବା ପରେ ବିଭାଗ କୋଟିଏ ୧୭ଲକ୍ଷ ଟଙ୍କାର ଅନୁଦାନ ଦେଇଛି। ୩ମହଲା ନିର୍ମାଣ ପାଇଁ ୫କୋଟି ଟଙ୍କାର ଆବଶ୍ୟକତା ରହିଛି। ତିନି ମହଲା ପାଇଁ ଯୋଜନା ହୋଇଥିଲେ ହେଁ ଅନୁଦାନ ଏବେ କମ୍ ମିଳିଥିବାରୁ ଗୋଟିଏ ମହଲା ନିର୍ମାଣ ହେବ। ଏହାକୁ ବଡ଼ ମଲ ଭଳି ନିର୍ମାଣ କରିବାକୁ ପୌରପରିଷଦ ଯୋଜନା କରିଛି। ୧୧ମାସ ମଧ୍ୟରେ ‌ଗୋଟିଏ ମହଲା ନିର୍ମାଣ ସାରିବା ଲକ୍ଷ୍ୟ ରଖି ଠିକା ନେଇଥିବା ସଂସ୍ଥାଟି କାମ ଆରମ୍ଭ କରିବା କଥା। କିନ୍ତୁ ୧୧ମାସ ମଧ୍ୟରୁ ୪ମାସ ଅତିବାହିତ ହୋଇଯାଇଥିବା ବେଳେ ବଳକା ୭ମାସ ହିଁ ହାତରେ ରହିଛି। ଗୋଟିଏ ମହଲାର ଅତ୍ୟାଧୁନିକ ବଜାର ନିର୍ମାଣ କରାଯିବ। ଏହା ଆଗାମୀ ଦିନରେ ପୁଣି ସରକାରଙ୍କ ନିକଟରୁ ଅନୁଦାନ ‌ଆସିବା ପରେ ବଳକା ୪ମହଲା ନିର୍ମାଣ  କରାଯିବା ଯୋଜନା ରହିଛି ବୋଲି  କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସଂପ୍ରତି ମିଳିଥିବା ଅନୁଦାନରେ ଗୋଟିଏ ମହଲା ନିର୍ମାଣ ହେବ। କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ବ୍ୟାପକ ଭାବେ ଏକଜିଟ୍ ଫ୍ୟାନ୍, ସ୍ବେରେଜ୍ ବ୍ୟବସ୍ଥା ଓ ବର୍ଜବସ୍ତୁ ପରିଚାଳନାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ। ଦ୍ବିତୀୟ ‌ଦୈନିକ ବଜାର ଭିତ‌ରେ ଆମିଷ ବଜାର ବାଦେ ଏବେ ନୂଆରେ ଏବେ ନୂଆରେ ବହୁ ଲୋକେ ଜବରଦଖଲ କରି ରାସ୍ତା ସମ୍ମୁଖରେ ଖୋଲାମେଲାରେ ଅମିଷ ବିକ୍ରୀ କରୁଛନ୍ତି। ଏହାକୁ ନେଇ ଏବେ ଅମିଷ ବଜାରର ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ବି ଜାରୀ ରହିଛି। ଏହାକୁ ନେଇ ବ୍ୟବସାୟୀ ମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ପୌର ଅଧ୍ୟକ୍ଷ, ଟାଉନପୁଲିସ ଅଧିକାରୀ , ଏସଡିପିଓ  ଓବିଧାୟକ ଆଦିଙ୍କ ଦୃଷ୍ଟି ବି ଆକର୍ଷଣ କରିଥିବା ବ୍ୟବସାୟୀ ମାନେ କହିଛନ୍ତି। ନୂଆ ଆମିଷ ବଜାର  ନିର୍ଦ୍ଦାରିତ ସମୟରେ ନିର୍ମାଣ ହେଲେ ସେଠାକୁ ଏମାନେ ସ୍ଥାନାନ୍ତର ହୋଇଯାଇଥାନ୍ତେ। ଏ ପର୍ଯ୍ୟନ୍ତ ନିର୍ମାଣ ପାଇଁ ନିଅଁ ପଢ଼ି ନଥିବାରୁ ଆମିଷ ବ୍ୟବସାୟୀ ମାନେ ମଧ୍ୟ ନିରାଶ ହେବା ସହ ଦ୍ବିତୀୟ  ଦୈନିକ ବଜାରର ରାସ୍ତା ଉପରର ଦୋକାନକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି।