ଚିଠି, ଆଶ୍ବାସନାରେ ହଜିଗଲା ସୁନ୍ଦରଗଡ଼ ‘ଏମ୍ସ’ ପ୍ରତିଷ୍ଠା  

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ପରେ ପରେ କେନ୍ଦ୍ର ବୈଷୟିକ ଟିମର ଭିତ୍ତିଭୂମି ଅନୁଧ୍ୟାନ। ଏହା ପରେ ଆଉ ଏମ୍ସ ପ୍ରତିଷ୍ଠା ନେଇ ନା ରାଜ୍ୟ ନା କେନ୍ଦ୍ର କେଉଁଠି ବି ସୋରଶବ୍ଦ ନାହିଁ। ବରଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ମେଡିକାଲ କଲେଜ ଖୋଲିବା ପ୍ରକ୍ରିୟା ଆରମ୍ଭ କରି ଅତି ଚତୁରତାର ସହ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗକୁ ଏଡ଼ାଇ ଦେବାକୁ ବସିଛନ୍ତି। ଯଦିଓ ଗତ ସେପ୍ଟେମ୍ବର ୧୪ ତାରିଖରେ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ବାସୀଙ୍କ ଦ୍ବିତୀୟ ଏମ୍ସ ଦାବିକୁ ସମର୍ଥନ କରି ‘ଏହି ନ୍ୟାୟପୂର୍ଣ୍ଣ ଦାବି ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ତାଙ୍କ ଉଦ୍ୟମକୁ ଆହୁରି ଜୋରଦାର କରିବେ’ ବୋଲି କହି ସାମାନ୍ୟ ଆଶ୍ବସ୍ତ କରିଥିଲେ, ତଥାପି ମୁଖ୍ୟମନ୍ତ୍ରୀ ଏଠୁ ଫେରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ଚିଠି ଲେଖାଯାଇ ନଥିବା ସୂଚନା ରହିଛି।

ଅନ୍ୟପଟେ କେନ୍ଦ୍ର ମଧ୍ୟ ଏ ପ୍ରସଙ୍ଗରେ ମୁହଁ ବନ୍ଦ ରଖିଛି। ଉଭୟ ରାଜ୍ୟ ଓ କେନ୍ଦ୍ରର ଏ ଆଭିମୁଖ୍ୟ ସୁନ୍ଦରଗଡ଼ ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କରିଛି। ୨୦୨୦ ନଭେମ୍ବରରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବା ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ୨୦୨୧ ମାର୍ଚ୍ଚରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିବା ପରେ ୨୦୨୧ ଏପ୍ରିଲ ୩ରେ ଏକ କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ ତା’ ପରଠୁ ଏହି ପ୍ରସଙ୍ଗ ଏକ ପ୍ରକାର ହଜି ଯିବାକୁ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରବତା ମଧ୍ୟରେ କିଛି ଦିନ ବିଜେପି, ବିଜେଡି ପରସ୍ପର କାଦୁଅ ଫିଙ୍ଗିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍ସ ପ୍ରତିଷ୍ଠା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ହଠାତ ସୁନ୍ଦରଗଡ଼ରେ ମେଡିକାଲ କଲେଜ ଖୋଲିବାକୁ ଆଗ୍ରହ ଦେଖାଇବା ପଛରେ ଭିନ୍ନ ଉଦ୍ଦେଶ୍ୟ ରହିଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ରର ନିରବତା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲା। ଏହିକ୍ରମରେ ସୁନ୍ଦରଗଡ଼ରେ କଂଗ୍ରେସର ବନ୍ଦ ପାଳନ ଓ ପୋଷ୍ଟ କାର୍ଡ ଅଭିଯାନ, ବିଜେପିର ମାନବ ଶୃଙ୍ଖଳ ପ୍ରତିବାଦ, ସମ୍ବଲପୁର ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ଏମ୍ସ ପ୍ରତିଷ୍ଠା ଦାବିକୁ ଅଧିକ ତେଜିୟାନ କରିଥିଲା। ତେବେ ଏସବୁ ଘଟଣା ମଧ୍ୟରେ ସୁନ୍ଦରଗଡ଼ ଠାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସହମତି ଅପେକ୍ଷାରେ ଥିବା ବେଳେ କେନ୍ଦ୍ର ବୈଷୟିକ ଟିମର ଅନୁଧ୍ୟାନ ରିପୋର୍ଟ ଉପରେ କେନ୍ଦ୍ର ନିରୀକ୍ଷଣ କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଛି।

ପ୍ରକାଶଯୋଗ୍ୟ, ଗତ ଜୁଲାଇରେ ସୂଚନା ଅଧିକାର ଆଇନ ବଳରେ ସୁନ୍ଦରଗଡ଼ରେ ଜଣେ ଯୁବ ସୂଚନା ଅଧିକାରକର୍ମୀ ଅଜିତ ଦାସ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ଦ୍ବିତୀୟ ଏମ୍ସ ପ୍ରତିଷ୍ଠାର ସ୍ଥିତି ସମ୍ପର୍କରେ ସୂଚନା ମାଗିଥିଲେ। ଏହା ସହ ସେ କେନ୍ଦ୍ର ବୈଷୟିକ ଟିମର ରିପୋର୍ଟର ଅବିକଲ ନକଲ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ବୈଷୟିକ କମିଟି ରିପୋର୍ଟର ଅନୁଧ୍ୟାନ ଚାଲିଥିବାରୁ ବର୍ତ୍ତମାନ ଏହାର ତଥ୍ୟ ବା ନକଲ ଦିଆଯିବା ସମ୍ଭବ ନୁହେଁ ବୋଲି ମନ୍ତ୍ରାଳୟ ତଥ୍ୟ ଦେବାକୁ ମନା କରି ଦେଇଥିଲେ। ଅନୁଧ୍ୟାନ ନାମରେ କେନ୍ଦ୍ର ସରକାର ପାଖରେ ଅଟକି ରହିଥିବା ‘ଏମ୍ସ’ ପ୍ରତିଷ୍ଠା ପାଇଁ ବିଜେପି ସାଂସଦ ଓ ବିଧାୟକମାନେ ଚାପ ପକାଇବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଥିଲା। ଏହା ମଧ୍ୟରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ସଂଗଠନର ସ୍ବର ଅଧିକ ଦୃଢ଼ ହେବା ପରିବର୍ତ୍ତେ କ୍ରମଶଃ ଧିମା ପଡ଼ିଥିବା ପରିଲକ୍ଷିତ ହୋଇଛି। ଏସ୍ଥିତିରେ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର