ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବପ୍ନ ପାଲଟିଛି ବିଇଡି ପାଠ୍ୟକ୍ରମ। ଭିତ୍ତିଭୂମି ଥିବା ସତ୍ତ୍ବେ ଏନସିଟିଇ (ନ୍ୟାସନାଲ୍ କାଉନସିଲ୍ ଅଫ୍ ଟିଚରର୍ସ ଏଜୁକେସନ୍) ପକ୍ଷରୁ ଅନୁମୋଦନ ମିଳୁନଥିବାରୁ ପାଠ ପଢ଼ା ଆରମ୍ଭ ହୋଇପାରୁନି। ଫଳରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠା ଏବେ ଭୂତକୋଠି ପାଲଟିଛି। ପୂର୍ବ ପରି ଜିଲ୍ଲାର ଛାତ୍ରଛାତ୍ରୀ ବିଇଡି ପାଇଁ କୋରାପୁଟ ଓ ଗଞ୍ଜାମ ଜିଲ୍ଲା ଉପରେ ନିର୍ଭର କରୁଛନ୍ତି।
ରାୟଗଡ଼ା ସଦର ବ୍ଲକ ଅମ୍ଲାଭଟ୍ଟାରେ ବିଇଡି କଲେଜ ପ୍ରତିଷ୍ଠା ପାଇଁ ୨୦୧୭ରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୦ କୋଟି ବ୍ୟୟରେ ବିଇଡି କଲେଜ ସହ ଷ୍ଟାଫ୍ କ୍ବାଟର୍ସ, ଛାତ୍ରବାସ, ଲାଇବ୍ରେରି ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ରାୟଗଡ଼ା ଆଇଟିଡିଏକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ୨୦୧୯ରେ କୋଠା ନିର୍ମାଣ ଶେଷ ହେବା ପରେ ଅନୁମୋଦନ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ଦୀର୍ଘ ବର୍ଷ ଧରି ପ୍ରସ୍ତାବ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ପଡିଥିବା ବେଳେ କେଉଁ କାରଣ ପାଇଁ ଅନୁମୋଦନ ମିଳୁନି ସେ ନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପାଖରେ କୌଣସି ସୂଚନା ନାହିଁ। ଇତି ମଧ୍ୟରେ ବହୁବାର ମୁଖ୍ୟମନ୍ତ୍ରୀ ରାୟଗଡ଼ା ଗସ୍ତରେ ଆସି ବହୁ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିଛନ୍ତି। ହେଲେ ଉଚ୍ଚଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେହି ବି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇ ନାହାନ୍ତି। ପାଠ ପଢ଼ା ଆରମ୍ଭ ହୋଇପାରୁନଥିବାରୁ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ପଡୋଶୀ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ବିଇଡି ପଢ଼ୁଛନ୍ତି।
ରାୟଗଡ଼ାରୁ କୋରାପୁଟର ଦୂରତା ୧୦୬ କିମି ହୋଇଥିବା ବେଳେ ୨୧୦ କିମି ଦୂରତାରେ ରହିଛି ଗଞ୍ଜାମ। ବହୁ ଛାତ୍ରଛାତ୍ରୀ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଖୋଲିଥିବା କିଛି କଲେଜରେ ମଧ୍ୟ ପଢ଼ୁଥିବା ବେଳେ ଅନେକ ଆନ୍ଧ୍ର ସମେତ ଅନ୍ୟ ରାଜ୍ୟରେ ଅଧ୍ୟୟନ କରି ଚାକିରି ପାଇ ସାରିଲେଣି। ଅଥଚ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଇଡି କଲେଜ ବ୍ୟବହାର ଆସୁନଥିବାରୁ ଭୂତକୋଠିରେ ପରିଣତ ହେଲାଣି। ସୁରକ୍ଷା ଦାୟିତ୍ବରେ କେହି ନଥିବାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠାରେ ଲାଗିଥିବା ଝରକା, କବାଟ, ବିଦ୍ୟୁତ୍ ସମେତ ଅନ୍ୟ ସାମଗ୍ରୀ ଦୁର୍ବୃତ୍ତମାନେ ଲୁଟି ନେଲେଣି। ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇନଥିବାରୁ କୋଠାରେ ଦିନରେ ମଦ୍ୟପ ଏବଂ ସଞ୍ଜ ନଇଁଲେ ଅସାମାଜିକଙ୍କ ଭିଡ଼ ବଢ଼ୁଛି। ବିଇଡି କଲେଜ କୋଠା ନିକଟରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରହିଛି। ଶହ ଶହ ଛାତ୍ରଛାତ୍ରୀ ବିଇଡି ପାଠ୍ୟକ୍ରମ ପାଇଁ ଚାହିଁ ରହିଥିବା ବେଳେ କେବେ ପାଠପଢ଼ା ଆରମ୍ଭ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।
ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ଉଚ୍ଚ ଶିକ୍ଷା ବିଭାଗରେ ପ୍ରସ୍ତାବ ପଡି ରହିଛି। ବହୁବାର ଅବଗତ ପରେ ମଧ୍ୟ ଏନସିଇଟି ଅନୁମତି ଏଯାବତ୍ ମିଳିନଥିବା ଶ୍ରୀ ବରିହା କହିଛନ୍ତି। ଅନ୍ୟପକ୍ଷରେ ଉଚ୍ଚ ଶିକ୍ଷା ବିଭାଗ ସହ ଯୋଗାଯୋଗ କରି ଅନୁମତି ଆଣିବାକୁ ରାୟଗଡ଼ା ଜିଲ୍ଲା ପକ୍ଷରୁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି।