କେବେ କାର୍ଯ୍ୟକାରୀ ହେବ ପ୍ରସ୍ତାବିତ ବ୍ରହ୍ମପୁର-ଫୁଲବାଣୀ ରେଳପଥ ନିର୍ମାଣ?

ଫୁଲବାଣୀ: ନିକଟରେ ଓଡ଼ିଶାର ସାଂସଦ ଅଶ୍ବିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ବ ମିଳିଥିବାବେଳେ ଓଡ଼ିଶାର ବହୁ ପ୍ରତୀକ୍ଷିତ ରେଳପଥ ନିର୍ମାଣ ପାଇଁ ବିଭିନ୍ନ ଅଞ୍ଚଳବାସୀଙ୍କ ମନରେ ଆଶା ଦୃଢୀଭୂତ ହୋଇଛି। ଏହି ନ୍ୟାୟରେ ବ୍ରହ୍ମପୁର-ଫୁଲବାଣୀକୁ ସଂଯୋଗ କରୁଥିବା ପ୍ରସ୍ତାବିତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କନ୍ଧମାଳ ଜିଲ୍ଲାବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭା ଗୃହ କମିଟି ପକ୍ଷରୁ ୨୦୦୮-୦୯ ରେଳ ବଜେଟରେ ରାଜ୍ୟର ରେଳପଥର ବିକାଶ ଲାଗି ଦିଆଯାଇଥିବା ସ୍ମାରକପତ୍ରରେ ବ୍ରହ୍ମପୁର-ଫୁଲବାଣୀ ନୂତନ ରେଳପଥ ନିର୍ମାଣକୁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାବାସୀ ବିପୁଳ ସ୍ବାଗତ ଜଣାଇଥିଲେ। ବ୍ରହ୍ମପୁର-ଫୁଲବାଣୀ ନୂତନ ରେଳପଥ ନିର୍ମାଣ ହେଲେ ଉଭୟ ଜିଲ୍ଲାବାସୀ ବହୁ ମାତ୍ର‌ାରେ ଉପକୃତ ହୋଇପାରିବେ। ୧୯୮୦ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ରେଳପଥ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦିଓ ପରବର୍ତ୍ତୀ ସମୟରେ ଇନ୍ଦିରାଗାନ୍ଧୀ କ୍ଷମତାକୁ ଆସିଥିଲେ, ମାତ୍ର କୌଣସି କାରଣରୁ ବ୍ରହ୍ମପୁର-ଫୁଲବାଣୀ ରେଳପଥ ପ୍ରକଳ୍ପ କାମଟି ଆଗେଇ ପାରି ନଥିଲା। ପରବର୍ତ୍ତୀ ସମୟରେ ତତ୍‌କାଳୀନୀ ରେଳମନ୍ତ୍ରୀ କମଳାପତି ତ୍ରିପାଠୀ ମଧ୍ୟ ଗୋପାଳପୁରଠାରୁ ଭାୟା ଫୁଲବାଣୀ ଦେଇ ମୁନିଗୁଡ଼ା ପର୍ଯ୍ୟନ୍ତ ରେଳପଥ ସର୍ଭେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ଏହା ବି କାର୍ଯ୍ୟକାରୀ ହୋଇ ପାରି ନଥିଲା।

ଅପରପକ୍ଷେ, ବ୍ରହ୍ମପୁର-ଫୁଲବାଣୀ ରେଳପଥ ନିର୍ମାଣ କାର୍ଯ୍ୟ ନେଇ ଓଡ଼ିଶା ବିଧାନ ସଭା ଗୃହ କମିଟି ମଧ୍ୟ ସୁପାରିଶ କରିଥିଲା। ତତ୍‌କାଳୀନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ କମିଟି ଫୁଲବାଣୀ-ବ୍ରହ୍ମପୁର ରେଳପଥ କାର୍ଯ୍ୟ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରଣାଳୟକୁ ସୁପାରିଶ କରିଥିଲା। ଅତୀତର ‌ଏତେସବୁ ଉଦ୍ୟମ ଓ ସୁପାରିଶ ସତ୍ତ୍ବେ ବହୁ ପ୍ରତୀକ୍ଷିତ ଏହି ବ୍ରହ୍ମପୁର-ଫୁଲବାଣୀ ରେଳପଥ କାର୍ଯ୍ୟ ଆଗେଇ ପାରୁନାହିଁ। ଏହା ଦୁର୍ଭାଗ୍ୟର ବିଷୟ ବୋଲି ଫୁଲବାଣୀବାସୀ ପ୍ରକାଶ କରିଛନ୍ତି। ତୁରନ୍ତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରସ୍ତାବିତ ଏହି ରେଳ ପ୍ରକଳ୍ପ ପ୍ରତି ଯତ୍ନବାନ ହୋଇପାରିଲେ ଉଭୟ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର