ଜିଲ୍ଲାପାଳଙ୍କ କଡ଼ା ଚେତାବନୀ ବି କାମ କରୁନି: ୭ମହଲା ଡାକ୍ତରଖାନାର ନିର୍ମାଣ ସରୁନି

ଜୟପୁର: ଗତ ମାର୍ଚ୍ଚ ୧୩ତାରିଖ ଦିନ କୋରାପୁଟ ଜିଲ୍ଲାପାଳ ଭି କିର୍ତ୍ତୀଭାସନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଚାଳିଥିବା ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ତଦାରଖ କରିଥିଲେ।  ଯୁଦ୍ଧକାଳୀନ ଭିତ୍ତିରେ ଶେଷ ପର୍ଯ୍ୟାୟରେ ଥିବା କାମ ୪୦ଦିନ ମଧ୍ୟରେ ସାରିବାକୁ ଠିକାସଂସ୍ଥା ଓ ରାସ୍ତା ଓ କୋଠାବାଡ଼ି ବିଭାଜନର ନିର୍ବାହୀ ଯନ୍ତ୍ରୀ କ୍ଷୀରଧର କନ୍ଧପାଣୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବି ଚେତାବନୀ ଦେଇଥିଲେ।  ତେବେ ଏହାରି ମଧ୍ୟରେ ଜିଲ୍ଲାପାଳଙ୍କ ତଦାରଖକୁ ୭୦ଦିନ ବିତିଲାଣି। ଚେତବନୀ ଠାରୁ ଆହୁରି ଅଧିକା ୩୦ଦିନ ଅତିକ୍ରାନ୍ତ ହେଲାଣି। ତଥାଫି ଡିଏଚଏଚର କାମ ଶେଷ ହେବା ନାଁ ନେଉନି। ଏହି ସ୍ଥିତିରେ ‌ଏହାର ଲୋକାର୍ପଣ କେବେ  ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଉନ୍ନତ ଓ ଉତ୍ତମ  ସ୍ବାସ୍ଥ୍ୟ ସେବା ଅତ୍ୟାଧୁନିକ  ବୈଷୟିକ ପଦ୍ଧତିରେ ଯୋଗାଇବା ଲକ୍ଷ୍ୟରେ ୯୯.୮୫କୋଟି ବ୍ୟୟରେ ଏହି ୩୦୦ଶଯ୍ୟା ବିଶିଷ୍ଟ ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିର୍ମାଣ ଆରମ୍ଭ କରାଯାଇଥିଲା। ତେବେ ନିର୍ଦ୍ଧାରିତ ଧାର୍ଯ୍ୟ ସମୟରେ ଏହାର ନିର୍ମାଣ ହୋଇ ନ ପାରିବାରୁ  ବ୍ୟୟ ଅଟକଳ ବୃଦ୍ଧି ପାଇ ୧୩୮କୋଟିରେ ଅର୍ଥାତ ୩୮‌କୋଟି ୧୫ଲକ୍ଷ ବୃଦ୍ଧି ପାଇଛି। ଏହା ବାଦେ ବି କାମ ସରିବା ନାଁ ନେଉନି। ଗତ ୫ବର୍ଷ ତଳେ କୋରାପୁଟରୁ ଜୟପୁରକୁ ଜାତୀୟ ସ୍ବାସ୍ଥ୍ୟ ଯୋଜନାରେ ମାତୃ ଓ ଶିଶୁ ଯତ୍ନ(ଏମସିଏଚ୍)କେନ୍ଦ୍ରକୁ ଜିଲାମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲା। ସ୍ଥାନାନ୍ତରର  ୫ବର୍ଷ ପରେ ବି କେନ୍ଦ୍ରୀୟ ଔଷଧାଗାର, ନିଦାନ ପରୀକ୍ଷା କେନ୍ଦ୍ର ସହ ବିଭିନ୍ନ ବୈଷୟିକ ପରୀକ୍ଷାଗାର, ସିଟିସ୍କାନ ଏବେ ବି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ଓ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଭଣ୍ଡାର  କାର୍ଯ୍ୟକାରୀ ହେଉଛି। ସ୍ଥାନାନ୍ତର ପରେ ଯାହା ଆଶା କରାଯାଉଥିଲା ତାହା ଏଯାଏଁ ହୋଇ ପାରିନି। ଅପରପକ୍ଷରେ ଏଠାରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନଥିବାରୁ ଏଠାକାର ରୋଗୀ ସଂପୁର୍ଣ୍ଣ ରୁପେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଉପରେ ବେଶି ମାତ୍ରା‌ରେ ନିର୍ଭର ହେବାକୁ ପଡ଼ୁଛି। ବହୁ ରୋଗୀ ଅଯଥାଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ ସେବା ବି ପାଇ ପାରୁ ନାହାନ୍ତି। ବିଶାଖାପାଟଣାର ଘରୋଇ ଡାକ୍ତରଖାନା ଗୁଡିକ ଏଠାରୁ ଯାଉଥିବା ରୋଗୀଙ୍କ ଠାରୁ ମନଇଛା ପରୀକ୍ଷା  ନାଁରେ ଟଙ୍କା ଶୋଷି ନେଉଛନ୍ତି। ଦିନକୁ ଦିନ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଭିନ୍ନ ୱାର୍ଡର ବାରଣ୍ଡାରେ ବି ଏମାନେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ୩୦୦ଶଯ୍ୟା ଡାକ୍ତରଖାନା କରିବାକୁ ଯୋଜନା କରିଥିଲେ। ୨୦୨୧ମସିହାରେ ଠିକା ସଂସ୍ଥା କାମ ବି ଆରମ୍ଭ କରିଥିଲେ। ଆସନ୍ତା ଅଗଷ୍ଠ ୨୫ତାରିଖ ସୁଦ୍ଧା ଏହି କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ସେପ୍ଟମ୍ବର ମାସ ସୁଦ୍ଧା ୫୬ଟି କ୍ବାର୍ଟର୍ସ, ସହ ୭ମହଲା ଜିଲ୍ଲାମୁଖ୍ୟଚିକିତ୍ସାଳୟ ସହ ଅନ୍ୟାନ୍ୟ କୋଠା ଗୁଡିକର କାମ ସରି ହସ୍ତାନ୍ତର କରିବା  ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ଧାର୍ଯ୍ୟ କରାଯାଇଥିଲା। ୭ମହଲା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଭିତରର ସାଜସଜ୍ଜା, ଅତ୍ୟାଧୁନିକ ଚିକିତ୍ସା ସେବା ପାଇଁ ବୈଷୟିକ ଯନ୍ତ୍ରାଂଶ ଆଦିର ସ୍ଥାପନ କରିବା କାମ ବି ବାକି ରହିଛି। ସେଭଳି ନିରନ୍ତର ବିଦ୍ୟୁତ ସେବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଜନ ପକ୍ଷରୁ ୮କୋଟି ଟଙ୍କା ଜମା କରାଯାଇଛି। ସେଭଳି ଜନସ୍ବାସ୍ଥ୍ୟ ବିଭାଗରୁ ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ  କରାଯିବା ସହ ଟ୍ରାଏଲ ବି ଥରେ କରାଯାଇଛି। ତ‌େବେ ଏହାର ସଂପୁର୍ଣ୍ଣ କାମ ସରିବାକୁ ଆଉ କେତେ ଦିନ ଲାଗିବ , ନିର୍ବାଚନ ଫଳାଫଳକୁ ଅପେକ୍ଷାରେ ଠିକା ସଂସ୍ଥା ଓ ପୂର୍ତ୍ତ ବିଭାଗ ରହିଛି କି ବୋଲି ପ୍ରଶ୍ନ ସୃଷ୍ଟି କରିଛି।

 

 

 

 

 

 

ସମ୍ବନ୍ଧିତ ଖବର