ମାଲକାନଗିରି: ଆସୁଛି ବର୍ଷା। ମାଲକାନଗିରି ଜିଲ୍ଲା ପୁଣି ହେବ ବେହାଲ। ବର୍ଷା ଦିନେ ଜିଲ୍ଲାର ବହୁ ତଳିଆ ବ୍ରିଜ ଉପରେ ପାଣି ଚାଲିବା ଫଳରେ ଯୋଗଯୋଗ ଏକ ପ୍ରକାର ବିଛିନ୍ନ ହେଉଛି। ଏହାଦ୍ବାରା ଶତାଧିକ ଲୋକେ ପ୍ରଭାବିତ ହେବା ସହ ବହୁ ହିନସ୍ତା ହେଉଥିବା ଲକ୍ଷ୍ୟ କରାଯାଇଛ। ପ୍ରତିବର୍ଷ ଏନେଇ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ସରକାର ଜିଲ୍ଲାର ୩୨୬ ଜାତୀୟ ରାଜପଥ ଦେଇ ଯାଇଥିବା ସମସ୍ତ ୯ଟି ବ୍ରିଜକୁ ନିର୍ମାଣ କରିବା ପାଇଁ ଅନୁଦାନ ପ୍ରଦାନ କଲେ।

Advertisment

ତେବେ ଜିଲ୍ଲାର ଏମଭି-୭ ଗ୍ରାମ ନିକଟରେ ରହିଥିବା ବ୍ରିଜ ସହ ଏମଭି-୧୯, ଆମଲାଯୋଡି, ମହାରାଜପାଲ୍ଲୀ, ପୋଟେରୁ, ପାଙ୍ଗାମ, କାଙ୍ଗରୁକୋଣ୍ଡା, ଏମଭି-୯୦ ଓ ଏମଭି-୯୬ ବ୍ରିଜ ପ୍ରତିବର୍ଷ ବର୍ଷା ଜଳରେ ବୁଡି ରହେ।ଯାହାଫଳରେ ଯୋଗାଯୋଗ ବିଛିନ୍ନ ସହ ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୁଏ। ସରକାର ଏମଭି-୭,ଏମଭି-୧୯, ଅମଲାଯୋଡ଼ି ଏବଂ ମହାରାଜପାଲ୍ଲୀ ବ୍ରିଜ ନିର୍ମାଣ ପାଇଁ ୩୭ କୋଟି ଟଂକା ମଞ୍ଜୁର କରିଥିବା ବେଳେ ଏହି ବ୍ରିଜଗୁଡିକକୁ ଛତିଶଗଡର ବିଜାପୁର ଜିଲ୍ଲାର ଶିବଶକ୍ତି ଇଂଜିନିୟର ଵାର୍କସ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଛି। ଏହି ବ୍ରିଜଗୁଡ଼ିକ ୨୦୨୫ ମସିହା ମେ ମାସରେ ସମାପ୍ତ ହେବ ବୋଲି ସମୟ ଧାର୍ଯ୍ୟ ରହିଛି।

ସେହିପରି ପୋଟେରୁ, ପାଙ୍ଗାମ, କାଙ୍ଗରୁକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ବ୍ରିଜ ନିର୍ମାଣ ପାଇ ୭୯ କୋଟି ଟଂକା ଖର୍ଚ୍ଚ ହେବାକୁ ଥିବା ବେଳେ ଏହାକୁ ବିଲାସପୁରର ବ୍ରିଜେଶ ଅଗ୍ରୱାଲ କମ୍ପାନି ନିର୍ମାଣ କରୁଛି। ଏହି ବ୍ରିଜଗୁଡିକ ସମାପ୍ତ କରିବାର ଶେଷ ସମୟ ରହିଛି ଚଳିତ ଜୁଲାଇ ମାସ। ତେବେ ଦୁଇଟି କମ୍ପାନି ମାତ୍ର ୨୦ ପ୍ରତିଶତ ହିଁ କାମ ସମାପ୍ତ କରିପାରିଛନ୍ତି।

ସେହିପରି ଅମଲାଯୋଡି ଏବଂ ମହାରାଜପାଲି ବ୍ରିଜ ପାଇଁ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ବିଳମ୍ବ ହେଉଥିବା ଜାତୀୟ ରାଜପଥ ବିଭାଗ କହିଛି। ବ୍ରିଜର କାମ ଏତେ ମନ୍ଥର ଗତିରେ ଚାଲୁଥିବାରୁ ଏହା ଧାର୍ଯ୍ୟ ସମୟ ସୀମାରେ ସରିବ ନାହିଁ, ଯାହାକୁ ନେଇ ଲୋକେ ନାହିଁ ନଥିବା ହଇରାଣ ହେବାକୁ ପଡିବ। ଆସନ୍ତା ମାସ ସୁଦ୍ଧା ୫ଟି ବ୍ରିଜ କାମ ସରିବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଛି। ତାହା ମାତ୍ର କୋଡ଼ିଏ ପ୍ରତିଶତ ସରିଥିବାରୁ ଏହା ସଂପୂର୍ଣ୍ଣ ହେବାକୁ ଆହୁରି କେତେ ମାସ କି ବର୍ଷ ଲାଗିବ ତାହା କହିବା ମୁସକିଲ। କିଛି ବ୍ରିଜ ମାସ ମାସ ଧରି କାମ ନହୋଇ ଠପ୍ ହୋଇ ପଡିରହିଥିବା ବେଳେ ଆଉ କିଛି ବ୍ରିଜ ମନ୍ଥର ଗତିରେ ଚାଲିଛି। ବିଭାଗୀୟ ଅଧିକାରୀ ଏଦିଗରେ କଡା ପଦକ୍ଷେପ ନେଉନଥିବାରୁ ସଂପୃକ୍ତ କମ୍ପାନିମାନେ ମଧ୍ୟ ନିଜର ଇଛା ମୁତାବକ କାମ କରୁଛନ୍ତି। ଲୋକେ ଭାବିଥିଲେ ଚଳିତ ବର୍ଷରୁ ସେମାନଙ୍କର ଦୁଃଖ ଚାଲିଯିବ। କିନ୍ତୁ ସେମାନଙ୍କୁ ଆହୁରି କିଛି ମାସ କିମ୍ବା ବର୍ଷ ଅପେକ୍ଷା କରିବାକୁ ପଡିବ।ଏଥର ବି ବର୍ଷାରେ ପ୍ରଶାସନକୁ ନାକେଦମ ହେବାକୁ ପଡିବ। ବହୁ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇ ବହୁ ହଇରାଣ ହେବେ। ତେବେ ଜିଲ୍ଲା ପ୍ରଶାସନ ଚଳିତ ବର୍ଷା ଋୁତୁରେ କିପରି ଲୋକଙ୍କୁ ଆଶ୍ରୟ ଦେଉଛି ଦେଖିବାକୁ ବାକି ରହିଲା।