ରାଉରକେଲା: ୨୦୧୪ ମସିହା ନଭେମ୍ବର ୧୪ ତାରିଖ। ଉକ୍ତ ଦିନ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହେଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ୯ ବର୍ଷରୁ ଅଧିକ ସମୟ ବିତିଲାଣି। କିନ୍ତୁ ଏଯାଏ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ନିର୍ବାଚନ ସମ୍ଭବ ହେଲାନି। ସହରବାସୀ ଗଣତାନ୍ତ୍ରିକ ପଦ୍ଧତିରେ ନିଜ ପସନ୍ଦର ମେୟର, କର୍ପୋରେଟର୍ ବାଛିବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏହାଦ୍ବାରା ସରକାରୀ ଅଧିକାରୀଙ୍କ ଏକଛତ୍ରବାଦୀ କାର୍ଯ୍ୟକଳାପରେ ଅଙ୍କୁଶ ଲାଗିପାରୁନି।
ଆର୍ଏମ୍ସି ନିର୍ବାଚନ ନକରାଇବାରେ ପଛରେ ରାଜ୍ୟ ସରକାର ଅନାଗ୍ରହୀ। ନ୍ୟାୟାଳୟରେ ଝୁଲିରହିଥିବା ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ବରିତ କରିବାକୁ ଆବଶ୍ୟକ ଆନ୍ତରିକତା ଦେଖାଉନାହାନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ଆର୍ଏମ୍ସି ନିର୍ବାଚନ ଦାବିରେ ବିଜେପି ନେତା ନିହାର ରାୟ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଅନୈତିକ ଯୁକ୍ତି ଦର୍ଶାଇ ଜାଣିଶୁଣି ନିର୍ବାଚନକୁ ସ୍ଥଗିତ ରଖାଯାଉଥିବା ଅଭିଯୋଗ କରିଥିଲେ। ୨୦୨୨ ପୌର ନିର୍ବାଚନ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଆଧାରରେ ଆର୍ଏମ୍ସି ନିର୍ବାଚନ ପାଇଁ ଶ୍ରୀ ରାୟ ରିଟ୍ ପିଟିସନ ଦାଖଲ କରିଥିଲେ। ଏହି କ୍ରମରେ ୨୦୨୨ ଡିସେମ୍ବର ୭ ତାରିଖରେ ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ହାଜର ହେବାକୁ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉଭୟ ପକ୍ଷ ଅଧିକ ସମୟ ମାଗିଥିଲେ। ଅବଶ୍ୟ, ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନ୍ୟାୟାଳୟରେ ନିଜର ପକ୍ଷ ରଖିଥିଲେ। ଆର୍ଏମ୍ସି କ୍ଷେତ୍ର ପୁନର୍ଗଠନ ବିରୋଧରେ ମାମଲା ଉଚ୍ଚ ନ୍ୟାୟାଳୟରେ ଥିବାରୁ ନିର୍ବାଚନ ସମ୍ଭବ ହେଉନଥିବା ପକ୍ଷ ରଖିଥିଲେ।
ଏହି ମାମଲାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେନ ନିଆଯାଉନି। ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ଶେଷଥର ପାଇଁ ତତ୍କାଳୀନ ରାଉରକେଲା ପୌରପାଳିକା ନିର୍ବାଚନ ୩୩ଟି ୱାର୍ଡକୁ ନେଇ ହୋଇଥିଲା। ୨୦୧୪ରେ ମହାନଗର ନିଗମ ହେବାପରେ ସମସ୍ତ ୩୩ଟି ୱାର୍ଡ ସମେତ ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ଭଞ୍ଜକଲୋନି, ବଡ଼ ସୋନାପର୍ବତ, ଧରମଡିହି, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ ପଞ୍ଚାୟତ ଓ ନବକୃଷ୍ଣନଗର, ତଳ ବାଲିଯୋଡ଼ି, ଆଇଡିଏଲ କଲୋନି, ଗୋପବନ୍ଧୁନଗର ଆଦି ଅଞ୍ଚଳକୁ ସାମିଲ କରାଯାଇଥିଲା। ଏହାଦ୍ବାରା ମହାନଗରର ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିଲା। ତେବେ ଏହି ସମ୍ମିଶ୍ରଣକୁ ବିରୋଧକରି ଝାଡ଼ତରଙ୍ଗ ଓ ଜଗଦା ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟ (ରିଟ୍ ପିଟିସନ ନଂ-୧୨୦୧/୨୦୧୫ ଓ ନଂ-୧୨୦୨/୨୦୧୫)ରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଏଥିରେ ରହିତାଦେଶ ଜାରି କରିଥିଲେ।
ଅପରପକ୍ଷରେ, ରହିତାଦେଶ ଫଳରେ ଉକ୍ତ ଅଞ୍ଚଳ ମିଶ୍ରଣ ତ’ ବାତିଲ ହେଲା ନାହିଁ, କିନ୍ତୁ ଆର୍ଏମ୍ସି ନିର୍ବାଚନ ଅଟକିଗଲା। ସଂପ୍ରତି ଆର୍ଏମ୍ସିର ସମସ୍ତ ସରକାରୀ ନଥିପତ୍ରରେ ମଧ୍ୟ ମହାନଗରନିଗମ ଉଲ୍ଲେଖ କରାଯାଉଛି। ନ୍ୟାୟାଳୟ ସମ୍ମିଶ୍ରଣ ପ୍ରସଙ୍ଗରେ ରହିତାଦେଶ ଦେଇଥିଲେ; କିନ୍ତୁ ନିର୍ବାଚନ ନ କରିବା ନେଇ କୌଣସି ପ୍ରକାର ରିଟ୍ ପିଟିସନ ହୋଇନଥିଲା କିମ୍ବା ରହିତାଦେଶ ବି ଜାରି ହୋଇନଥିଲା। ବର୍ତ୍ତମାନ ନ୍ୟାୟାଳୟର ଉପରୋକ୍ତ ରହିତାଦେଶକୁ ଆଧାର କରି ସରକାର କାହିଁକି ନିର୍ବାଚନ କରାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି। ଏମିତିକି ରହିତାଦେଶ ଉଠାଇବା ନେଇ ସରକାର ପଦକ୍ଷେପ ନେବା ବଦଳରେ ଚୁପ୍ ହୋଇ ବସିଛନ୍ତି। ଫଳରେ ଆର୍ଏମ୍ସି ନିର୍ବାଚନ ଏବେ ଦିବାସ୍ବପ୍ନ ପାଲଟିଛି।