ରାଉରକେଲା: ବିଜେଡି ୬ଟି ପର୍ଯ୍ୟାୟରେ ୧୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଲାଣି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି; କିନ୍ତୁ ଏଯାଏ ରଘୁନାଥପାଲି ନିର୍ବାଚନମଣ୍ଡଳି ପାଇଁ ପ୍ରାର୍ଥୀ ଚୟନ ହୋଇପାରିନାହିଁ। ବାରମ୍ବାର ଝୁଲେଇ ରଖିବାଯୋଗୁଁ ଆଶାୟୀଙ୍କ ସମେତ ସମର୍ଥକ, ଦଳୀୟ କର୍ମୀଙ୍କୁ ବହୁମାତ୍ରାରେ ନିରାଶ କରିଛି। ଅପରପକ୍ଷରେ ଏହା କିନ୍ତୁ ବିପକ୍ଷଙ୍କୁ ସୁହାଇଛି। ବିପକ୍ଷ ବିଜେପି-କଂଗ୍ରେସ ପ୍ରାର୍ଥୀ ପ୍ରଚାରକୁ ବ୍ୟାପକ କରିସାରିଲେଣି।
Advertisment
ଘୋଷଣାରେ ଯେମିତି ବିଳମ୍ବ ହୋଇଚାଲିଛି, ଠିକ୍‌ସେହିଭଳି ତିନି ଆଶାୟୀ, ସୁବ୍ରତ ତରାଇ, ପ୍ରଫୁଲ୍ଲ ସୁନ୍ୟାନୀ ଓ ପ୍ରଶାନ୍ତ ସେଠୀଙ୍କ ସମର୍ଥକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଶାୟୀ ପ୍ରଚାରରେ ମାତିଯାଇଛନ୍ତି ସତ; କିନ୍ତୁ ମୁହଁରେ ‌ଦୃଢ଼ୋକ୍ତିଭାବ ଉଭାନ ହୋଇଗଲାଣି।
ସୁବ୍ରତ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଥିବାବେଳେ ବିଜେଡିରେ ଯୋଗଦାନ ପରଠାରୁ ପ୍ରଫୁଲ୍ଲ ଏହି ନିର୍ବାଚନମଣ୍ଡଳିରେ ଜନସମର୍ଥନରେ ମାତିଯାଇଛନ୍ତି। ସେହିଭଳି ପ୍ରଶାନ୍ତ ମଧ୍ୟ ପୂର୍ବବତ୍‌ ପ୍ରଚାରରେ ଲାଗିପଡ଼ିଛନ୍ତି। ଏମିତିକି ବିଜୁ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଦୁଇ ପ୍ରମୁଖ ଆଶାୟୀ ପ୍ରଫୁଲ୍ଲ ଓ ସୁବ୍ରତଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏମାନେ ରାମନବମୀ ଶୋଭାଯାତ୍ରାରେ ବେଶ୍‌ସକ୍ରିୟ ଭୂମିକା ଗ୍ରହଣ କରିବାସହ ବାଡ଼ିଖେଳରେ ମଧ୍ୟ ଭାଗନେଇଥିଲେ। ଏସବୁ ଭିତରେ ସେମାନଙ୍କ ସମର୍ଥକ ଗଣିତ ଲଗାଇ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଯୁକ୍ତି ବାଢ଼ୁଛନ୍ତି। ଏଥର ରଘୁନାଥପାଲିରେ ନୂଆଁ ମୁହଁକୁ ସୁଯୋଗ ଦିଆଯିବାବୋଲି ଗୋଟିଏ ଗୋଷ୍ଠି କହିବୁଲୁଥିବାବେଳେ ଅନ୍ୟ ଗୋଷ୍ଠି ପୁନର୍ବାର ପୁରୁଣା ନେତାଙ୍କୁ ଦଳ ସୁଯୋଗ ଦେବବୋଲି କହୁଛନ୍ତି। ନୂଆ ମୁହଁ ପାଇଁ ବାଟ ଫିଟାଇବାକୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରାଯାଉଥିବା ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି। ତିନି ଆଶାୟୀ ଏବେ ଅନ୍ଧାରରେ ବାଡ଼ି ବୁଲାଇବାଭଳି ଅନିଶ୍ଚିତତା ଭିତରେ ପ୍ରଚାରରେ ମାତିଯାଇଛନ୍ତି; କିନ୍ତୁ ଏହା ବ୍ୟାପକ ହୋଇପାରୁନି। ଅପରପକ୍ଷରେ ପ୍ରତିପକ୍ଷ ଦଳର ପ୍ରାର୍ଥୀ ପ୍ରଚାରରେ ମାତିଗଲେଣି। ବିଭିନ୍ନ ଅଞ୍ଚଳରେ ସେମାନଙ୍କ ପଦଯାତ୍ରା, ଭୋଟ୍‌ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।