ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରକ୍ତଭଣ୍ଡାର ପାଇଁ ନୂତନ କୋଠା ନିର୍ମାଣ ସରିଛି। ଆବଶ୍ୟକତା ଅନୁସାରେ କୋଠରୀ ରହିଥିବା ବେଳେ ରଙ୍ଗ ଦିଆ ବି ଶେଷ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ରକ୍ତଭଣ୍ଡାର କୋଠା କାର୍ଯ୍ୟକାରୀ ହୋଇପାରୁନାହିଁ। ଯାହାଫଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ନୂଆ ଚିକିତ୍ସାଳୟରୁ ପୁରଣା ରକ୍ତଭଣ୍ଡାରକୁ ରକ୍ତ ଆଣିବାକୁ ଯିବାକୁ ପଡୁଛି। ଚିକିତ୍ସାଳୟରୁ ରକ୍ତଭଣ୍ଡାର ୩ କିଲୋମିଟରରୁ ଅଧିକ ଦୂର ହେଉଥିବା ବେଳେ ଲୋକଙ୍କୁ ଅଟୋ ଭଡା କରି ଯିବାକୁ ପଡୁଛି। ସରକାର ପକ୍ଷରୁ ମାଗଣା ରକ୍ତ ମିଳୁଛି ସତ କିନ୍ତୁ ଆଣିବା ପାଇଁ ଲୋକଙ୍କୁ ୨୦୦ ଟଙ୍କା ଗଣିବାକୁ ପଡୁଛି। ମାଲକାନଗିରି ଜିଲ୍ଲାରେ ଗୋଟିଏ ୟୁନିଟ୍ ରକ୍ତ ଆଣିବା ପାଇଁ ଲୋକଙ୍କୁ ଖର୍ଚ୍ଚାନ୍ତ ହେଉଥିବାର ଦେଖିବାକୁ ମିଳୁଛି।

Advertisment

ମାଲକାନଗିରି ଡିଏନକେ ଅଞ୍ଚଳରେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳିତ ହେଉଥିବା ବେଳେ ତାହାର ନିକଟରେ ରକ୍ତଭଣ୍ଡାର ରହିଥିଲା। ଯାହାଫଳରେ ଲୋକେ ରକ୍ତର ଆବଶ୍ୟକତା ହେଲେ ରକ୍ତଭଣ୍ଡାରକୁ ଚାଲି ଯାଇ ରକ୍ତ ଆଣିପାରୁଥିଲେ। କିନ୍ତୁ ୨୦୧୮ ମସିହାରେ ନୂତନ କୋଠାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହୋଇଗଲା। ଚିକିତ୍ସାଳୟ ଚାଲିଗଲା କିନ୍ତୁ ରକ୍ତଭଣ୍ଡାର ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ରହିଯାଇଛି। ରକ୍ତଭଣ୍ଡାର ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ ହେବା ପରେ ସ୍ଥାନାନ୍ତର କରାଯିବ ବୋଲି, ତାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ରକ୍ତଭଣ୍ଡାର ସାଢ଼େ ୩ କିଲୋମିଟର ହେଉଥିବା ଅସୁବିଧା ଯୋଗୁଁ ଚିକିତ୍ସାଳୟ ପରିସରରେ ହିଁ ରକ୍ତଭଣ୍ଡାର କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚିକିତ୍ସାଳୟ ପରିସରରେ ନୂତନ କୋଠା ନିର୍ମାଣ କରାଯାଇଛି। ସେଠାରେ ରକ୍ତସଂଗ୍ରହ ଗୃହ, ଲ୍ୟାବ୍, ରେକର୍ଡ ରୁମ୍, କାର୍ଯ୍ୟାଳୟ, ଡାକ୍ତର କକ୍ଷ, କାଉନିସିଲିଂ ଗୃହ, ରିଫ୍ରସେମେଣ୍ଟ ଗୃହ, ରକ୍ତ ରଖିବା ଗୃହ ଓ ଶୌଚାଳୟ ଆଦି ନିର୍ମାଣ ହୋଇଛି। ଗତ ୨ ବର୍ଷ ହେଲାଣି ନୂତନ କୋଠା ନିମାଣ ହୋଇଥିବା ବେଳେ ରଙ୍ଗ ଦିଆ ମଧ୍ୟ ଶେଷ ହୋଇଯାଇଛି। କିନ୍ତୁ ବିଦ୍ୟୁତ ବିଭାଗ ପକ୍ଷରୁ ସେଠାକୁ ବିଦ୍ୟୁତ ସଂଯୋଗ କରିନାହାନ୍ତି। ଯାହାଫଳରେ କୋଠାଟି ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ରକ୍ତର ଆବଶ୍ୟକତା ପଡିଲେ ଲୋକଙ୍କୁ ସାଢ଼େ ୩ କିଲୋମିଟର ଦୂରରେ ଥିବା ରକ୍ତଭଣ୍ଡାରକୁ ଯିବାକୁ ପଡୁଛି। ସେଠାକୁ ଯିବା ଆସିବା ବାବଦରେ ଅଟୋ ଭଡା ୨୦୦ ଟଙ୍କା ଦେବାକୁ ପଡୁଛି। ରୋଗୀଙ୍କୁ ରକ୍ତର ଆବଶ୍ୟକତା ଜୁରରୀ ରହୁଥିବା ବେଳେ ରୋଗୀର ସମ୍ପର୍କୀୟମାନେ ତୁରନ୍ତ ରକ୍ତ ଆଣିବା ପାଇଁ ଚିନ୍ତିତ ହୋପଡିଛନ୍ତି। ଅଟୋ ଭଡା ଦେବାକୁ ପଡିଲେ ମଧ୍ୟ ଯାଇ ରକ୍ତ ଆଣିବାକୁ ପଡୁଛି। ପ୍ରତ୍ୟେକ ଦିନ ୧୦ରୁ ଅଧିକ ରୋଗୀଙ୍କୁ ରକ୍ତ ଆବଶ୍ୟକତା ପଡୁଥିବା ବେଳେ ପ୍ରତିମାସରେ ୪୫୦ରୁ ଅଧିକ ୟୁନିଟ୍ ରକ୍ତ ଆବଶ୍ୟକତା ପଡୁଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ମାଗଣା ରକ୍ତ ଆଣିବା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଚିକିତ୍ସାଳୟ ପକ୍ଷରୁ ଗାଡିର ସୁବିଧା ମଧ୍ୟ କରାଯାଇପାରୁ ନାହିଁ। ରକ୍ତଭଣ୍ଡାର ସ୍ଥାନାନ୍ତର ପାଇଁ କଂଗ୍ରେସ, ବିଜେପି ଓ ଜନସାଧାରଣ ବାରମ୍ବାର ଦାବି କରିଲେ ମଧ୍ୟ ତାହା ସମ୍ଭବପର ହୋଇପାରୁ ନାହିଁ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦ କହିଛନ୍ତି ଯେ, ନୂତନ ରକ୍ତ ଭଣ୍ଡାର କୋଠା ନିର୍ମାଣ ହୋଇଥିବା ବେଳେ ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଓ ଡାରଇକ୍ଟେର ଅଫ୍ ବ୍ଲଡ ସେଫ୍ଟି ଅଧିକାରୀଙ୍କୁ ଚିଠି କରାଯାଇଛି। ସେମାନଙ୍କ ଟିମ୍ ଆସି ଯାଞ୍ଚ କରି ଅନୁମତି ପ୍ରଦାନ କରିବା ପରେ ନୂତନ ରକ୍ତଭଣ୍ଡାର ଚାଲୁ ହେବ ବୋଲି କହିଛନ୍ତି।